ଭଦ୍ରକ: ଭଦ୍ରକ ଅବକାରୀ ବିଭାଗର ଯାଞ୍ଚ ବେଳେ ବ୍ରାଉନ ସୁଗାର୍ ସହ ଦେଶୀ ମଦ ଜବତ । ୮୩ ଗ୍ରାମ ବ୍ରାଉନ ସୁଗାର ଏବଂ ୧୨୦ ଲିଟର ଦେଶୀ ମଦ ଜବତ କରିବା ସହ ଘଟଣାରେ ୩ ଜଣକୁ ଗିରଫ କରିଛି ଅବକାରୀ ପୋଲିସ।

ସୂଚନା ଅନୁସାରେ, ଅବକାରୀ ନିରୀକ୍ଷକ ମମତା କୁମାରୀ ଦାସଙ୍କ ତତ୍ତ୍ୱାବଧାନରେ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଯାଞ୍ଚ ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଦୀଆ ଛକ ଓ ଗେଲପୁର ମେଡିକାଲ ଛକ ଠାରେ ଚଢ଼ାଉ କରାଯାଇଥିଲା।

Also Read: Vigilance Raid : ବୁର୍ଲା ଭୀମସାର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ

ଚଢ଼ାଉ ବେଳେ ୮୩ ଗ୍ରାମ ବ୍ରାଉନସୁଗାର ଓ ୧୨୦ ଲିଟର ଦେଶୀ ମଦ ସହିତ ଗୋଟିଏ ସ୍କୁଟି ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ମୋଟ ୩ ଜଣ ଆସାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନସୁଗାର ସହ ମଦ ଓ ସ୍କୁଟିର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢ଼ାଉରେ ଏ.ଏସ୍.ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ସୁଦର୍ଶନ ପଲ୍ଲାଇ, ରୁଦ୍ରନାରାୟଣ ଦାସ, ଜେମାମଣୀ ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୩ ଗୋଟି ପୃଥକ ମାମଲା ରୁଜ୍ଜୁ କରାଯାଇଛି।