ନୂଆଦିଲ୍ଲୀ: ଟଙ୍କା ନିବେଶ କରି ଧନୀ ହେବା ପାଇଁ ସବୁବେଳେ ବଡ଼ ରିଟର୍ଣ୍ଣ ଦେଉଥିବା ମିଉଚୁଆଲ ଫଣ୍ଡ ଖୋଜିବା ଦରକାର ନାହିଁ। ନିୟମିତ ଭାବେ ଅଧିକ ଟଙ୍କା ନିବେଶ କରିବା, ଆୟ ବଢ଼ିଲେ ଖର୍ଚ୍ଚ ନ ବଢ଼ାଇବା ଏବଂ ଦୀର୍ଘ ସମୟ ଧରି ନିବେଶ ଜାରି ରଖିବା ଏହି ତିନୋଟି ଅଭ୍ୟାସ ମଧ୍ୟ ଆପଣଙ୍କୁ ବଡ଼ ସମ୍ପତ୍ତି ଗଢ଼ିବାରେ ସାହାଯ୍ୟ କରିପାରେ।ଏହାର ଏକ ଉଦାହରଣ ହେଉଛନ୍ତି ୩୨ ବର୍ଷୀୟ ସୁଧୀର ଦାଣ୍ଡୋତିୟା। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୯ କୋଟି ବୋଲି ଆକଳନ କରାଯାଇଛି। ତାଙ୍କର ଆର୍ଥିକ ସମ୍ପତ୍ତି ପ୍ରାୟ ₹୪.୩ କୋଟି ଥିବା ବେଳେ ମିଉଚୁଆଲ ଫଣ୍ଡରେ ପ୍ରାୟ ₹୨.୫୬ କୋଟି ନିବେଶ ରହିଛି।ତାସହିତ ଗୋଟିଏ ଘର ରହିଛି। ଏହାର ବର୍ତ୍ତମାନର ଆନୁମାନିକ ମୂଲ୍ୟ ₹୪.୫ରୁ ₹୪.୭ କୋଟି ମଧ୍ୟରେ ହେବ I ତେବେ ଏହି ଘର ଉପରେ ଏବେ ମଧ୍ୟ ହୋମ୍ ଲୋନ୍ ରହିଛି। ତେଣୁ ₹୯ କୋଟିକୁ ସୁଧୀରଙ୍କ ପ୍ରକୃତ ନେଟ୍ ୱର୍ଥ ବୋଲି ଧରିବା ଠିକ୍ ନୁହେଁ।

ସୁଧୀର ନିଜେ କହିଛନ୍ତି ଯେ ସେ କୌଣସି ବଡ଼ ନିବେଶ ବିଶେଷଜ୍ଞ ନୁହନ୍ତି। ଏପରିକି ନିଜର ନିବେଶକୁ ନିଜେ ମୂଲ୍ୟାଙ୍କନ କରି ସେ କହିଛନ୍ତି ଯେ, ନିଜେ ଲଗାଇଥିବା ଟଙ୍କାକୁ ହଟାଇଦେଲେ ତାଙ୍କ ନିବେଶର ରିଟର୍ଣ୍ଣ ସାଧାରଣ ହିଁ ରହିଛି। ତାଙ୍କର ବଡ଼ ଶକ୍ତି ହେଉଛି ନିୟମିତ ଭାବେ ଅଧିକ ଟଙ୍କା ନିବେଶ କରିବା। ବର୍ତ୍ତମାନ ସେ ପ୍ରତି ମାସରେ ପ୍ରାୟ ₹୧.୫ ଲକ୍ଷ SIP ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରୁଛନ୍ତି। ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରାୟ ₹୧୮ ଲକ୍ଷ ନିବେଶ କରୁଛନ୍ତି।

ଧରନ୍ତୁ ଆପଣଙ୍କ ପାଖରେ ₹୫ ଲକ୍ଷର ପୋର୍ଟଫୋଲିଓ ଅଛି। ଯଦି ଆପଣଙ୍କୁ ଅତିରିକ୍ତ ୨% ରିଟର୍ଣ୍ଣ ମିଳେ, ତେବେ ବର୍ଷକୁ ଅତିରିକ୍ତ ₹୧୦,୦୦୦ ମିଳିବ। କିନ୍ତୁ ଯଦି ଆପଣ ପ୍ରତି ମାସରେ ₹୧୦,୦୦୦ ଅଧିକ ନିବେଶ କରନ୍ତି, ତେବେ ବର୍ଷକୁ ଆଉ ₹୧.୨ ଲକ୍ଷ ନିବେଶ କରିବା ସହଜ ହୋଇଯାଏ। ଅର୍ଥାତ୍, ଛୋଟ ପୋର୍ଟଫୋଲିଓ ଥିବା ସମୟରେ ଅଧିକ ରିଟର୍ଣ୍ଣ ଖୋଜିବା ଅପେକ୍ଷା ଅଧିକ ଟଙ୍କା ନିବେଶ କରିବା ବେଶି ପ୍ରଭାବ ପକାଇପାରେ।

