ନୂଆଦିଲ୍ଲୀ ୧୭।୧୧; ମୃତ୍ୟୁ ଏମିତି ବି ଆସେ! ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିଲା ବୋଲେରୋ। ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଛଅ ଜଣ ଆହତ ହୋଇଛନ୍ତି। ଗାଡ଼ିରେ ମୋଟ ୧୦ ଜଣ ଯାତ୍ରା କରୁଥିଲେ। ରାତିସାରା ଚାଲିଥିଲା ଉଦ୍ଧାର କାର୍ଯ୍ୟ। ଘଟଣାସ୍ଥଳରେ ପୋଲିସ, SDRF ଓ DDRF ଟିମ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି।

ସୋମବାର ବିଳମ୍ବିତ ରାତିରେ ବାଂସୱାରା-ମୋହନଖାଲ ରାଜପଥରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡ଼ିଥିଲା। ଗାଡ଼ିଟି ପୋଖରୀ ଅଞ୍ଚଳରୁ ରାନସି ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଗାଡ଼ିରେ ପ୍ରାୟ ୧୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାର ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗସ୍ତ୍ୟମୁନି ପୋଲିସ, SDRF ଓ DDRF ଟିମ୍। ୧୦୮ ଆମ୍ବୁଲାନ୍ସ ସହାୟତାରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ।

ରାତିସାରା ଚାଲିଥିଲା ରେସ୍କ୍ୟୁ ଅପରେସନ୍। ଗଭୀର ଖାଇରୁ ମୃତକ ଓ ଆହତଙ୍କୁ ବାହାର କରିଥିଲେ ଉଦ୍ଧାରକାରୀ ଟିମ୍। ହେଲେ ସେତେବେଳକୁ ଚାରି ଜଣଙ୍କ ଜୀବନ ଚାଲିଯାଇଥିଲା। ଅନ୍ୟ ଛଅ ଜଣ ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଆଘାତ ସାମାନ୍ୟ ଥିବା ବେଳେ ଅନ୍ୟ ଚାରି ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ବୋଲେରୋଟି ନିୟନ୍ତ୍ରଣ ହରାଇଲା, ତାହା ଜଣାପଡ଼ିନାହିଁ। ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।