ଆନନ୍ଦପୁର ୨୦।୭: ଉତ୍ପାତ ମଚାଉଛି ଝାଡଖଣ୍ଡୀ ଦନ୍ତା । ସ୍ଥାନୀୟ ହାତୀଙ୍କ ସହ ମିଶି ଘର ଭାଙ୍ଗୁଛି, ଫସଲ ନଷ୍ଟ କରୁଛି । ଘରେ ପଶି ଖାଇଯାଇଛି ଖାଦ୍ଯଶସ୍ୟ । ଖୋଦ୍ ବନ ବିଭାଗ ଏଭଳି କହୁଥିବା ବେଳେ ହାତୀ କବଳରୁ ଗ୍ରାମବାସୀଙ୍କ ଧନଜୀବନକୁ ସୁରକ୍ଷା ଦେବା ପରିବର୍ତ୍ତେ ହାତ ଟେକିଦେଇଛି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରେଞ୍ଜ ଅନ୍ତର୍ଗତ କୋଡପଡା ପଞ୍ଚାୟତର ଗୋଳାବନ୍ଧ ଓ ବିରଗୋବିନ୍ଦପୁର ପଞ୍ଚାୟତର ଗୋହିରାବଣୀ, ଧାତିଗିଡିଆ ପ୍ରଭୃତି ଗାଁରେ ଦୈନିକ ସନ୍ଧ୍ୟା ହେଲେ ହାତୀ ପଲ ଉପଦ୍ରବ ମଚାଉଛନ୍ତି । ବାରମ୍ବାର ଅଭିଯୋଗ ପରେ ବନ ବିଭାଗ ତରଫରୁ କିଛି ଠୋସ୍ ପଦକ୍ଷେପ ଗ୍ରହଣ ନହେବାରୁ ସୋମବାର ସଂପୃକ୍ତ ଅଞ୍ଚଳର ଗ୍ରାମବାସୀ ମାନେ ମିଳିତ ହୋଇ ଘଷିପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣିରେ ହାଜର ହୋଇ ଅଭିଯୋଗ କରିଛନ୍ତି ।

Also Read:- ଆନ୍ତଃରାଜ୍ୟ ବ୍ରାଉନ ସୁଗାର ରାକେଟ୍‌ର ପର୍ଦ୍ଦାଫାଶ, ଧଳାଜହର ସହ ୬ ଗିରଫ

ସାତକୋଶିଆ ଜଙ୍ଗଲରେ ହାତୀଙ୍କୁ ସୋଲାର୍ କରେଣ୍ଟ ଝଟକା ଦେବାରୁ ସେମାନେ କେନ୍ଦୁଝର ଜିଲ୍ଲାର ସୀମାନ୍ତରେ ଥିବା ଏହି ଗାଁ ଗୁଡିକୁ ପଶି ଆସୁଥିବା ଅଭିଯୋଗ ହୋଇଛି । ହେଲେ ବନ ବିଭାଗ ହାତୀଙ୍କୁ ଘଉଡାଇବାରେ ସହଯୋଗ କରୁନଥିବା ବେଳେ ଓଲଟା ହାତୀ ଆସିଲେ ଗାଁ ମାନଙ୍କରୁ କରେଣ୍ଟ କାଟିଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଲୋକେ ।