ଯାଜପୁର ରୋଡ: ରଗଡି ସରକାରୀ ପଲିଟେକନିକରେ ହାଇଡ୍ରାମା । ସର୍ବ ସମ୍ମୁଖରେ ଜଣେ ସିନିୟର୍ ଅଧ୍ୟାପକଙ୍କ ଉପରକୁ ଶୌଚାଳୟର ମଇଳା ପାଣି ଫିଙ୍ଗିଲେ ଅଧ୍ୟାପିକା। ଆଉ ଏସବୁ ଦେଖି କରତାଳି ସହିତ କମେଣ୍ଟ ମାରୁଥିଲେ କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ରଗଡି ସରକାରୀ ପଲିଟେକନିକରେ ।

ସୂଚନା ଅନୁସାରେ, ପଲିଟେକନିକର ଇଲେକ୍ଟ୍ରିକାଲ୍ ବିଭାଗ ମୁଖ୍ୟ ନୃସିଂହ ବେହେରା ଓ ସେହି ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ସନ୍ଦୀପ ମହାପାତ୍ରଙ୍କ ଭିତରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଉଭୟ କଲେଜ ପରିସର ମଧ୍ୟରେ ପରସ୍ପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁ ଘଟଣାକୁ ନେଇ କୋରେଇ ଥାନାର ଦ୍ୱାରସ୍ଥ ହୋଇ ଉଭୟ ପରସ୍ପର ବିରୁଦ୍ଧରେ ଅଭିଯୋଗ ମଧ୍ୟ କରିଛନ୍ତି ।

ହେଲେ ରୋଚକ କଥା ହେଲା ଉଭୟ ଅଧ୍ୟାପକଙ୍କ ଗଣ୍ଡଗୋଳ ପରେ ଇଲେକ୍ଟ୍ରିକାଲ୍ ବିଭାଗ ନୃସିଂହ ବେହେରା କଲେଜ ବାହାରକୁ ଯାଉଥିବା ବେଳେ, ତାଙ୍କ ଉପରକୁ ମଇଳା ପାଣି ପିଙ୍ଗିଥିଲେ ସନ୍ଦୀପ ମହାପାତ୍ରଙ୍କ ପତ୍ନୀ ତଥା କଲେଜର ମେଟାଲୋଜି ବିଭାଗର ଅଧ୍ୟାପିକା । ଅଭିଯୋଗ ହୋଇଛି ଅଧ୍ୟାପିକା ଜଣକ କଲେଜ ଛାତ୍ରଙ୍କୁ ଏକତ୍ରିତ କରି ଛାତ୍ରାବାସ ପାଇଖାନାରୁ ମଇଳା ପାଣି ଆଣି କଲେଜ ପରିସରରେ ଇଲେକ୍ଟ୍ରିକାଲ୍ ବିଭାଗ ମୁଖ୍ୟ ନୃସିଂହ ବେହେରାଙ୍କ ଉପରକୁ ଢାଳିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ ତାଳି ଓ କମେଣ୍ଟ ମାରିବା ସହ ଘଟୁଥିବା ଅପ୍ରୀତିକର ପରିସ୍ଥିତିର ମଜା ନେଉଥିଲେ। ଏହାକୁ ଦେଖିଲେ କଲେଜରେ ଶୃଙ୍ଖଳା ପରିସ୍ଥିତି କେଉଁ ସ୍ତରରେ ଅଛି ତାହା ଅନୁମେୟ ।

ତେବେ ଅଧ୍ୟାପିକା ଜଣକ ପ୍ରତିଶୋଧ ପାଇଁ ଏଭଳି କରିଛନ୍ତି କି ନାହିଁ ? ତାହା ଜଣାପଡ଼ିନାହିଁ । ସେପଟେ କଲେଜ ଅଧ୍ୟକ୍ଷ ଅଭୟ ମଲିକ ଘଟଣାକୁ ନିନ୍ଦା କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଏନେଇ ରିପୋର୍ଟ ପ୍ରଦାନ କରାଯାଇଥିବା କହିଛନ୍ତି।