ଜେରୁଜେଲମ: ଇସ୍ରାଏଲ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ସହ ପୂର୍ବତନ ପ୍ରତିରକ୍ଷା ମୁଖ୍ୟ ଗାଦି ଆଇଜେନକୋଟଙ୍କୁ ସରକାର ଗଢିବା ଲାଗି ଜରୁରି ସଂସଦୀୟ ସମର୍ଥନ ମିଳିଯାଇଛି। ରାଷ୍ଟ୍ରପତି ଆଇଜ୍ୟାକ୍ ହର୍ଜୋଗଙ୍କ ସହ ବିଚାରବିମର୍ଷ ପରେ ଆଇଜେନକୋଟଙ୍କୁ ୧୨୦ ସଦସୀୟ ନେସେଟ୍ ରେ ୬୭ଟି ଭୋଟ ମିଳିଛି, ଯାହା ୬୧ ଆସନର ସଂଖ୍ୟାଗରିଷ୍ଠ ମତଠାରୁ ମଧ୍ୟ ଅଧିକ । ଏହା ସେତେବେଳେ ସମ୍ଭବ ହେଲା ଯେତେବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଦକ୍ଷିଣ-ପନ୍ଥୀ ଗ୍ରୁପର ସମର୍ଥନ ହ୍ରାସ ହୋଇ ୪୬ ସିଟ୍ କୁ ଖସି ଆସିଲା ଓ ୟୁନାଇଟେଡ ଟୋରା ଜୁଦାଇଜିମ (ୟୁଟିଜେ) ପାର୍ଟି ଭୋଟିଂରୁ ନିଜକୁ ଦୂରେଇ ନେଲା।

୬୭ ଆସନ ସହିତ ଆଇଜେନକୋଟଙ୍କୁ ସମର୍ଥନ କରୁଥିବା ଦଳଗୁଡିକ ମଧ୍ୟରେ ସର୍ବସମ୍ମତିକ୍ରମେ ତାଙ୍କୁ ସୁପାରିଶ କରିଥିବା ଆରବ ନେତୃତ୍ୱାଧୀନ ଜଏଣ୍ଟ ଲିଷ୍ଟ, ପୂର୍ବରୁ ତାଙ୍କୁ ସମର୍ଥନ କରିଥିବା ବିରୋଧୀ ଦଳ ଓ ଆରବ ରା’ଆମ ପାର୍ଟି ମଧ୍ୟ ଅନ୍ତର୍ଭୁକ୍ତ। ନୀତିଗତ ପାର୍ଥକ୍ୟ ଯୋଗୁ ଯଦିଓ ଜଏଣ୍ଟ ଲିଷ୍ଟ ଆଇଜେନକୋଟଙ୍କ ମେଣ୍ଟରେ ଯୋଗ ଦେବ ନାହିଁ, ତେବେ ନେତନ୍ୟାହୁ ଯେପରି ଦ୍ୱିତୀୟବାର କ୍ଷମତାକୁ ଫେରି ନ ପାରନ୍ତି ତାଙ୍କୁ ରୋକିବା ପାଇଁ ଜନତାଙ୍କ ଦୃଢ ଦାବିକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛି ବୋଲି ଜୋର ଦେଇ କହିଛି।

ସେପଟେ ଭୋଟଦାନରୁ ଦୂରେଇ ରହିବା ଲାଗି ଅଲଟ୍ରା-ଅର୍ଥଡକ୍ସ ୟୁଟିଜେର ନିଷ୍ପତ୍ତି ନେତନ୍ୟାହୁଙ୍କ ସହିତ ଦୀର୍ଘ ସମୟରୁ ଚଳି ଆସୁଥିବା ମେଣ୍ଟରେ ଏକ ବଡ଼ ଫାଟ ଭାବେ ଏବେ ଦେଖା ଯାଉଛି। ତେବେ ଆଧ୍ୟାତ୍ମିକ ଦିଶାନିର୍ଦ୍ଦେଶ ଓ ୟେସିବା ଷ୍ଟୁଡେଣ୍ଟସଙ୍କୁ ମିଲେଟ୍ରି ସର୍ଭିସରୁ ଛାଡ ପ୍ରଦାନ କରୁଥିବା ଆଇନ ଗୃହୀତ କରିବାରେ ନେତନ୍ୟାହୁଙ୍କ ବିଫଳତା ଯୋଗୁ ବଢୁଥିବା ହତାସା କାରଣରୁ ୟୁଟିଜେ ଭୋଟ ଦାନରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ୟୁଟିଜେ ପ୍ରତିନିଧିମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଭବିଷ୍ୟତରେ ଯେ କୌଣସି ସରକାରଙ୍କ ଲାଗି ସେମାନଙ୍କ ସମର୍ଥନ ଏହି ଛାଡଗୁଡିକୁ ନିଶ୍ଚିତ କରିବା ଉପରେ ନିର୍ଭରଶୀଳ।

ଯଦିଓ ଆଇଜେନକୋଟଙ୍କ ପାଖରେ ଏକ ଶକ୍ତିଶାଳୀ ଗାଣିତିକ ସୁବିଧା ଅଛି ତଥାପି ଏକ କାର୍ଯ୍ୟକାରୀ ମନ୍ତ୍ରୀମଣ୍ଡଳ ଗଠନ କରିବା ପାଇଁ ଜଟିଳ ରାଜନୈତିକ ଗତିବିଦ୍ଧିକୁ ବୁଝିବାକୁ ପଡିବ। କାରଣ ଜଏଣ୍ଟ ଲିଷ୍ଟ ମେଣ୍ଟରେ ଭାଗ ହେବା ବଦଳେ ସରକାରଙ୍କୁ ବାହାରୁ ସମର୍ଥନ ଦେଉଛି। ଆଶା କରାଯାଉଛି ରାଷ୍ଟ୍ରପତି ଆଇଜାକ ହର୍ଜୋଗ ଔପଚାରିକ ରୂପେ ଆଇଜନକୋଟଙ୍କୁ ସରକାର ଗଢିବାର କାମ ସମର୍ପି ପାରନ୍ତି।