ସୁଧୀର ୨୦୧୭ରେ ପ୍ରାୟ ₹୪.୫ ଲକ୍ଷ ବାର୍ଷିକ ପ୍ୟାକେଜ୍ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୨୦ ସୁଦ୍ଧା ତାଙ୍କ ପ୍ୟାକେଜ୍ ପ୍ରାୟ ₹୧୮ ଲକ୍ଷ ହୋଇଥିଲା। ୨୦୨୨ରେ ସେ ପୁନେ ଯାଇଥିଲେ ଏବଂ ସେତେବେଳେ ତାଙ୍କ ପ୍ୟାକେଜ୍ ପ୍ରାୟ ₹୪୦ ଲକ୍ଷ ଥିଲା। ବର୍ତ୍ତମାନ ତାଙ୍କ ପ୍ୟାକେଜ୍ ପ୍ରାୟ ₹୫୨ ଲକ୍ଷ। କିନ୍ତୁ ଦରମା ବଢ଼ିବା ସହ ତାଙ୍କର ଖର୍ଚ୍ଚ ସେହି ଅନୁପାତରେ ବଢ଼ିନଥିଲା। ସୁଧୀରଙ୍କ କହିବା ଅନୁସାରେ, ଗତ ୪ ବର୍ଷ ଧରି ତାଙ୍କର ମାସିକ ଖର୍ଚ୍ଚ ପ୍ରାୟ ₹୨ ଲକ୍ଷ ଆଖପାଖରେ ରହିଛି।

ଦରମା ବଢ଼ିବା ପରେ ଅନେକ ଲୋକ ନୂଆ କାର୍, ଦାମୀ ଛୁଟି, ବଡ଼ ଘର କିମ୍ବା ଅଧିକ ଖର୍ଚ୍ଚ ଆରମ୍ଭ କରିଦିଅନ୍ତି। ଏହାକୁ Lifestyle Inflation କୁହାଯାଏ। ସୁଧୀରଙ୍କ ମାମଲାରେ ଏହା ଅନେକ ମାତ୍ରାରେ ହୋଇନାହିଁ। ତାଙ୍କ ଆୟ ବଢ଼ିଛି ସତ କିନ୍ତୁ ଖର୍ଚ୍ଚ ସେହି ଗତିରେ ବଢ଼ିନାହିଁ। ଅତିରିକ୍ତ ଟଙ୍କାର ବଡ଼ ଅଂଶ ନିବେଶ ଏବଂ ହୋମ୍ ଲୋନ୍ ପରିଶୋଧରେ ଯାଇଛି। ଏଠାରୁ ଗୋଟିଏ ବଡ଼ ଶିକ୍ଷା ମିଳେ ଦରମା ବଢ଼ିଲେ ଜୀବନଶୈଳୀ ବଢ଼ାଇବା ବଦଳରେ ନିବେଶ ବଢ଼ାଇଲେ ସମ୍ପତ୍ତି ଶୀଘ୍ର ବଢ଼ିପାରେ।

୨୦୨୦ର କୋଭିଡ୍ ସମୟରେ ବଜାରରେ ବଡ଼ ହ୍ରାସ ହୋଇଥିଲା। ୨୦୨୨ରେ ମଧ୍ୟ ବଜାର ଦୁର୍ବଳ ରହିଥିଲା। କିନ୍ତୁ ସୁଧୀର ତାଙ୍କର SIP ବନ୍ଦ କରିନଥିଲେ। ଏପରିକି ଏପର୍ଯ୍ୟନ୍ତ ସେ ନିଜ ମ୍ୟୁଚୁଆଲ୍ ଫଣ୍ଡରୁ ଟଙ୍କା ଉଠାଇନାହାନ୍ତି।ତାଙ୍କର ନିବେଶ ସମୟସୀମା ୧୫ରୁ ୨୦ ବର୍ଷ ରହିଛି । ତେଣୁ କିଛି ମାସ ବଜାର ଖରାପ ରହିଲେ ମଧ୍ୟ ଦୀର୍ଘ ସମୟ ପାଇଁ ରଖିଥିବା ଟଙ୍କାକୁ ନେଇ ସେ ତୁରନ୍ତ ନିଷ୍ପତ୍ତି ବଦଳାଇନାହାନ୍ତି।

