El Nino To Hit India: ଭାରତକୁ ନିଶ୍ଚିତ ଛୁଇଁବ ଏଲ ନିନୋ। ମୌସୁମୀ ଋତୁରେ ହିଁ ଏଲ୍ ନିନୋର ପ୍ରଭାବ ଭାରତକୁ ପ୍ରଭାବିତ କରିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ଏହାର ପ୍ରଭାବରେ ଗତ ୩ ବର୍ଷରେ ସବୁଠାରୁ କମ ବର୍ଷା ହେବ ବୋଲି ସେ ସତର୍କ କରାଇଛନ୍ତି। ଆସନ୍ତା ମୌସୁମୀ ସିଜନରେ ଭାରତରେ ହାରାହାରି ଠାରୁ ବି କମ ବର୍ଷା ହେବ ବୋଲି ଡକ୍ଟର ମହାପାତ୍ର କହିଛନ୍ତି।

ଏଲ୍ ନିନୋ ହେଉଛି ଏକ ପାଣିପାଗର ପରିବର୍ତ୍ତନ। ଯାହା ପ୍ରଶାନ୍ତ ମହାସାଗରର ସାମୟିକ ଉଷ୍ଣତା ସୃଷ୍ଟି କରେ, ଏହା ସମଗ୍ର ଏସିଆରେ ପାଗ ଢାଞ୍ଚାକୁ ବ୍ୟାହତ କରିବ। ଏବଂ ଏହା ଜୁନ୍ ୨୦୨୬ ସୁଦ୍ଧା ଆସିବ ବୋଲି ପୂର୍ବାନୁମାନ କରାଯାଇଛି।

ଭାରତକୁ କେବେ ଆଟାକ କରିବ ଏଲନିନୋ ?

ଭାରତୀୟ ପାଣିପାଗ ବିଭାଗ ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଜୁନ ମାସରୁ ହିଁ ଏଲ୍‌ ନିନୋର ପ୍ରଭାବ ଆରମ୍ଭ ହୋଇଯିବ। ହେଲେ ଏହା ଦୁର୍ବଳ ରୂପରେ ରହିବ। ମଧ୍ୟ ଜୁଲାଇ-ଅଗଷ୍ଟ ବେଳକୁ ଏହା ମଜଭୁତ ହେବାକୁ ଲାଗିବ ଏବଂ ସେପ୍ଟେମ୍ବରରେ ଏହା ଖୁବ୍ ଶକ୍ତିଶାଳୀ ହୋଇ ଭାରତ ସମେତ ସାରା ବିଶ୍ୱକୁ ପ୍ରଭାବିତ କରିବ। ଖାଲି ଭାରତୀୟ ପାଣିପାଗ ବିଭାଗ ନୁହେଁ ଅନ୍ତର୍ଜାତୀୟ ପାଣିପାଗ ଏଜେନ୍ସିଗୁଡ଼ିକ ମଧ୍ୟରେ ଏନ ନିନୋ ନେଇ ଚିନ୍ତା ବଢ଼ି ଯାଇଛି।

ଏଲ ନିନୋ ନେଇ କ’ଣ କହିଲେ ବିଦେଶୀ ଏଜେନ୍ସି?

ଅଷ୍ଟ୍ରେଲିଆର ପାଣିପାଗ ବିଭାଗ (BOM) ମଧ୍ୟ ଆଇଏମଡି ସହ ପ୍ରାୟ ସମାନ ଆକଳନ କରିଛି। ଜୁନ୍ ମାସ ସୁଦ୍ଧା ଏଲ୍ ନିନୋ ପରିସ୍ଥିତି ଦେଖାଦେଇପାରେ ବୋଲି ବିଓଏମ୍ କହିଛି। ସେହିପରି ଚୀନ୍‌ର ଜାତୀୟ ଜଳବାୟୁ କେନ୍ଦ୍ର ମଧ୍ୟ ରିପୋର୍ଟ କରିଛି ଯେ ପ୍ରଶାନ୍ତ ମହାସାଗରରେ ଉଷ୍ଣତା ଏଲ୍ ନିନୋ ପର୍ଯ୍ୟାୟରେ ପ୍ରବେଶ କରିଛି ଏବଂ ଆଗାମୀ ମାସଗୁଡ଼ିକରେ ଏହା ଆହୁରି ଦୃଢ଼ ହେବ ବୋଲି ଆଶା କରାଯାଉଛି।

