ବେଙ୍ଗାଲୁରୁ: ଡେ କେୟାର ସେଣ୍ଟରରେ ଶିଶୁଙ୍କ ପ୍ରତି କ୍ରୁରତା ମାମଲାରେ ଏବେ ଏକ ବଡ଼ ଖବର ଆସିଛି। ଶିଶୁଙ୍କୁ ପ୍ରତି ନିର୍ଦ୍ଦୟ ବ୍ୟହହାର କରିବା ଓ ସେମାନଙ୍କୁ ମାରପିଟ କରିବା ମାମଲାରେ ପୋଲିସ ଆଉ ଜଣେ ମହିଳାଙ୍କୁ ଗିରଫ କରିଛି। ଧରାପଡିଥିବା ମହିଳା କେୟର ଟେକର ଏହି ମାମଲାରେ ରୁଜୁ ଏଫଆଇଆରରେ ଦ୍ୱିତୀୟ ଅଭିଯୁକ୍ତ। ଡେ କେୟାର ସେଣ୍ଟର ଭିତରର ଏକ ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଫୁଟେଜର ତନ୍ନତନ୍ନ ଯାଞ୍ଚ କରିଥିଲା। ଏହି ଆଧାରରେ ମହିଳାଙ୍କୁ ଚିହ୍ନଟ କରାଯିବା ସହ ଗିରଫ କରାଯାଇଛି।

ଏବେ ଗିରଫ ମହିଳାଙ୍କୁ କୋର୍ଟରେ ହାଜର କରି ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ପୋଲିସ ପ୍ରସ୍ତୁତି କରୁଛି। ଉଲ୍ଲେଖଯୋଗ୍ୟ ଯେ ଏହି ସମ୍ପୂର୍ଣ୍ଣ ଘଟଣା ସେତେବେଳେ ଜଣାପଡିଲା ଯେତେବେଳେ ସୋସିଆଲ ମିଡିଆ ଓ ପୋଲିସ ନିକଟକୁ ଏକ ଡେ କେୟାର ସେଣ୍ଟରର ଭିଡିଓ ପ୍ରମାଣ ରୂପେ ପହଞ୍ଚିଥିଲା। ଏହି ଭିଡିଓରେ ନିରିହ ଶିଶୁଙ୍କ ପ୍ରତି କ୍ରୁରତାକୁ ସ୍ପଷ୍ଟ ଦେଖି ହେଉଛି। ଏହି ଘଟଣା ପରେ କର୍ଣ୍ଣାଟକ ଗୃହମନ୍ତ୍ରୀ ପ୍ରିୟାଙ୍କ ଖଡଗେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

ଖଡଗେ ଏପରି ଘଟଣା ଅସ୍ୱୀକାର୍ଯ୍ୟ ବୋଲି କହିଥିବା ବେଳେ ଏପରି ଘଟଣାକୁ କୌଣସି ମତେ ବରଦାସ୍ତ କରାଯିବନି ବୋଲି କହିଛନ୍ତି। ଗୃହମନ୍ତ୍ରୀ ଖଡଗେ ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି। ଅଭିଭାବକ ସେମାନଙ୍କ କୁନିକୁନି ପିଲାଙ୍କୁ ବିଶ୍ୱାସରେ ଏହି ସବୁ ଡେ କେୟାର ସେଣ୍ଟରମାନଙ୍କରେ ଛାଡୁଛନ୍ତି। ଏପରି ସେଣ୍ଟରଙ୍କୁ ସମ୍ପୂର୍ଣ୍ଣ ସାବଧାନତା ଓ ନିୟମ ପରିସରରେ ରହି ଚଳିବା କଥା, ହେଲେ ଏହି ମାମଲାରେ ଖୋଲାଖୋଲି ନିୟମର ଉଲ୍ଲଂଘନ ହୋଇଛି ବୋଲି ସେ କହିଛନ୍ତି।

ଗୃହମନ୍ତ୍ରୀ କହିଛନ୍ତି ଯେ ଡେ କେୟାର ସେଣ୍ଟର ପାଇଁ ସରକାରଙ୍କ ନିର୍ଦ୍ଧାରିତ ଗାଇଡଲାଇନ (ଏସଓପି) ରହିଛି। ଏଣୁ ମାମଲାରେ ସେଣ୍ଟରକୁ ଲିଖିତ ଜବାବ ମଗାଯାଇଥିବା ଗୃହମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଏପରି ଘଟଣା ଯୋଗୁ ନା କେବଳ ଡେ କେୟାର କମ୍ପାନୀଙ୍କ ନାଁ ଖରାପ ହୋଇଛି ବରଂ ବ୍ରାଣ୍ଡ-ବେଙ୍ଗାଲୁରୁ ଛବିକୁ ମଧ୍ୟ ଧକ୍କା ଲାଗିଛି। ସରକାର କହିଛନ୍ତି ଯେ ଏହି ମାମଲାର ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଏପରି କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ଯାହା ଅନ୍ୟମାନଙ୍କ ଲାଗି ଦୃଷ୍ଟାନ୍ତ ହେବ। ତେବେ ପୋଲିସ ମାମଲାର ପ୍ରତ୍ୟେକ ଦିଗକୁ ଗମ୍ଭିରତାର ସହିତ ଯାଞ୍ଚ କରୁଥିବା କହିଛି।