ନୂଆଦିଲ୍ଲୀ: ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପରିକଳ୍ପନା କରାଯାଇଥିବା 'ମ୍ୟାଗ୍ନେଟିକ୍ ଲେଭିଟେସନ୍' (Maglev) ପ୍ରଯୁକ୍ତିବିଦ୍ୟା ଏବେ ବାସ୍ତବ ରୂପ ନେଇଛି। ପୂର୍ବ ଏସିଆରେ ଘଣ୍ଟାପ୍ରତି ୬୦୦ କିଲୋମିଟର (୩୭୦ ମାଇଲ୍) ବେଗରେ ଚାଲୁଥିବା ଏହି ଭାସମାନ ଟ୍ରେନ୍‌ଗୁଡ଼ିକ ଏବେ ବାଣିଜ୍ୟିକ ବିମାନ ଯାତ୍ରାର ବିକଳ୍ପ ଭାବରେ ଉଭା ହେଉଛି। ଏହି ବୈଷୟିକ କ୍ରାନ୍ତିର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଚୀନ୍ ଏବଂ ଜାପାନ। ଜଣେ ସାଧାରଣ ବାଣିଜ୍ୟିକ ବିମାନର ବେଗ ଘଣ୍ଟାପ୍ରତି ୮୮୫ କିମି ହୋଇଥିବା ବେଳେ, ପରମ୍ପରାଗତ ବୁଲେଟ୍ ଟ୍ରେନ୍ ୩୫୦ କିମି/ଘଣ୍ଟା ବେଗରେ ଚାଲିଥାଏ। କିନ୍ତୁ ଏହି ନୂଆ ମ୍ୟାଗଲେଭ୍ ଟ୍ରେନ୍ ୬୦୦ କିମି/ଘଣ୍ଟା ବେଗରେ ଗତି କରି ଭୂପୃଷ୍ଠ ପରିବହନକୁ ଏକ ନୂଆ ଦିଗ ଦେଇଛି।

ଚୀନ୍‌ର ମେଗା-ନେଟୱର୍କ ଯୋଜନା
ସରକାରୀ ସଂସ୍ଥା 'CRRC' ଦ୍ୱାରା ପ୍ରସ୍ତୁତ ୬୦୦ କିମି/ଘଣ୍ଟା ବେଗ ବିଶିଷ୍ଟ ଏହି ମ୍ୟାଗଲେଭ୍ ଟ୍ରେନ୍ ପ୍ରୋଟୋଟାଇପ୍ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ସସପେନ୍ସନ୍ ଆଧାରରେ ଚାଲିଥାଏ। ଏହା ଟ୍ରାକ୍‌ଠାରୁ କିଛି ମିଲିମିଟର ଉପରେ ଭାସି ଚାଲୁଥିବାରୁ କୌଣସି ଘର୍ଷଣ (Mechanical friction) ହୋଇନଥାଏ। ସୁଡ଼ଙ୍ଗ ଭିତରକୁ ପ୍ରବେଶ କରିବା ସମୟରେ ବାୟୁ ଚାପ ଯୋଗୁଁ ସୃଷ୍ଟି ହେଉଥିବା ବିକଟାଳ ଶବ୍ଦ (Tunnel boom) ରୋକିବା ପାଇଁ ଚୀନ୍‌ ସ୍ୱତନ୍ତ୍ର ଏରୋଡାଇନାମିକ୍ ଡିଜାଇନ୍ ପ୍ରସ୍ତୁତ କରିଛି । ଯଦି ଏହାକୁ ବେଜିଂ-ସାଂଘାଇ କରିଡରରେ କାର୍ଯ୍ୟକାରୀ କରାଯାଏ, ତେବେ ୪ ଘଣ୍ଟାର ଯାତ୍ରା ୨.୫ ଘଣ୍ଟାକୁ କମିଯିବ, ଯାହା ବିମାନ ଯାତ୍ରା ସହ ସମାନ ହେବା ସହ କାର୍ବନ ନିର୍ଗମନକୁ ଯଥେଷ୍ଟ ହ୍ରାସ କରିବ।

ଜାପାନର ସୁପରକଣ୍ଡକ୍ଟିଂ ପ୍ରଯୁକ୍ତି
ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟିକ୍ ଲେଭିଟେସନ୍ (SCMAGLEV) ପ୍ରଯୁକ୍ତିରେ ନିର୍ମିତ 'ଚୁଓ ସିନକାନସେନ୍' ଲାଇନ୍ ମାଧ୍ୟମରେ ଜାପାନ ଚୀନକୁ କଡ଼ା ଟକ୍କର ଦେଉଛି। ପରୀକ୍ଷଣ ସମୟରେ ଜାପାନର ଏହି ଟ୍ରେନ୍ ୬୦୩ କିମି/ଘଣ୍ଟା (୩୭୫ ମାଇଲ୍/ଘଣ୍ଟା) ର ବିଶ୍ୱ ରେକର୍ଡ ସୃଷ୍ଟି କରିସାରିଛି। ନିଓବିୟମ୍-ଟାଇଟାନିୟମ୍ ଚୁମ୍ବକ ବ୍ୟବହାର କରୁଥିବା ଏହି ଟ୍ରେନ୍ ଟ୍ରାକଠାରୁ ୧୦ ସେଣ୍ଟିମିଟର ଉପରେ ଭାସିଥାଏ। ଏହା ଟୋକିଓରୁ ନାଗୋୟା ଯାତ୍ରାକୁ ମାତ୍ର ୪୦ ମିନିଟ୍ ଏବଂ ଓସାକା ଯାତ୍ରାକୁ ପ୍ରାୟ ୧ ଘଣ୍ଟାରେ ସମ୍ପୂର୍ଣ୍ଣ କରିପାରିବ।

Also Read: Bullet Train: ପ୍ରଥମେ କେଉଁ ରୁଟ୍‌ରେ ଦୌଡ଼ିବ ବୁଲେଟ୍ ଟ୍ରେନ୍ ? ସୂଚନା ଦେଲେ ରେଳ ମନ୍ତ୍ରୀ

ଅତ୍ୟଧିକ ନିର୍ମାଣ ଖର୍ଚ୍ଚ ଏବଂ ଜଟିଳ ଇଞ୍ଜିନିୟରିଂ ଯୋଗୁଁ ଦୀର୍ଘ ଦଶନ୍ଧି ଧରି ଏହି ପ୍ରଯୁକ୍ତି ସୀମିତ ହୋଇ ରହିଥିଲା। କିନ୍ତୁ ଆଜି ଚୀନ୍ ଏବଂ ଜାପାନ ଏହାକୁ କେବଳ ଏକ ବୈଜ୍ଞାନିକ ସଫଳତା ନୁହେଁ, ବରଂ ଆକାଶପଥର ଭିଡ଼ କମାଇବା, ଆଞ୍ଚଳିକ ଅର୍ଥନୀତିକୁ ଯୋଡ଼ିବା ଏବଂ ବିଶ୍ୱସ୍ତରରେ ବିକ୍ରି କରିବା ପାଇଁ ଏକ ମୁଖ୍ୟ ଭିତ୍ତିଭୂମି ଭାବରେ ଗ୍ରହଣ କରିଛନ୍ତି।