ଜାମନଗର ୨୫।୬: ବର୍ଷ ବର୍ଷର ଯନ୍ତ୍ରଣା ପରେ, ହାତୀ ମାଣିକିକୁ ବନତାରାରେ ମିଳିଲା ନୂଆ ଜୀବନ । ହାତୀଟିକୁ ଆସାମରୁ ଜାମନଗରକୁ ଅଣାଗଲା । ଏବେ ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ହେବ ଚିକିତ୍ସା । ଔଷଧ, ହାଇଡ୍ରୋ ଥେରାପି (ଜଳ ଚିକିତ୍ସା) ଏବଂ ପ୍ରାକୃତିକ ପରିବେଶ ମାଧ୍ୟମରେ ସ୍ୱାସ୍ଥ୍ୟରେ ଆସିବ ଉନ୍ନତି । ପ୍ରାୟ ୪୮ ବର୍ଷ ବୟସର ହାତୀ ମାଣିକି ଚିକିତ୍ସା ଓ ଉନ୍ନତ ଯତ୍ନ ପାଇଁ ଜାମନଗର ସ୍ଥିତ ବନତାରାରେ ପହଞ୍ଚିଛି ।

କିଛି ବର୍ଷ ଧରିମାଣିକି ନିଜର ଆଗ ବାମ ଗୋଡ଼ରେ ଗଭୀର ସମସ୍ୟା ସହିତ ସଂଘର୍ଷ କରୁଥିଲା । ଫଳରେ ଚାଲିବାରେ ଅନେକ ଅସୁବିଧା ହେଉଥିଲା । ବୟସ ସହିତ ଏହାର ଅବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା ଏବଂ ଶରୀରରେ ଜଳ ମଧ୍ୟ କମ୍ ହୋଇଯାଇଥିଲା । ଅନେକ କ୍ଷତ ସଂକ୍ରମିତ ହୋଇଯାଇଥିଲା ଏବଂ ଗୋଟିଏ ଆଖିରେ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଇଥିଲା ।

କିଛି ଦିନ ପୂର୍ବରୁ ଆସାମକୁ ଚିକିତ୍ସା ପାଇଁ ନିଆଯାଇଥିବା ସମୟରେ ମାଣିକିର ଏକ ଭିଡିଓସାମ୍ନାକୁ ଆସିଥିଲା । ଭିଡିଓରେ ସେ ରାସ୍ତାରେ ଯନ୍ତ୍ରଣାରେ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହା ଫଳରେ ସାରା ଦେଶବାସୀ ଏହା ପାଇଁ ଉପଯୁକ୍ତ ଚିକିତ୍ସା ଏବଂ ଉତ୍ତମ ଯତ୍ନ ଦାବି କରିଥିଲେ।

ମାଣିକିର ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି, ତାଙ୍କ ମାଲିକ ରୁଚି ଚେତିଆ ଏହାକୁ ବନତାରାକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ କମିଟିଠାରୁ ଅନୁମତି ମାଗିଥିଲେ। ଏହି କମିଟି ସହିତ, ଆସାମ ଏବଂ ଗୁଜରାଟ ସରକାର ମଧ୍ୟ ଅନୁମୋଦନ ପ୍ରଦାନ କରିବା ପରେ ମାଣିକିକୁ ସୁରକ୍ଷିତ ଭାବରେ ଜାମନଗର ସ୍ଥାନାନ୍ତରିତ କରାଯାଇଥିଲା।

ବନତାରାର ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ମାଣିକିକୁ ଦୀର୍ଘକାଳୀନ ବିଶେଷଜ୍ଞ ଚିକିତ୍ସାର ଆବଶ୍ୟକତା ରହିଛି । ଏହାର ଯନ୍ତ୍ରଣାକୁ କମ କରିବା ପାଇଁ ଔଷଧ ଦିଆଯିବ ଏବଂ ହାଇଡ୍ରୋଥେରାପି, ଆକୁପଙ୍କଚର, କ୍ଷତର ଉପଚାର ଏବଂ ପୁଷ୍ଟିକର ଖାଦ୍ୟ ଦିଆଯିବ। ଏହାର ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖାଯିବ।

ବନତାରାର ଜଣେ ମୁଖପାତ୍ର କହିଛନ୍ତି ଯେ, ଚିକିତ୍ସା ସହିତ, ମାଣିକିର ଆରାମ ସୁନିଶ୍ଚିତ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ। ଏହାର ଆହତ ଗୋଡ଼ ଉପରେ ଚାପ କମ କରିବା ପାଇଁ ଏକ ନରମ ଭୂମି ପ୍ରସ୍ତୁତ କରାଯାଇଛି ଏବଂ ଏହା ପାଖରେ ପ୍ରାକୃତିକ ପୋଖରୀର ସୁବିଧା ରହିବ, ଯାହା ମାଣିକିର ଗୋଡ଼କୁ ଆରାମ ଦେବ । ସେ ଅନ୍ୟ ହାତୀମାନଙ୍କ ସହିତ ଏକ ପ୍ରାକୃତିକ ପରିବେଶରେ ରହିପାରିବ ।

ସେ ଆହୁରି କହିଛନ୍ତି ଯେ, ବନତାରାରେ ମାଣିକିର ଆଗମନ ଏହା ଦର୍ଶାଉଛି ଯେ ଜନସାଧାରଣଙ୍କ ସହାନୁଭୂତି ଏବଂ ସବୁ ପକ୍ଷଙ୍କ ସହଯୋଗ ମାଧ୍ୟମରେ ଯେକୌଣସି ପ୍ରାଣୀଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇପାରିବ। ମାଣିକିଙ୍କ ଯନ୍ତ୍ରଣା ଭରା ଦିନ ଏବେ ଶେଷ ହୋଇଛି । ବନତାରାରେ, ସେ ଏକ ସୁରକ୍ଷିତ ପରିବେଶ, ଉନ୍ନତ ଚିକିତ୍ସା ସେବା ଏବଂ ସମ୍ମାନର ସହିତ ଜୀବନ ବଞ୍ଚିବାର ଅବସର ପାଇବ।

ବନତାରାର ପ୍ରତିଷ୍ଠା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା କରାଯାଇଥିଲା। ଏହା ପଶୁ ଉଦ୍ଧାର, ଚିକିତ୍ସା, ପୁନର୍ବାସ ଏବଂ ଦୀର୍ଘକାଳୀନ ଯତ୍ନ ପାଇଁ ଉତ୍ସର୍ଗୀକୃତ ଏକ ବିଶ୍ୱସ୍ତରୀୟ କେନ୍ଦ୍ର। ଏଠାରେ ଅତ୍ୟାଧୁନିକ ବନ୍ୟପ୍ରାଣୀ ହସ୍ପିଟାଲ ରହିଛି। ଏଠାରେ ହାତୀମାନଙ୍କ ପାଇଁ ବିଶ୍ୱର ସର୍ବବୃହତ ହସ୍ପିଟାଲ ମଧ୍ୟରୁ ଅନ୍ୟତମ ରହିଛି। ଏଠାରେ, ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ପ୍ରାଣୀମାନେ ଆବଶ୍ୟକ ଚିକିତ୍ସା ଏବଂ ଯତ୍ନ ପାଇଥାନ୍ତି।