ନୂଆଦିଲ୍ଲୀ: ଦେବାଳିଆ ମାମଲାକୁ ନେଇ ନ୍ୟାସନାଲ ଲ ଆପିଲେଟ୍ ଟ୍ରିବ୍ୟୁନାଲ (ଏନସିଏଲଏଟି) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏନସିଏଲଏଟି କହିଛନ୍ତି ଯେ ଯଦି କୌଣସି ନିୟୋକ୍ତା ଅର୍ଥାତ କମ୍ପାନୀ ନିଜ କର୍ମଚାରୀଙ୍କ ନିମନ୍ତେ ପୃଥକ ପିଏଫ ଓ ଗ୍ରାଚ୍ୟୁଟି ଫଣ୍ଡ ମେଣ୍ଟେନ ନ କରୁଛନ୍ତି, ତଥାପି କମ୍ପାନୀ ଦେବାଳିଆ ହେଲେ ଅଥବା ବନ୍ଦ ହୋଇଗଲେ କର୍ମଚାରୀଙ୍କୁ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଓ ଗ୍ରାଚ୍ୟୁଟିର ପୁରା ପଇସା ମିଳିବ। ଏନସିଏଲଏଟି ଜେଟ୍ ଏୟାରୱେଜର ଶତାଧିକ ପୂର୍ବତନ କର୍ମଚାରୀଙ୍କ ଏହି ବକେୟାକୁ ଏୟାରଲାଇନ ଲିକ୍ୱିଡେସନ ଏଷ୍ଟେଟ (ସମ୍ପତ୍ତି)ରୁ ଅଲଗା ପାଇବାର ଅଧିକାରକୁ ସୁରକ୍ଷିତ ରଖି ଏସବିଆଇ ଓ ଅନ୍ୟ ଫାଇନାନସିଆଲ କ୍ରେଡିଟର୍ସଙ୍କ ଅପିଲକୁ ଖାରଜ କରିଦେଇଛନ୍ତି।

ଏନସିଏଲଏଟି କହିଛନ୍ତି ଯେ କର୍ମଚାରୀ ତାଙ୍କର ସମ୍ପୂର୍ଣ୍ଣ ପ୍ରୋଭିଡେଣ୍ଟ ଫଣ୍ଡ ଓ ଗ୍ରାଚ୍ୟୁଟି ପାଇବାକୁ ହକଦାର। ଏହି ବୈଧାନିକ ବକେୟାକୁ କମ୍ପାନୀର ପରିସମାପନ ସମ୍ପତ୍ତିର ଅଂଶ ମନେ କରାଯିବ ନାହିଁ ଓ କର୍ମଚାରୀଙ୍କୁ ତାହା ପୈଠ କରିବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ ଏହି ବିବାଦ ନଭେମ୍ବର ୨୦୨୪ରେ ଆରମ୍ଭ ହୋଇଥିଲା ଯେତେବେଳେ ଜଲାନ ଫ୍ରିଟ୍ସ କନସୋର୍ଟିୟମର ରେଜ୍ୟୁଲେସନ ପ୍ଲାନ ଫେଲ ହେବା ପରେ ଜେଟ୍ ଏୟାରୱେଜ ଲିକ୍ୱିଡେସନକୁ ଚାଲିଯାଇଥିଲା।

ଏଥିରେ କାମ କରୁଥିବା କର୍ମଚାରୀଙ୍କ ତର୍କ ଥିଲା ଯେ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଓ ଗ୍ରାଚ୍ୟୁଟି ବକେୟା ଇନସଲଭାନ୍ସୀ ଆଣ୍ଡ ବ୍ୟାଙ୍କରପସୀ କୋଡ (ଆଇବିସି)ର ଧାରା ୩୬(୪) (ଏ)(iii) ଅନୁସାରେ ଲିକ୍ୱିଡେସନ ଏଷ୍ଟେଟର ଅଂଶ ହେବା ଉଚିତ ନୁହେଁ। ତେବେ ଲେଣ୍ଡର୍ସଙ୍କ କହିବା କଥା ଥିଲା ଯେ ଏଭଳି ସୁରକ୍ଷା ସେତେବେଳେ ଲାଗୁ ହୁଏ ଯେତେବେଳେ ଲିକ୍ୱିଡେସନ ଆରମ୍ଭ ହେବା ତାରିଖରେ ପ୍ରୋଭିଡେଣ୍ଟ ଫଣ୍ଡ ଓ ଗ୍ରାଚ୍ୟୁଟି ଫଣ୍ଡ ମହଜୁଦ ଥାଏ। ତେବେ ଏନସିଏଲଏଟି ଲେଣ୍ଡର୍ସଙ୍କ ତର୍କ ଖରାଜ କରି ଫେବୃଆରୀ ମାସର ସେହି ଆଦେଶକୁ କାୟମ ରଖିଥିଲେ ଯେଉଁଥିରେ ଲିକ୍ୱିଡେଟରଙ୍କୁ ଲିକ୍ୱିଡେସନ ଏଷ୍ଟେଟରୁ ବାହାରେ ଥିବା ବକେୟାର ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ଏନସିଏଲଏଟି କର୍ମଚାରୀଙ୍କ ସେହି ଦାବି କୁ ଅସ୍ୱୀକାର କରିଦେଇଛନ୍ତି ଯେଉଁଥିରେ ଜାନୁୟାରୀରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ବେତନ ବକେୟା ଲାଗି ଡେପୁଟି ଲେବର କମିଶନରଙ୍କ ଦ୍ୱାରା ଜାରି ରିକୋଭରି ସାର୍ଟିଫିକେଟକୁ ଲିକ୍ୱିଡେସନ ଏଷ୍ଟେଟରୁ ବାହାରେ ରଖିବାକୁ କୁହାଯାଇଥିଲା। ଏନସିଏଲଏଟି କହିଛନ୍ତି ଯେ କର୍ମଚାରୀଙ୍କ ଏହି ବେତନ ବକେୟା ଦାବିକୁ ବକେୟା ଉପରେ ଲାଗୁ ହେଉଥିବା ୱାଟରଫଲ ମେକେନିଜିମରେ ସମାଧାନ କରାଯିବା ଦରକାର।