୨୦୨୧ରେ ସେ ପ୍ରାୟ ୨.୫ କୋଟିରେ ପୁନେରେ ଏକ ଫ୍ଲାଟ୍ କିଣିଥିଲେ। ଏଥିପାଇଁ ପ୍ରାୟ ୫୦ ଲକ୍ଷ ଡାଉନ୍ ପେମେଣ୍ଟ ଦେଇଥିବା ବେଳେ ପ୍ରାୟ ୨ କୋଟି ଋଣ ନେଇଥିଲେ।

 

ସୁଧୀରଙ୍କ ଲକ୍ଷ୍ୟ ହେଉଛି ୪୦ ବର୍ଷ ବୟସରେ ପ୍ରାୟ ୨୦ରୁ ୨୫ କୋଟିର ସମ୍ପତ୍ତି ତିଆରି କରିବା। କିନ୍ତୁ ତାଙ୍କର ଲକ୍ଷ୍ୟ ଏହା ପରେ ସବୁଦିନ ପାଇଁ ଚାକିରି ଛାଡ଼ି ଦେବା ନୁହେଁ। ସେ ଭବିଷ୍ୟତରେ ନିଜର ବ୍ୟବସାୟ କରିବାକୁ ଚାହୁଁଛନ୍ତି।ଅର୍ଥାତ୍ ତାଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ଅର୍ଥ ହେଉଛି ଟଙ୍କା ପାଇଁ ବାଧ୍ୟ ହୋଇ କାମ ନ କରିବା, ବରଂ ନିଜ ପସନ୍ଦ ଅନୁସାରେ କାମ ବାଛିବାର ସ୍ୱାଧୀନତା।

ALSO READ-MDR ଚାର୍ଜକୁ ନେଇ ଆସିଲା ଭିନ୍ନ ମତ l ପ୍ରଭାବିତ ହେବେକି ଗ୍ରାହକ !

ସୁଧୀରଙ୍କ ସଫଳତାର ମୁଖ୍ୟ କାରଣ କୌଣସି ଗୋଟିଏ ମିଉଚୁଆଲ ଫଣ୍ଡ ନୁହେଁ। ଯେତେବେଳେ ତାଙ୍କର ଆୟ ବଢ଼ିଥିଲା, ସେତେବେଳେ ସେ ସେହି ଅନୁପାତରେ ଖର୍ଚ୍ଚ ବଢ଼ାଇନଥିଲେ। ଅଧିକ ଟଙ୍କାକୁ ନିବେଶ କରିଥିଲେ। ବଜାର ଖରାପ ହେଲେ ମଧ୍ୟ SIP ବନ୍ଦ କରିନଥିଲେ। ଏବଂ ଦୀର୍ଘ ସମୟ ପାଇଁ ନିବେଶକୁ ଧରି ରଖିଥିଲେ। ସରଳ ଭାବରେ କହିଲେ ଆୟ ବଢ଼ାନ୍ତୁ, ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ, ଅଧିକ ଟଙ୍କା ନିବେଶ କରନ୍ତୁ ଏବଂ ନିବେଶକୁ ସମୟ ଦିଅନ୍ତୁ ଏହା ଥିଲା ସୁଧୀରଙ୍କ ସଫଳତାର ମନ୍ତ୍ର ।

ତେବେ ମନେ ରଖନ୍ତୁ, ସୁଧୀରଙ୍କ ନିବେଶ ଯାତ୍ରା ତାଙ୍କ ବ୍ୟକ୍ତିଗତ ପରିସ୍ଥିତି ଉପରେ ଆଧାରିତ। ତାଙ୍କ ରିଟର୍ଣ୍ଣ କିମ୍ବା ନିବେଶ ନିଷ୍ପତ୍ତିକୁ ଅନ୍ୟମାନେ ସିଧାସଳଖ ଅନୁସରଣ କରିବା ଉଚିତ୍ ନୁହେଁ। ନିବେଶ ପୂର୍ବରୁ ନିଜର ଆୟ, ଆର୍ଥିକ ଲକ୍ଷ୍ୟ, ରିସ୍କ ନେବା କ୍ଷମତା ଓ ନିବେଶ ସମୟସୀମାକୁ ବିଚାର କରିବା ଅତ୍ୟନ୍ତ ଜରୁରୀ।