ଲକ୍ଷ୍ନୌ: ଆମ୍ବୁଲାନ୍ସ ଯୋଗେ ସହିଦ ଯବାନଙ୍କ ପାର୍ଥିବ ଶରୀର ନେଇ ଯାଉଥିଲେ ପରିବାରର ଅନ୍ୟ ୩ ପୁରୁଷ ସଦସ୍ୟ । ଆମ୍ବୁଲାନ୍ସଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ଯବାନଙ୍କ ପରିବାର ପୁରୁଷ ଶୂନ୍ୟ ହୋଇଯାଇଛି । ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ୍-ୱେରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ସହିଦ ସୁବେଦାର ମେଜରଙ୍କ ପାର୍ଥିବ ଶରୀର ନେଇ ଯାଉଥିବା ସେନାର ଏକ ଆମ୍ବୁଲାନ୍ସ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ସହ ଧକ୍କା ହେବାରୁ ସେଥିରେ ଥିବା ପରିବାରର ତିନିଜଣ ପୁରୁଷ ସଦସ୍ୟ ଏବଂ ଚାଳକଙ୍କ ସମେତ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି । 

ରବିବାର ସକାଳ ପ୍ରାୟ ୮ଟା ସମୟରେ ଅଯୋଧ୍ୟା-ସୁଲତାନପୁର ସୀମା ନିକଟସ୍ଥ ହାଲିୟାପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଚଣ୍ଡୀଗଡ଼ରୁ ସୁବେଦାର ମେଜର ସତ୍ୟବାନଙ୍କ ମୃତଦେହକୁ ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ଗାଲିଆ ଦୁଧାଇଲା ଗ୍ରାମକୁ ନିଆଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ପୁଲିସର ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଗାଡ଼ିଟି ଭାଙ୍ଗିରୁଜି ଯାଇଥିଲା । ଦୁର୍ଘଟଣାରେ ସୁବେଦାର ମେଜରଙ୍କ ୨୮ ବର୍ଷୀୟ ପୁଅ ଗୌରବ ସିଂହ ଏବଂ ୩୦ ବର୍ଷୀୟ ଆମ୍ବୁଲାନ୍ସ ଚାଳକ ଯଶପାଲଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସେହିପରି ଗୁରୁତର ଆହତ ହୋଇଥିବା ସୁବେଦାର ମେଜରଙ୍କ ୩୫ ବର୍ଷୀୟ ଭାଇ ରାଜନ ଚୌଧୁରୀ ଏବଂ ୪୦ ବର୍ଷୀୟ ପୁତୁରା ରାମ ସିଂହ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । 

ଗୋଟିଏ ପଟେ ସୁବେଦାର ମେଜରଙ୍କ ମୃତ୍ୟୁ ଏବଂ ଅନ୍ୟପଟେ ପାର୍ଥିବ ଶରୀର ସହ ଆସୁଥିବା ପରିବାରର ସମସ୍ତ ପୁରୁଷ ସଦସ୍ୟଙ୍କ ଏପରି ଆକସ୍ମିକ ମୃତ୍ୟୁ ଘଟଣାକୁ ନେଇ ପରିବାର ଏବଂ ଗାଁରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସୁଲତାନପୁର SP ବିନୀତ ଜୈସୱାଲ ଏବଂ ଜିଲ୍ଲାପାଳ ଇନ୍ଦ୍ରଜିତ୍ ସିଂହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସୂଚନା ଦେଇଛି।