ଇଂଲଣ୍ଡ: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ ସିନିୟର କ୍ରିକେଟ୍ ଦଳରେ ଡେବ୍ୟୁ କରିବାର ସୁଯୋଗ ପାଇଲେ ବୈଭବ ସୂର୍ଯ୍ୟବଂଶୀ । ଏହା ସହ ସେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । ଭାରତୀୟ ପୁରୁଷ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ମାତ୍ର ୧୫ ବର୍ଷ ୯୯ ଦିନ ବୟସରେ ଯୁବ ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଭାରତର ସିନିୟର ଜାତୀୟ କ୍ରିକେଟ୍ ଦଳ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି। 

ସଚିନଙ୍କ ରେକର୍ଡ ଭାଙ୍ଗିଲେ ବୈଭବ
ଭାରତ ପାଇଁ ସବୁଠାରୁ କମ୍ ବୟସରେ ସିନିୟର ଦଳରେ ମ୍ୟାଚ୍ ଖେଳିବାର ରେକର୍ଡ ପୂର୍ବରୁ 'କ୍ରିକେଟର ଭଗବାନ' କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସଚିନ ୧୬ ବର୍ଷ ୨୦୫ ଦିନ ବୟସରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ବୈଭବ ସୂର୍ଯ୍ୟବଂଶୀ ସେହି ବୟସ ସୀମାକୁ ବହୁ ପଛରେ ପକାଇ ଭାରତର ସର୍ବକନିଷ୍ଠ ପୁରୁଷ କ୍ରିକେଟର ଭାବେ ଡେବ୍ୟୁ କରିଛନ୍ତି।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସୁଯୋଗ
ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରାଯାଇଛି। ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କ ସ୍ଥାନରେ ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ କରାଯାଇଛି। ବୈଭବଙ୍କ ଏହି ଅବିଶ୍ୱସନୀୟ ସଫଳତା ସାରା ଦେଶରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି।