ମାଞ୍ଚେଷ୍ଟର: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଶନିବାର (୪ ଜୁଲାଇ) ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡ ପଡ଼ିଆରେ ଖେଳାଯାଉଛି। ଆଜିର ମ୍ୟାଚରେ ଭାରତ ଟସ୍ ଜିତି ଇଂଲଣ୍ଡକୁ ୧୯୧ ରନର ଟାର୍ଗେଟ ଦେଇଛି। ଭାରତ ପକ୍ଷରୁ ଇସାନ କିଶନ ଓ ଅଭିଷେକ ଶର୍ମା ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଅଭିଷେକ ୨୪ ବଲ୍ରେ ୪୩ ରନ୍ କରିଥିବା ବେଳେ ଇଶାନ କିଶନ ୪୦ ବଲ୍ରେ ୪୯ ରନ କରିଛନ୍ତି। ସେହିପରି ଇଂଲଣ୍ଡ ପକ୍ଷରୁ ସାମ କରନ ସର୍ବାଧି ୩ ୱିକେଟ୍ ନେଇ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି।
ଚେଷ୍ଟର-ଲେ-ଷ୍ଟ୍ରିଟରେ ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଡ୍ର ହେବା ପରେ ଆଜି ଦ୍ୱିତୀୟ ଫାଇଟ୍ ହେଉଛି। ଆଜିର ମ୍ୟାଚ୍ରେ ଭାରତୀୟ କ୍ୟାପ୍ଟେନ୍ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।ଦଳ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମା ଇନିଂସ ଓପନ କରିଥିଲେ। ଇଂଲଣ୍ଡ ପକ୍ଷରୁ ପ୍ରଥମେ ବୋଲିଂ କରିବାକୁ ଆସିଥିଲେ ଜୋଶ୍ ଟଙ୍ଗ। ଅଭିଷେକ ପ୍ରଥମ ଦୁଇଟି ବଲ ଖେଳିବା ପରେ ଡେବ୍ୟୁଟାଣ୍ଟ ବୈଭବ ତୃତୀୟ ବଲରେ ଜୋଶ୍ ଟଙ୍ଗଙ୍କ ବଲକୁ ସ୍କୋୟାର ଲେଗ୍ ଆଡକୁ ଖେଳି ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ରନ୍ ସଂଗ୍ରହ କରିଥିଲେ।

ଆଜିର ମ୍ୟାଚରେ ବୈଭବ ଯଦିଓ ଦୁଇଟା ଛକା ମାରିଛନ୍ତି, ତଥାପି ସେ ପଡ଼଼ିଆରେ ବେଶି ସମୟ ତିଷ୍ଠି ରହିପାରି ନଥିଲେ। ବୈଭବ ଜୋଫ୍ରା ଆର୍ଚରଙ୍କ ପ୍ରଥମ ବଲରେ ଏକ ଛକା ମାରିଥିଲେ। ଏହାପରେ ଜୋଶ୍ ଟଙ୍ଗଙ୍କ ପରବର୍ତ୍ତି ଓଭରରେ ମଧ୍ୟ ସେ ଏକ ଛକା ମାରିଥିଲେ। ହେଲେ ୱିଲ୍ ଜ୍ୟାକ୍ସଙ୍କ ବଲରେ ଜୋସ୍ ବଟଲରଙ୍କ ଦ୍ୱାରା ଷ୍ଟମ୍ପଆଉଟ୍ ହୋଇ ପାଭିଲିଅନ ଫେରିଥିଲେ ବୈଭବ।

ଆଜିର ମ୍ୟାଚ୍ରେବୈଭବ ସୂର୍ଯ୍ୟବଂଶୀ ୧୦ଟି ବଲରୁ ୧୪ ରନ ସଂଗ୍ରହ କରିଥିଲେ। ଏଥିରେ ସେ ଦୁଇଟି ଛକା ମାରିଥିଲେ। ବୈଭବ ଏବଂ ଅଭିଷେକ ଶର୍ମା ପ୍ରଥମ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡ଼ିଥିଲେ। ବୈଭବଙ୍କ ଆଉଟ୍ ହେବା ପରେ ଭାରତ ଚମତ୍କାର ବ୍ୟାଟିଂ କରୁଥିବା ଅଭିଷେକ ଶର୍ମାଙ୍କୁ ହରାଇଥିଲା। ଅଭିଷେକ ୨୪ ବଲରୁ ୮ଟି ଚୌକା ଏବଂ ଗୋଟିଏ ଛକା ମାରି ୪୩ ରନ ସଂଗ୍ରହ କରିଥିଲେ। ଅଭିଷେକଙ୍କୁ ସାମ୍ କରନ୍ ଆଉଟ୍ କରିଥିଲେ।

ଏହାପରେ ଶ୍ରେୟସ ଆୟର ଏବଂ ଇଶାନ କିଶାନ ତୃତୀୟ ୱିକେଟ ପାଇଁ ୬୫ ରନ ଯୋଡିଥିଲେ। ଲିଆମ ଡସନ ଶ୍ରେୟସ ଆୟରଙ୍କୁ ଆଉଟ କରି ଏହି ପାର୍ଟନର୍ସିପ ଭାଙ୍ଗିଥିଲେ। ଶ୍ରେୟସ ୨୨ ବଲରୁ ୩ ଚୌକା ଏବଂ ୧ ଛକା ମାରି ୩୭ ରନ କରିଥିଲେ। ତା'ପରେ ସାମ୍ କରନ ଶିବମ ଦୁବେ ଏବଂ ଇଶାନ କିଶାନଙ୍କୁ ଆଉଟ କରିଥିଲେ। ଇଶାନ ୪୦ ବଲରୁ ୪୯ ରନ ଯୋଗଦାନ ଦେଇଥିଲେ। ସେ ୬ଟି ଚୌକା ମାରିଥିଲ। ସେହିପରି ଶିବମ ଦୁବେ ମାତ୍ର ୫ ରନ କରି ଆଉଟ୍ ହୋଇଥିଲେ। ସେହିପରି ତିଲକ ବର୍ମା ୧୧ ବଲରେ ୨୪ ରନ୍‌ର ଯୋଗଦାନ ଦେଇଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୯୦ ରନ୍ କରିପାରିଥିଲା।
ଇଂଲଣ୍ଡର ବୋଲିଂ
ଇଂଲଣ୍ଡ ପକ୍ଷରୁ ସାମ କରନ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭର କରି ୩୩ ରନ୍ ଦେଇଥିବା ବେଳେ ସର୍ବାଧିକ ୩ଟି ୱିକେଟ୍ ନେଇଥଲେ। ସେହିପରି ଜୋପ୍ରା ଆର୍ଚର, ୱିଲ ଜ୍ୟାକ୍ସ ଓ ଲିଆମ ଦୋସନ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। 
ସୂଚନା ଥାଉକି, ଭାରତ ଏବଂ ଇଂଲଣ୍ଡ ଏପର୍ଯ୍ୟନ୍ତ ୩୧ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେଥିରେ ଭାରତୀୟ ଦଳ ୧୮ ଟି ମ୍ୟାଚ୍ ଜିତିଛି, ଯେତେବେଳେ ଇଂଲଣ୍ଡ ଜିତିଛି ମାତ୍ର ୧୨ଟି।  ଗୋଟିଏ ମ୍ୟାଚ୍ ଡ୍ର ମଧ୍ୟ ହୋଇଥିଲା। ତେଣୁ ପରିସଂଖ୍ୟାନ ଦେଖିଲେ ଇଂଲଣ୍ଡ ବିପକ୍ଷରେ ଭାରତର ପକ୍ଷ ଭାରି ରହିଛି। 

ବୈଭବଙ୍କ ବିରଳ ରେକର୍ଡ

ଆଜିର ମ୍ୟାଚରେ ବୈଭବ ଡେବ୍ୟୁ କରି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଭାରତର ସର୍ବକନିଷ୍ଠ କ୍ରକେଟର ଭାବେ ସେ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାଁରେ ଥିଲା। କାରଣ ସଚିନ ୧୬ ବର୍ଷ ୨୦୫ ଦିନରେ ବୟସରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ହେଲେବୈଭବ ମାତ୍ର ୧୫ ବର୍ଷ ୯୯ ଦିନ ବୟସରେ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି। ଆଇପିଏଲରେ ୨୦୨୬ରେ ବିସ୍ଫୋରକ ଇନିଂସ୍ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବୈଭବଙ୍କର ପ୍ରଥମ ଅନ୍ତର୍ଜାତୀୟ ଡେବ୍ୟୁ କେମିତି ହେବ ସେ ନେଇ ସମସ୍ତଙ୍କର ଉତ୍କଣ୍ଠା ରହିଥିଲା। ହେଲେ ପ୍ରଥମ ଡେବ୍ୟୁରେ ବୈଭବ ସେତେଟା କମାଲ କରିପାରି ନାହାନ୍ତି। ମାତ୍ର ୧୦ ବଲରେ ୧୪ ରନ୍ କରି ସେ ଆଉଟ୍ ହୋଇଛନ୍ତି। ତେବେ ଏହି ୧୪ ରନ୍ ଭିତରେ ଜବରଦସ୍ତ ଛକ୍କା ଲଗାଇଥିଲେ ବୈଭବ।