ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ କାରୁମୁରୀ ନାଗେଶ୍ୱର ରାଓଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଆନ୍ଧ୍ରପ୍ରଦେଶ ଷ୍ଟେଟ୍ ବେଭରେଜେସ୍ କୋର୍ପୋରେସନ୍ ଲିମିଟେଡର ମଦ ଟେଣ୍ଡରରେ ହୋଇଥିବା ଅନିୟମିତତା ଏବଂ ବେଆଇନ ଅର୍ଥ କାରବାର ମାମଲାରେ ଏହି ଗିରଫଦାରୀ ହୋଇଛି।

ହାଇଦ୍ରାବାଦରୁ ଗିରଫ
ଇଡି (ED) ଟିମ୍ ହାଇଦ୍ରାବାଦର କୋଣ୍ଡାପୁର ଅଞ୍ଚଳରୁ ନାଗେଶ୍ୱର ରାଓଙ୍କୁ ଗିରଫ କରିଛି । ପୂର୍ବରୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଗିରଫ ପରେ ତାଙ୍କୁ ହାଇଦ୍ରାବାଦର ବଶୀରବାଗସ୍ଥିତ ଇଡି କାର୍ଯ୍ୟାଳୟକୁ ନିଆଯାଇଛି।

ଘଟଣା କ’ଣ ?
ରାଜ୍ୟ ଭିଜିଲାନ୍ସ ରିପୋର୍ଟ ଆଧାରରେ ଆନ୍ଧ୍ରପ୍ରଦେଶ ସିଆଇଡି ଦ୍ୱାରା ଦାୟର FIR କୁ ଭିତ୍ତି କରି ଇଡି ‘ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ’ (PMLA) ଅଧୀନରେ ଏହି ମାମଲା ରୁଜୁ କରିଥିଲା। ପୂର୍ବ ସରକାର ସମୟରେ ମଦ ପରିବହନ କଣ୍ଟ୍ରାକ୍ଟରେ ଗୋଳମାଳ କରିବା ଏବଂ ସବ୍-କଣ୍ଟ୍ରାକ୍ଟିଂ ମାଧ୍ୟମରେ ଟଙ୍କା ହେରଫେର କରିଥିବା ଅଭିଯୋଗ ଉପରେ ଏବେ ଇଡି ଅଧିକ ତଦନ୍ତ କରୁଛି।