ଭୁବନେଶ୍ୱର ୧୭।୧୧ : ତାମିଲନାଡୁରେ ଅଟକି ରହିଥିବା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ତ୍ୱରିତ ହସ୍ତକ୍ଷେପ ପରେ କଳାହାଣ୍ଡିର ଦିନେଶ ମାଝୀଙ୍କୁ ଉଦ୍ଧାର କରାଯାଇଛି । ଅଧିକ ଦରମାର ପ୍ରଲୋଭନ ଦେଖାଇ ତାଙ୍କୁ ଏକ କମ୍ପାନୀରେ କାମ କରିବାକୁ ପଠାଯାଇଥିଲା । କିନ୍ତୁ ସେଠାରେ କାମ କରିବାକୁ ଅରାଜି ହେବାରୁ ତାଙ୍କୁ ଅଟକ ରଖିବା ସହ ୩୦ ହଜାର ଟଙ୍କା ଦାବି କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ, ଦିନେଶ ନିଜ ଗାଁର ଆଉ ଚାରି ଜଣଙ୍କ ସହ କାମ କରିବାକୁ ତାମିଲନାଡୁର ତିରୁପୁର ଯାଇଥିଲେ । ତେବେ ତିରୁପୁର ଷ୍ଟେସନରେ ପହଞ୍ଚିବା ପରେ ରାଜେଶ ନାମକ ଜଣେ ବ୍ୟକ୍ତି ଅଧିକ ଦରମାର ପ୍ରଲୋଭନ ଦେଖାଇ ଦିଣ୍ଡିଗୁଲ ଜିଲ୍ଲାର ବେଦସନ୍ଦୁର ବ୍ଲକ୍ ଅନ୍ତର୍ଗତ ନାଗମପଟ୍ଟିର ଏକ କମ୍ପାନୀକୁ ପଠାଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀର କାର୍ଯ୍ୟ ପରିବେଶ ଦେଖି କାମ କରିବାକୁ ଅରାଜି ହୋଇଥିଲେ ଦିନେଶ । ଅଭିଯୋଗ ଅନୁସାରେ, ତାଙ୍କୁ ଛାଡ଼ିବା ପାଇଁ କମ୍ପାନୀ ପକ୍ଷରୁ ୩୦ ହଜାର ଟଙ୍କା ଦାବି କରାଯାଇଥିଲା । ଏପରିକି ଧମକ ଦେବା ସହ ତାଙ୍କ ମୋବାଇଲ ଫୋନ୍ ମଧ୍ୟ ନେଇ ନିଆଯାଇଥିଲା । ଅନ୍ୟ ଚାରି ଜଣ ଶ୍ରମିକ ସେଠାରୁ ଖସି ଆସିଥିବାବେଳେ ଦିନେଶ ଅଟକି ରହିଥିଲେ ।

Also Read:-RIଙ୍କୁ ବିରୋଧ କରି ଚର୍ଚ୍ଚାରେ ଥିଲେ ଚାମେଲି, ଏବେ ତିଖିରିରେ ଜବରଦଖଲ ଉଚ୍ଛେଦ

ସେପଟେ ଏନେଇ ଦିନେଶଙ୍କ ପରିବାର ପକ୍ଷରୁ ସହାୟତା ପାଇଁ ଅଭିଯୋଗ କରାଯାଇଥିଲା । ସୋସିଆଲ ମିଡିଆ ଏକ୍ସରେ ମଧ୍ୟ ଏହି ଘଟଣା ସମ୍ପର୍କରେ ପୋଷ୍ଟ କରାଯାଇଥିଲା । ଘଟଣା ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ କଳାହାଣ୍ଡି ଏସ୍ପି, ଓଡ଼ିଶା ପୋଲିସ ଓ ଗୃହ ବିଭାଗ ସହ ଯୋଗାଯୋଗ କରିଥିଲେ । ଦିନେଶଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଶେଷରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ତତ୍ପରତା ଓ ସମନ୍ୱିତ ଉଦ୍ୟମରେ ଦିନେଶଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମନ୍ତ୍ରୀଙ୍କ ତ୍ୱରିତ ହସ୍ତକ୍ଷେପ ଯୋଗୁଁ ଫେରିଛି ପରିବାରର ଆଶ୍ୱସ୍ତି ।