ଭୁବନେଶ୍ବର ୧୭।୮: ସ୍ୱର୍ଗତ ହୋମଗାର୍ଡ ପ୍ରଦୀପ କୁମାର ମାର୍ଥାଙ୍କ ପରିବାରକୁ ରାଜ୍ୟର ଆଇପିଏସ୍ ଅଧିକାରୀ ମାନଙ୍କ ଅବଦାନରୁ ସଂଗୃହୀତ ୬ ଲକ୍ଷ ୫୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଆଜି ଅପରେସନ ମୁଖ୍ୟାଳୟ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ) ସଞ୍ଜୀବ ପଣ୍ଡା ସ୍ୱର୍ଗତ ପ୍ରଦୀପ କୁମାର ମାର୍ଥାଙ୍କ ପତ୍ନୀ ଉର୍ମିଳା ମାର୍ଥାଙ୍କୁ ଏହି ରାଶିର ଚେକ୍ ପ୍ରଦାନ କରିଥିଲେ । ଏହି ଅବସରରେ ଆଇଜିପି (ଅପରେସନ) ଦୀପକ କୁମାର ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ହୋମଗାର୍ଡ ପ୍ରଦୀପ କୁମାର ମାର୍ଥା ୨୪ ଏପ୍ରିଲ ୨୦୨୬ରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପରଲୋକ ହୋଇଥିଲା । ସେ ଭୁବନେଶ୍ୱର ସ୍ଥିତ ଆଇପିଏସ୍ ମେସ୍ରେ କାର୍ଯ୍ୟରତ ଥିଲେ ।

ସ୍ୱର୍ଗତ ମାର୍ଥାଙ୍କ ପରିବାରକୁ ଓଡ଼ିଶା ପୋଲିସ ପକ୍ଷରୁ ନିରନ୍ତର ସହଯୋଗ ଯୋଗାଇ ଦିଆଯାଉଛି । ଏହା ପୂର୍ବରୁ ୧୭ ଜୁନ୍ ୨୦୨୬ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଉର୍ମିଳା ମାର୍ଥାଙ୍କୁ ୪ ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ପ୍ରଦାନ କରାଯାଇଥିଲା । ସେହିପରି, ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ସ ଆସୋସିଏସନ୍ର ସଭାପତି ଏଲ୍.ସି. ଅମରନାଥନ୍ ୧୮ ଜୁନ୍ ୨୦୨୬ରେ ୧ ଲକ୍ଷ ୧୨ ହଜାର ୫୦୦ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏଥିସହ, ଉର୍ମିଳା ମାର୍ଥାଙ୍କୁ ୧୫ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍‌ରେ ହୋମଗାର୍ଡ ଭାବେ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇଛି ।

ସ୍ୱର୍ଗତ ପ୍ରଦୀପ କୁମାର ମାର୍ଥାଙ୍କ ପରିବାର ପ୍ରତି ଓଡ଼ିଶା ପୋଲିସର ଏହି ସହଯୋଗ ଓ ସମ୍ବେଦନଶୀଳ ପଦକ୍ଷେପ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ଦୁଃଖର ଏହି ସମୟରେ ପରିବାର ପ୍ରତି ପୋଲିସ ବିଭାଗର ଦାୟିତ୍ୱବୋଧ, ମାନବିକତା ଓ ଆତ୍ମୀୟତାର ପ୍ରତିଫଳନ । ଏହା ପରିବାରର ମନୋବଳ ବୃଦ୍ଧି ସହ ଭବିଷ୍ୟତରେ ସେମାନଙ୍କୁ ଆଗକୁ ବଢ଼ିବାରେ ନିଶ୍ଚିତ ଭାବେ ସହାୟକ ହେବ ।