ଭୁବନେଶ୍ୱର: ଓଡ଼ିଶା ମୋଟର ପରିବହନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡର ପଞ୍ଚମ ବୈଠକ ଆଜି ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବୋର୍ଡ ସଦସ୍ୟ ବିଧାୟକ ଟଙ୍କଧର ତ୍ରିପାଠୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ, ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ସମେତ ବୋର୍ଡର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଆଲୋଚନାରେ ପ୍ରତି ୧୦୦ କିଲୋମିଟର ବ୍ୟବଧାନରେ ଗାଡ଼ି ଚାଳକଙ୍କ ପାଇଁ ବିଶ୍ରାମ ସୁବିଧା ଯୋଗାଇଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ‘ଟ୍ରକ୍ ଟର୍ମିନାଲ୍’ ଏବଂ ଏଥିରେ ଉପଲବ୍ଧ ଥିବା ସୁରକ୍ଷିତ ପାର୍କିଂ, ବିଶ୍ରାମ ଗୃହ ଓ ଅନ୍ୟାନ୍ୟ ଆବଶ୍ୟକୀୟ ମୌଳିକ ସୁବିଧା ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ। ଏଥି ସହିତ, ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଡ୍ରାଇଭର ଆସୋସିଏସନଗୁଡ଼ିକୁ ସାମିଲ କରି ସଡ଼କ ସୁରକ୍ଷା ଅଭିଯାନକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବାକୁ ଆସିଥିବା ପ୍ରସ୍ତାବକୁ ମଧ୍ୟ ମାନ୍ୟବର ମନ୍ତ୍ରୀ ଗ୍ରହଣ କରି ଏହା ଏକ ସ୍ୱାଗତଯୋଗ୍ୟ ପ୍ରସ୍ତାବ ବୋଲି କହିଥିଲେ। ଏହାସହ ଗାଡ଼ି ଚାଳକ ଓ କର୍ମଚାରୀଙ୍କ ସ୍ୱାର୍ଥ ସମ୍ବଳିତ ଆଲୋଚନା ପାଇଁ ନିୟମିତ ବ୍ୟବଧାନରେ ବୋର୍ଡର ବୈଠକ କରାଯିବାକୁ ସ୍ଥିର ହୋଇଛି।

ଅନ୍ୟପକ୍ଷରେ, ବୈଠକରେ ଉପସ୍ଥିତ ଡ୍ରାଇଭର ମହାସଂଘର ପ୍ରତିନିଧିମାନେ ଅଟୋ ଚାଳକମାନଙ୍କୁ ଏହି କଲ୍ୟାଣ ବୋର୍ଡରେ ସାମିଲ କରିବା, ପଞ୍ଜିକରଣ ଫି' ଛାଡ଼ କରିବା ଏବଂ ୬୦ ବର୍ଷ ବୟସ ପରେ ଭତ୍ତା ପ୍ରଦାନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଏହା ସହିତ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା, ଓଡ଼ିଶାର ସମସ୍ତ ଖଣି ଓ କାରଖାନାରେ ୭୦% ସ୍ଥାନୀୟ ଡ୍ରାଇଭରଙ୍କୁ ନିଯୁକ୍ତି ଦେବା ଏବଂ ସେପ୍ଟେମ୍ବର ୧ ତାରିଖକୁ 'ରାଜ୍ୟ ଡ୍ରାଇଭର ଦିବସ' ରୂପେ ଘୋଷଣା କରିବାକୁ ସେମାନେ ଦାବି କରିଥିଲେ। ମହାସଂଘର ଏହି ସମସ୍ତ ଦାବିକୁ ସହାନୁଭୂତିର ସହ ବିଚାର କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।

ରାଜ୍ୟର ଅର୍ଥନୀତି ଓ ପ୍ରଗତିରେ ଚାଳକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ସେମାନଙ୍କୁ ଉପଯୁକ୍ତ ସମ୍ମାନ, ସାମାଜିକ ସୁରକ୍ଷା ଓ ଅଧିକାର ପ୍ରଦାନ କରିବା ପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ ବୋଲି ବୈଠକରେ ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି।