ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଉପରେ କଡ଼ା ଜବାବ ଦେଇଛନ୍ତି । ସଂସଦରେ ରାହୁଲ ଗାନ୍ଧୀ ବ୍ୟବହାର କରିଥିବା 'ଇଡିଅଟ୍' ଶବ୍ଦକୁ ନେଇ ହଙ୍ଗାମା ହୋଇଥିଲା । ଏହା ଉପରେ ବିତର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଯଦି କେହି ନିଜକୁ ଇଡିଅଟ୍ ବୋଲି ମନେ କରନ୍ତି, ତଥାପି ସେ ସଂସଦ ଭିତରେ ଏହା କହିପାରିବେ ନାହିଁ ।

ଲାଇଭ୍ ହିନ୍ଦୁସ୍ତାନର ରିପୋର୍ଟ ଅନୁଯାୟୀ, ଲୋକସଭାରେ ବିତର୍କ ବେଳେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, "ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ବିରୋଧୀ ଦଳ ନେତାଙ୍କୁ ମୌଳିକ ସଂସଦୀୟ ନିୟମ ବିଷୟରେ ଜ୍ଞାନ ନାହିଁ ।" ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ରାହୁଲ ଗାନ୍ଧୀ ଆଣିଥିବା ଅଭିଯୋଗର ଉତ୍ତର ଦେଇ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଗୁଳି ଚଳାଇବା ପାଇଁ କୌଣସି ମନ୍ତ୍ରୀ ନୁହେଁ, ବରଂ ମାଜିଷ୍ଟ୍ରେଟ୍ ଆଦେଶ ଦିଅନ୍ତି । ଏହାସହ ସ୍ପଷ୍ଟ କରିଥିଲେ, ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଯାଇ ନଥିଲା, କେବଳ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା ।

ସେ ଆହୁରି କହିଥିଲେ, "ଜୁଲାଇ ୨୧ରେ ବିରୋଧୀ ଦଳ ନେତା କ’ଣ ଭାବି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିପଡ଼ିଲେ ଜଣାନାହିଁ । ମୋ ବିଭାଗ ଗବେଷଣା ସହ ଜଡ଼ିତ, ତେଣୁ ଅଧ୍ୟୟନ କଲା ପରେ ଲାଗିଲା ଯେ ଅନେକ ଦିନରୁ ତାଙ୍କୁ ଲାଗୁଥିଲା ଦେଶ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛି ପ୍ରଧାନମନ୍ତ୍ରୀ ବାସଭବନରେ ବସାଇବ । କିନ୍ତୁ ସେହି ଆଶା ପୂରଣ ନହେବାରୁ ନିରାଶ ହୋଇ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଦ୍ୱାରମୁହଁରେ ବସିପଡ଼ିଲେ । ଯେତେବେଳେ ବୁଝାଇବାକୁ ଚେଷ୍ଟା କରାଗଲା ଯେ ଏହା ଆପଣଙ୍କୁ ଶୋଭା ଦେଉନାହିଁ, ସେତେବେଳେ ସେ କହିଲେ ମୋତେ ଉଠାଇ ନିଆଯାଉ । ପୋଲିସକୁ ତାଙ୍କୁ ଅନୁରୋଧ କରିବାକୁ ପଡ଼ିଥିଲା ଯେ ସେଠାରୁ ହଟିଯାଆନ୍ତୁ ।"

ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, "କୌଣସି ଗୁଳି ଚାଳନା କରାଯାଇ ନାହିଁ, କେବଳ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିଲା । ଯେହେତୁ ଗୁଳି ଚାଳନା ହୋଇନାହିଁ, ଆଦେଶ ଦେବାର ପ୍ରଶ୍ନ ହିଁ ଉଠୁନାହିଁ । ଏପରି ଆଦେଶ ଦେବାର ଅଧିକାର ମାଜିଷ୍ଟ୍ରେଟଙ୍କ ପାଖରେ ଥାଏ, ମନ୍ତ୍ରୀଙ୍କ ପାଖରେ ନୁହେଁ ।"

ପେପର ଲିକ୍ ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ଆଲୋଚନାର ଉତ୍ତର ଦେଇ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ୧୨ ଜୁଲାଇରେ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ମଙ୍ଗଳବାର ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି ଏବଂ ଆଜିଠାରୁ ଶୁଣାଣି ଆରମ୍ଭ ହୋଇଛି । ନୂଆ ସଂଶୋଧନ ବିଲ୍ ଲାଗୁ ହେବା ପରେ ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି ସହ ୫ ମାସ ମଧ୍ୟରେ ରାୟ ଆସିଯିବ । ପ୍ରଶ୍ନପତ୍ର ଲିକ୍ ବିରୋଧରେ କଠୋର ଆଇନ ୨୦୨୪ରେ ଲାଗୁ କରାଯାଇଥିଲା ।