ନାସା ବଢ଼ାଇଲା ଚିନ୍ତା

ସେପଟେ ନାସା ସାଟେଲାଇଟ୍ ପର୍ଯ୍ୟବେକ୍ଷଣକୁ ବିଶ୍ଳେଷଣ କରି ଯାହା କହିଛି, ତାହା ଚିନ୍ତା ଆହୁରି ବଢ଼ାଇ ଦେଇଛି।  ପ୍ରଶାନ୍ତ ମହାସାଗର ପୃଷ୍ଠ ତଳେ ଏକ ବଡ଼ ଉଷ୍ମ ଜଳଭଣ୍ଡାର ଗଠନ ହୋଇଛି ବୋଲି ନାସା କହିଛି। ବୈଜ୍ଞାନିକମାନେ ଏହାକୁ ଏଲ୍ ନିନୋ ଗଠନ ପାଇଁ ଏକ ପ୍ରମୁଖ ସଙ୍କେତ ଭାବରେ ଦେଖୁଛନ୍ତି। ଏଥିରେ ଜମା ହୋଇଥିବା ଉଷ୍ମତା ଧୀରେ ଧୀରେ ବୃଦ୍ଧି ପାଇ ପୂର୍ବ ପ୍ରଶାନ୍ତ ମହାସାଗରରେ ବ୍ୟାପିଯିବ ବୋଲି ନାସା କହିଛି।

Also Read- ​​​​​​​ଓଡ଼ିଶାରେ ଏଥର କମ୍‌ ବର୍ଷା, ମାଷ୍ଟରମାଇଣ୍ଡ୍‌ El-Nino ! ପ୍ରେସମିଟ୍‌ କରି ବଡ଼ ସୂଚନା ଦେଲା IMD

ଭାରତ ପାଇଁ ଚିନ୍ତାର କାରଣ

ଭାରତ ଏକ କୃଷି ପ୍ରଧାନ ଦେଶ। ଆଗକୁ ମୌସୁମୀ ଆସୁଥିବା ବେଳେ ଚାଷୀମାନେ ଥର ଭଳ ଫସଲ କରିବା ପାଇଁ ଅଣ୍ଟା ଭିଡ଼ିଲେଣି। ହେଲେ ସେମାନଙ୍କୁ ଏବେ ଏଲନିନୋ ଭୟ ଡରାଉଛି। ଯଦି ଏଲନିନୋ ପାଇଁ ବର୍ଷା କମ ହେଲା ତେବେ ଏହା ଫସଲ ଅମଳକୁ ପ୍ରଭାବିତ କରିବ। ଏପଟେ ହ୍ରାସ ପାଉଥିବା ଭୂତଳ ଜଳର ପରିମାଣ ମଧ୍ୟ ଚିନ୍ତାଜନକ ରହିଛି।

ଓଡ଼ିଶାରେ ପ୍ରଭାବ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ IMDର ପ୍ରେସ୍‌ମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଜୁନ୍‌ ମାସରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ। ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍‌ ବର୍ଷା ସମ୍ଭାବନା ରହିଛି। ଏଲ୍‌-ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ସେ କହିଛନ୍ତି। ସେହିପରି ମଧ୍ୟ ଭାରତରେ ୯୪ ପ୍ରତିଶତ କମ୍‌ ବର୍ଷା ହେବା ଆଶଙ୍କା ରହିଛି। ଉତ୍ତର-ପୂର୍ବ ଭାରତରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି।