ସୋର ୮।୯: ହଷ୍ଟେଲ ରୁମ୍ରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର । ଏ ନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ।

ବାଲେଶ୍ୱର ଜିଲ୍ଲା ଶେରଗଡ଼ ସ୍ଥିତ ବିସିଇଟି ଇଞ୍ଜିନିୟରିଂ କଲେଜରେ ଅଘଟଣ । କଲେଜର ଦ୍ୱିତୀୟ ବର୍ଷ ବି-ଟେକ୍ ଛାତ୍ରୀ ଭାଗ୍ୟଶ୍ରୀ ରାଉତଙ୍କ ହଷ୍ଟେଲ ରୁମ୍ରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ହେଉଛନ୍ତି ସୋର ଗୋପୀନାଥପୁର ଗ୍ରାମର । ପରିବାରର ଅଭିଯୋଗ ଅନୁସାରେ, ସୋମବାର ସନ୍ଧ୍ୟାରେ କଲେଜ ପକ୍ଷରୁ ଫୋନ୍ କରି ଛାତ୍ରୀଙ୍କ ହଷ୍ଟେଲ ରୁମ୍ ଖୋଲୁନଥିବା ନେଇ ସୂଚନା ଦିଆଯାଇଥିଲା । ଖବର ପାଇ ପରିବାର ଲୋକେ ହଷ୍ଟେଲରେ ପହଞ୍ଚିଥିଲେ । ପରିବାର ପକ୍ଷରୁ ରୁମ୍ର କବାଟ ଭାଙ୍ଗି ଖୋଲିବାକୁ କୁହାଯାଇଥିବା ବେଳେ, କବାଟ ଖୋଲାଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Also Read:- ଓଡ଼ିଶା ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଠାବ, ପାଟ୍ରୋଲିଂ ବେଳେ ଧରିଲା ବନବିଭାଗ

ପରିବାର ଲୋକେ କହିଛନ୍ତି, ଗତ ମଙ୍ଗଳବାର ଛାତ୍ରୀ ଜଣଙ୍କ ଘରୁ ସମ୍ପୂର୍ଣ୍ଣ ସୁସ୍ଥ ଓ ଭଲ ଥିବା ଅବସ୍ଥାରେ କଲେଜ ଯାଇଥିଲେ । ଏପରିକି ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ ମାଆଙ୍କ ସହ ତାଙ୍କର ଫୋନ୍‌ରେ କଥାବାର୍ତ୍ତା ମଧ୍ୟ ହୋଇଥିଲା । ତେବେ ହଠାତ୍ ଝିଅର ମୃତଦେହ ହଷ୍ଟେଲରୁ ଉଦ୍ଧାର ହେବା ଘଟଣାକୁ ପରିବାର ଲୋକ ଗ୍ରହଣ କରିପାରୁନାହାନ୍ତି । ଛାତ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ଖନ୍ତାପଡ଼ା ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଘଟଣାର ପ୍ରକୃତ କାରଣ କ'ଣ, ଏହା ଆତ୍ମହତ୍ୟା ନା ହତ୍ୟା—ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତରୁ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ।

Watch Video: