ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନର କଭରେଜ କରୁଥିବା ଜନୈକା ମହିଳା ସାମ୍ବାଦିକ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ଗୁରୁତର ଆରୋପ ଲଗାଇଛନ୍ତି। ସାମ୍ବାଦିକ ଦାବି କରିଛନ୍ତି ଯେ ଅକ୍ଟୋବର ୩ ତାରିଖରେ ରିପୋର୍ଟିଂ କରୁଥିବା ବେଳେ ପୋଲିସ ଅଧିକାରୀ ତାଙ୍କୁ ‘ବ୍ୟାଡ୍ ଟଚ୍’ ଦେଇଥିଲେ ଓ ଧକ୍କା ଦେଇ ହଟାଇ ଦେଇଥିଲେ। ଏହି ଅଭିଯୋଗ ପରେ ଦିଲ୍ଲୀରେ ସାମ୍ବାଦିକ ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ଓ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧର କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ଯାଇଛନ୍ତି।

ମାମଲାର ଯାଞ୍ଚକୁ ନେଇ ଗଣମାଧ୍ୟମ ସହ ଆଲୋଚନାରେ ପୋଲିସ ଅଧିକାରୀ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କୌଣସି ମଜଭୁତ ପ୍ରମାଣ ସାମ୍ନାକୁ ଆସି ନାହିଁ। ଅଭିଯୋଗକାରୀ ଅଥବା ଅନ୍ୟ ସାମ୍ବାଦିକ ମଧ୍ୟ ମାମଲାରେ ଏପର୍ଯ୍ୟନ୍ତ କୌଣସି ଅତିରିକ୍ତ ସାକ୍ଷ୍ୟ ଉପସ୍ଥାପନ କରି ନାହାନ୍ତି । ମାମଲାର ଗୁରୁତ୍ୱକୁ ଦେଖି ଦିଲ୍ଲୀ ପୋଲିସ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେଇଛି। ହେଲେ ଏପର୍ଯ୍ୟନ୍ତ ମାମଲାରେ କୌଣସି ଅଧିକାରୀକ ଏଫଆଇଆର ରୁଜୁ ହୋଇ ନାହିଁ।

ଅନ୍ୟପଟେ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଭାଇରାଲ ହେଉଥିବା ଏକ ସିସିଟିଭି ଫୁଟେଜକୁ ପୋଲିସ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଛି। ଡିସିପି ନେହା ଯାଦବ କହିଛନ୍ତି ଯେ ସୋସିଆଲ ମିଡିଆରେ ଯେଉଁ ଫୁଟେଜ ବୁଲୁଛି ତାହା ଏଆଇ ଦ୍ୱାରା ପ୍ରସ୍ତୁତ ଏକ ଫେକ୍ ଭିଡିଓ ଏବଂ ଜନ୍ତର ମନ୍ତର ର ବାସ୍ତିକ ଘଟଣା ସହ ଏହାର କୌଣସି ସମ୍ପୃକ୍ତି ନାହିଁ। କ୍ରାଇମବ୍ରାଞ୍ଚ ଏବେ ପୋଲିସ କର୍ମଚାରୀଙ୍କ ବଡି କ୍ୟାମେରା ରେକର୍ଡିଂ ଓ ଅନଗ୍ରାଉଣ୍ଡ ସିସିଟିଭି ଫୁଟେଜର ଯାଞ୍ଚ କରି ସତ୍ୟତା ଜାଣିବାକୁ ଚେଷ୍ଟା କରୁଛି। ଏଣୁ ଦିଲ୍ଲୀ ପୋଲିସ ଏକ୍ସ ହ୍ୟାଣ୍ଡଲରେ ଏକ ପୋଷ୍ଟ କରି ମିଥ୍ୟା ଓ ଭ୍ରମାତ୍ମକ କଣ୍ଟେଣ୍ଟ ପ୍ରସାରଣ କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି।

ସେପଟେ ସଂସଦ ମାର୍ଗ ଥାନା ବାହାରେ ସାମ୍ବାଦିକଙ୍କ ଅସନ୍ତୋଷ ଲଗାତାର ବଢିବାରେ ଲାଗିଛି। ସିଜେପି ସହ ସଂଯୋଜକ ସୌରଭ ଦାସ ଓ ଅନ୍ୟ ସଦସ୍ୟ ପୋଲିସ ଷ୍ଟେସନ ବାହାରେ ବିରୋଧ ପ୍ରଦର୍ଶନ କରି କହିଛନ୍ତି ଯେ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ଏଫଆଇଆର ରୁଜୁ କରାଯାଇ ନାହିଁ, ଏଥିରେ ପୋଲିସ ନିରପେକ୍ଷ ଯାଞ୍ଚର କଥା କହୁଛି। ଏଣୁ ସାମ୍ବାଦିକମାନେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ଯାଇଛନ୍ତି।