ବାଣପୁର ୬।୬: ଗାଁର ମଶାଣିରେ ଜଳିଲା ବାପା-ପୁଅଙ୍କ ଚିତା । ତାହା ପୁଣି ଗୋଟିଏ ଜୁଈରେ । ପାରିବାରିକ ଅଶାନ୍ତି ଯୋଗୁଁ ମାନସିକ ଭାରସାମ୍ୟ ହରାଇ ବସିଥିଲେ ବାପା-ପୁଅ । ଆଉ ଶେଷରେ ନେଇଥିଲେ ଏଭଳି ଚରମ ନିଷ୍ପତ୍ତି । ଯାହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ କୁମାରଙ୍ଗ ପଞ୍ଚାୟତ କେଶପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ବାପ-ପୁଅ ଦୁହେଁ ଆତ୍ମହତ୍ୟା କରିଛନ୍ତି ଏବଂ ଦୁହିଁଙ୍କ ମୃତଦେହ ଗାଁ ଶ୍ମଶାନରେ ଗୋଟିଏ ଜୁଈରେ ଜଳିଛି । କେଶପୁର ଗାଁର ନବଘନ ପ୍ରଧାନ ଓ ତାଙ୍କର ପୁଅ ତୋଫାନ ପ୍ରଧାନ ଦୁହିଁଙ୍କ ମଧ୍ୟରେ ଶୁକ୍ରବାର ବିଳମ୍ବିତ ରାତିରେ ଘରର ଆର୍ଥିକ ସମସ୍ୟାକୁ ନେଇ କଳିଝଗଡ଼ା ହୋଇଥିଲା । ଏହି କଳିଝଗଡ଼ା ଏଭଳି ହୋଇଥିଲା ଯେ, ମହାଭାରତ ସୃଷ୍ଟି ହୋଇଗଲା । ଆଉ ଶେଷରେ ମାନସିକ ଭାରସାମ୍ୟ ହରାଇ ବାପା-ପୁଅ ଦୁହେଁ ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଇଥିଲେ ।

Also Read:- ଚାଷୀଙ୍କ ବିଦ୍ୟୁତ ଖୁଣ୍ଟ ବଦଳାଇବାକୁ ମାଗିଥିଲେ ୨୫ ହଜାର, ଲାଞ୍ଚ ଟଙ୍କା ନେବା ବେଳେ ଧରାପଡିଗଲେ

ଶନିବାର ଭୋର ସମୟରେ ବାପା ନବଘନ ପ୍ରଧାନ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଏହି ଖବର ପାଇବା ପରେ ଏପଟେ ତାଙ୍କ ପୁଅ ତୋଫାନ ପ୍ରଧାନ ବିଷ ପିଇ ଆତ୍ମହତ୍ୟା କରିଦେଇଥିଲେ ।