ଭୁବନେଶ୍ଵର: ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ଵରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି । ଏହି ଗସ୍ତ ସମୟରେ ସେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ସଭାପତି ଓ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସହିତ ବିସ୍ତାର ଭାବରେ ଆଲୋଚନା କରିଛନ୍ତି। ସେପଟେ ଶାସକ ଦଳରେ କୈଣସି ରଣନୀତି ଆଗାମୀ ନିର୍ବାଚନରେ କାମ ଦେବ ନାହିଁ ବୋଲି କହିଛନ୍ତି ବିରୋଧି ।

ପ୍ରସ୍ତୁତ ହେଲା ଖସଡା । ଗ୍ରାଉଣ୍ଡରେ କାର୍ଯ୍ୟକାରୀ ପାଇଁ ଦେଲେ ମନ୍ତ୍ର । ବତାଇଲେ ପଞ୍ଚାୟତ ଦଖଲ ଫର୍ମୁଲା। ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସମୟରେ ଏମିତି କିଛି ବଡ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଗତକାଲି ଦଳୀୟ ପଦାଧିକାରୀଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିବା ପରେ ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଦଳୀୟ ପ୍ରଭାରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ତମାମ ପଦାଧିକାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ପ୍ରଭାରୀ ।

Also Read: ପଞ୍ଚାୟତ ନିର୍ବାଚନକୁ ନେଇ ତିନି ଦଳର କାଦୁଅ ଫିଙ୍ଗା, ବିଜେପି ପ୍ରସ୍ତୁତ ନ ଥିବା କହିଲା ବିଜେଡି-କଂଗ୍ରେସ

ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ବିରୋଧିଙ୍କୁ କେମିତି ଚେକ୍ ଦେଇ ହେବ ତାକୁ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏମିତି କି ବର୍ତ୍ତମାନ ଦଳର ସ୍ଥିତି କଣ ରହିଛି, କେଉଁଠି ଦଳ ସୁଦୃଢ ରହିଛି, କେଉଁଠି ଦଳକୁ ଅଧିକ ଶକ୍ତିଶାଳୀ ହେବାକୁ ପଡିବ ସେ ବାବଦରେ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ବିରୋଧିଙ୍କ ରଣନୀତିକୁ କେମିତି କାଉଣ୍ଟର କରାଯିବ ସେ ବାବଦରେ ମଧ୍ୟ ସେ କର୍ଣ୍ଣମନ୍ତ୍ର ଦେଇଛନ୍ତି।

ସେପଟେ ବିଜେପିକୁ ସବୁବେଳେ ଅଚାନକ କ୍ଷମତାକୁ ଆସିଯାଇଥିବା ଦଳ ଭାବୁଥିବା ବିରୋଧୀ ପଞ୍ଚାୟତ ନିର୍ବାଚନରେ ମାତ ଦେବା ଅପେକ୍ଷାରେ ରହିଛନ୍ତି। ଏଥିପାଇଁ ଜୋରଦାର ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି। ବିଜେଡି ମାସେ ବ୍ୟାପି ପଦଯାତ୍ରା କରି ଗାଁ-ଗାଁରେ ପହଞ୍ଚିବାକୁ ବଳ ଲଗାଇଛି । ଏମିତି ବିଜେଡି ସବୁବେଳେ ଗ୍ରାଉଣ୍ଡରେ ରହେ କହି ଶାସକ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି ଦଳୀୟ ବିଧାୟକ । ସେହିପରି ସରକାରଙ୍କ ଅଢେଇ ବର୍ଷ ଭିତରେ ବିଜେପି ତଳକୁ ଖସୁଥିବା ଅଭିଯୋଗ ଆଣି କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢୁଥିବା ହାତ ଶିବିର ଦାବି କରିଛି । ଫଳରେ ଶାସକ ଦଳର ସବୁ ଯୋଜନାକୁ ଲୋକ ପ୍ରତ୍ୟାଖ୍ୟାନ କରିବେ ବୋଲି ଦମ୍ଭ ଦେଖାଇଛି କଂଗ୍ରେସ ।

ସରକାରୀ ଦଳ ନିଜର ଜନାଭିମୁଖୀ କାମକୁ ନେଇ ଲୋକଙ୍କ ବିଶ୍ୱାସ ଜିତିବାକୁ ପ୍ରୟାସ କରୁଥିବା ବେଳେ ବିରୋଧୀ ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ ଲୋକଙ୍କ ପାଖକୁ ଯିବେ । ହେଲେ ଲୋକ କାହାକୁ ଭରସା କରିବେ ତାହା ସମୟ କହିବ ।

Also Read: ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ, ୩ଟି ଗାଡ଼ି ଭଙ୍ଗାରୁଜା