ନୂଆଦିଲ୍ଲୀ ୧୦।୦୯:ଲକ୍ଷ୍ନୌର ବାସିନ୍ଦା ଶାରଦେନ୍ଦୁ ତିୱାରୀଙ୍କ ପାଖରେ ଥିଲା ଏକ ଚମତ୍କାର କର୍ପୋରେଟ୍ କ୍ୟାରିଅରର ସୁଯୋଗ। ୨୭ ବର୍ଷ ବୟସରେ ସେ ଆମାଜନ୍ରେ ଲୋଭନୀୟ ଚାକିରି ପାଇଥିଲେ। ପରେ ଏୟାରବସ୍ ଭଳି ପ୍ରତିଷ୍ଠିତ କମ୍ପାନୀରେ କାମ କରିବାର ସୁଯୋଗ ମଧ୍ୟ ତାଙ୍କ ହାତକୁ ଆସିଥିଲା। ବାର୍ଷିକ ୪୬ ଲକ୍ଷ ଟଙ୍କାର ପ୍ୟାକେଜ୍ ସହ ତାଙ୍କ କ୍ୟାରିଅର ଦ୍ରୁତ ଗତିରେ ଆଗକୁ ବଢ଼ୁଥିଲା। କିନ୍ତୁ ମୋଟା ଅଙ୍କର ଦରମା ଓ ନିରାପଦ କର୍ପୋରେଟ୍ ଜୀବନ ତାଙ୍କ ପିଲାଦିନର ସ୍ୱପ୍ନକୁ ଦୁର୍ବଳ କରିପାରିଲା ନାହିଁ। ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା-ଭାରତୀୟ ସେନାରେ ଯୋଗଦେଇ ଦେଶସେବା କରିବା।

ଶାରଦେନ୍ଦୁଙ୍କ ଏହି ସ୍ୱପ୍ନ ପଛରେ ତାଙ୍କ ପରିବାରର ମଧ୍ୟ ଏକ ବଡ଼ ଭୂମିକା ରହିଛି। ତାଙ୍କ ବାପା କ୍ୟାପ୍ଟେନ୍ ରାଜ କୁମାର ତିୱାରୀ ଭାରତୀୟ ସେନାରେ ଦୀର୍ଘ ୩୬ ବର୍ଷ ସେବା କରିଥିଲେ। ସେନା ୟୁନିଫର୍ମରେ ବାପାଙ୍କୁ ଦେଖି ବଡ଼ ହୋଇଥିବା ଶାରଦେନ୍ଦୁଙ୍କ ମନରେ ମଧ୍ୟ ପିଲାଦିନରୁ ସେନାରେ ଯୋଗଦେବାର ଇଚ୍ଛା ଜନ୍ମ ନେଇଥିଲା। ଶିକ୍ଷା କ୍ଷେତ୍ରରେ ମଧ୍ୟ ଶାରଦେନ୍ଦୁଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। କେନ୍ଦ୍ରୀୟ ବିଦ୍ୟାଳୟରୁ ପାଠପଢ଼ା ଶେଷ କରିବା ପରେ ସେ ପିଇସି ଚଣ୍ଡିଗଡ଼ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ପ୍ରଯୁକ୍ତି କ୍ଷେତ୍ରରେ ନିଜର ଏକ ସଫଳ କ୍ୟାରିଅର ଗଢ଼ିଥିଲେ। ଆମାଜନ ସେ କ୍ଲାଉଡ୍ ଇଞ୍ଜିନିୟର ଭାବେ କାମ କରୁଥିଲେ। ଏହାପରେ ଏୟାରବସ୍ ମଧ୍ୟ ତାଙ୍କୁ ଚୟନ କରିଥିଲା।

ଏତେ ସଫଳତା ସତ୍ତ୍ୱେ ଶାରଦେନ୍ଦୁ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ବାର୍ଷିକ ୪୬ ଲକ୍ଷ ଟଙ୍କାର ଲୋଭନୀୟ ପ୍ୟାକେଜ୍ ଓ କର୍ପୋରେଟ୍ ଜଗତର ସୁରକ୍ଷିତ ଭବିଷ୍ୟତକୁ ପଛରେ ପକାଇ ସେ ଦେଶସେବାର ରାସ୍ତା ବାଛିଥିଲେ। ଅନୁଶାସନ, ସମର୍ପଣ ଓ ତ୍ୟାଗର ଏହି ପଥ ତାଙ୍କ ପାଇଁ ସହଜ ନଥିଲା। ତଥାପି ୟୁନିଫର୍ମ ପିନ୍ଧି ଦେଶ ପାଇଁ କାମ କରିବାର ଇଚ୍ଛା ତାଙ୍କୁ ନିଜ ନିଷ୍ପତ୍ତିରେ ଅଟଳ ରଖିଥିଲା।

ଆଜି ଶାରଦେନ୍ଦୁ ଗୟାସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରେ ଭାରତୀୟ ସେନା ଅଧିକାରୀ ଭାବେ ନିଜର ନୂଆ ଯାତ୍ରା ଆରମ୍ଭ କରିଛନ୍ତି। ଏହା କେବଳ ଏକ କ୍ୟାରିଅର ପରିବର୍ତ୍ତନ ନୁହେଁ, ବରଂ ପିଲାଦିନରୁ ଦେଖିଥିବା ଏକ ସ୍ୱପ୍ନର ସାକାର ରୂପ। ବାପାଙ୍କ ପଦାଙ୍କ ଅନୁସରଣ କରି ଶାରଦେନ୍ଦୁ ଏବେ ଦେଶସେବାର ମାର୍ଗରେ ଆଗକୁ ବଢ଼ୁଛନ୍ତି। ତାଙ୍କ କାହାଣୀ ପ୍ରମାଣ କରେ ଯେ, ସଫଳତା କେବଳ ମୋଟା ଦରମା କିମ୍ବା ଆକର୍ଷଣୀୟ ଚାକିରିରେ ନୁହେଁ; ନିଜ ସ୍ୱପ୍ନ ଓ ଲକ୍ଷ୍ୟକୁ ପୂରଣ କରିବାରେ ମଧ୍ୟ ପ୍ରକୃତ ସଫଳତା ଲୁଚି ରହିଛି।