ପୁରୀ ୧୭।୧୧ : ଶ୍ରୀମନ୍ଦିର ଆସୁଥିଲେ ସାବଧାନ ! ମହାପ୍ରଭୁଙ୍କ ଦର୍ଶନ ନାଁରେ ଭକ୍ତଙ୍କୁ ଲୁଟୁଛନ୍ତି ନକଲି ଗୁମାସ୍ତା। ଶୀଘ୍ର ଦର୍ଶନ କରାଇଦେବାର ପ୍ରଲୋଭନ ଦେଖାଇ ମନଇଚ୍ଛା ଟଙ୍କା ଆଦାୟ ସହ ଦୁର୍ବ୍ୟବହାର ଓ ଧମକ ଦେଉଥିବା ଅଭିଯୋଗ। ଗତ ତିନି ମାସରେ ୪୦ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିସାରିଲାଣି ପୁରୀ ପୋଲିସ। ସେପଟେ ଅସଲି ଓ ନକଲି ଗୁମାସ୍ତାଙ୍କୁ ଚିହ୍ନିବା ପାଇଁ ପରିଚୟପତ୍ର ବ୍ୟବସ୍ଥା କରିବାକୁ ଯୋଜନା କରୁଛି ଶ୍ରୀମନ୍ଦିର ପ୍ରଶାସନ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ। ହେଲେ ଭକ୍ତଙ୍କ ଏହି ଭକ୍ତି ଓ ବିଶ୍ୱାସକୁ ପୁଞ୍ଜି କରି ମାତିଛନ୍ତି କିଛି ଅସାଧୁ ବ୍ୟକ୍ତି। ନିଜକୁ ପଣ୍ଡା କିମ୍ବା ଗୁମାସ୍ତାର ପରିଚୟ ଦେଇ ଭକ୍ତଙ୍କୁ ଟାର୍ଗେଟ୍ କରୁଛନ୍ତି। ସିଂହଦ୍ୱାରଠାରୁ ବଡ଼ଦାଣ୍ଡ, ରେଳ ଷ୍ଟେସନରୁ ବସ୍ଷ୍ଟାଣ୍ଡ, ସବୁଠି ରହିଛି ଏମାନଙ୍କ ନଜର। ବାହାରୁ ଆସୁଥିବା ଭକ୍ତଙ୍କୁ ଶୀଘ୍ର ଦର୍ଶନ, ଭଲ ଦର୍ଶନ ଓ ସ୍ୱତନ୍ତ୍ର ପୂଜା କରାଇଦେବାର ପ୍ରଲୋଭନ ଦେଖାଉଛନ୍ତି। ଆଉ ଏହି ବାହାନାରେ ଆଦାୟ କରୁଛନ୍ତି ମନଇଚ୍ଛା ଟଙ୍କା। କେହି ୫୦୦ ତ ଆଉ କେହି ୧୦୦୦ କିମ୍ବା ତାଠାରୁ ଅଧିକ ଟଙ୍କା ମାଗୁଛନ୍ତି। ଟଙ୍କା ନଦେଲେ ଗାଳିଗୁଲଜ ସହ ଧମକ ଦେଉଥିବା ଅଭିଯୋଗ ହୋଇଛି। ଫଳରେ ଅନେକ ଭକ୍ତ ଭୟରେ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି।

ତେବେ ନକଲି ଗୁମାସ୍ତାଙ୍କ ଏଭଳି ଦୌରାତ୍ମ୍ୟକୁ ନେଇ ଉଦ୍ବେଗ ପ୍ରକାଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏହାର ସ୍ଥାୟୀ ସମାଧାନ ପାଇଁ କୌଳିକ ପଣ୍ଡାଙ୍କ ଗୁମାସ୍ତାମାନଙ୍କୁ ପରିଚୟପତ୍ର ଦେବାକୁ ଯୋଜନା କରାଯାଉଛି। ପରିଚୟପତ୍ର ନଥିଲେ କେହି ନିଜକୁ ଗୁମାସ୍ତା ବୋଲି ପରିଚୟ ଦେଇପାରିବେ ନାହିଁ। ଏହାଦ୍ୱାରା ଅସଲି ଓ ନକଲି ଗୁମାସ୍ତାଙ୍କୁ ଚିହ୍ନିବା ସହଜ ହେବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ।

Also Read:-IPLରୁ ସନ୍ନ୍ୟାସ ନେଲେ ଏମଏସ ଧୋନି, ଏବେ CSKରେ ସମ୍ଭାଳିବେ ନୂଆ ଦାୟିତ୍ଵ

ଭକ୍ତଙ୍କ ଅଭିଯୋଗ ପରେ ଆକ୍ସନ୍ ମୋଡ୍କୁ ଆସିଛି ପୁରୀ ପୋଲିସ। ଗତ ତିନି ମାସ ମଧ୍ୟରେ ୪୦ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଛି ପୋଲିସ। ଦୁଇ ଦିନ ତଳେ ମଧ୍ୟ ସିଂହଦ୍ୱାର ଥାନା ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସ୍ୱତନ୍ତ୍ର ନଜର ରଖାଯାଇଥିବା କହିଛନ୍ତି ପୁରୀ ଏସ୍ପି।  ନକଲି ଗୁମାସ୍ତାଙ୍କ ଯୋଗୁଁ ଅସଲି ପଣ୍ଡାଙ୍କ ବଦନାମ ହେଉଛି। ଶ୍ରୀମନ୍ଦିରର ଭାବମୂର୍ତ୍ତି ମଧ୍ୟ କ୍ଷୁଣ୍ଣ ହେଉଛି। ତେଣୁ ପରିଚୟପତ୍ର ବ୍ୟବସ୍ଥା ଲାଗୁ ହେଲେ ନକଲି ଗୁମାସ୍ତାଙ୍କୁ ଚିହ୍ନଟ କରିବା ସହ ଭକ୍ତଙ୍କ ଭରସା ଫେରିବ ବୋଲି ଆଶା ରଖିଛନ୍ତି ପରିଚାଳନା କମିଟି ସଦସ୍ୟ।

ଆଗକୁ ଆସୁଛି ପଞ୍ଚୁକ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସିବେ ଲକ୍ଷ ଲକ୍ଷ ଭକ୍ତ। ତେଣୁ ନକଲି ଗୁମାସ୍ତାଙ୍କ ଉପରେ ଅଙ୍କୁଶ ଲଗାଇବାକୁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ଯାଞ୍ଚ କରାଯିବ। ପରିଚୟପତ୍ର ବ୍ୟବସ୍ଥା ଲାଗୁ ହେଲେ ଭକ୍ତଙ୍କ ଶୋଷଣ କମିବା ସହ ଶ୍ରୀମନ୍ଦିରର ଭାବମୂର୍ତ୍ତି ସୁରକ୍ଷିତ ରହିବ ବୋଲି ଆଶା।