କୋଲକାତା ୨୮।୦୧ : ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପରଗଣା ଜିଲ୍ଲାରେ ସୋମବାର ଭୋର୍ରୁ ପାଖାପାଖି ଥିବା ଦୁଇଟି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଅତି କମ ୮ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଗୋଦାମରେ ଥିବା ଜିନିଷପତ୍ର ଜଳି ପାଉଁଶ ହୋଇଯାଇଛି । ନରେନ୍ଦ୍ରପୁର ପୁଲିସ ଷ୍ଟେସନ୍ ଅନ୍ତର୍ଗତ ନଜିରାବାଦ ଅଞ୍ଚଳରେ ଏହି ଅଘଟଣ ଘଟିଛି ।

ପୋଲିସ ଅନୁସାରେ, ସୋମବାର ଭୋର୍ ପ୍ରାୟ ୩ଟା ସମୟରେ ନଜିରାବାଦ ଅଞ୍ଚଳରେ ଥିବା ଏକ ମୋମୋ କମ୍ପାନିର ଗୋଦାମରେ ଅଚାନକ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ନିକଟରେ ଥିବା ଆଉ ଏକ ସାଜସଜ୍ଜା ସାମଗ୍ରୀ ଗୋଦାମକୁ ତାହା ବ୍ୟାପିଥିଲା । ଫଳରେ ସେଠାରେ ଅସ୍ଥାୟୀ ଭାବେ ରହୁଥିବା କିଛି ଶ୍ରମିକ ନିଆଁ ଘେରରେ ଫସିଯାଇଥିଲେ । ନିଆଁ ଏତେ ଭୟାନକ ଥିଲା ଯେ ଦମକଳ ବିଭାଗର ୧୨ଟି ଗାଡ଼ି ଦୀର୍ଘ ୭ ଘଣ୍ଟା ଧରି ଉଦ୍ୟମ କରିବା ପରେ ତାକୁ ଆୟତ୍ତ କରିଥିଲେ । ତେବେ ସନ୍ଧ୍ୟା ଯାଏ ଗୋଦାମର କିଛି ଅଂଶରୁ ଧୂଆଁ ବାହାରୁଥିଲା । ଏହାପରେ ସର୍ଚ୍ଚ ଅପରେସନ୍ବେଳେ ସନ୍ଧ୍ୟା ୫ଟାରେ ସେଠାରୁ ୩ଟି ମୃତଦେହ ମିଳିଥିଲା । ପରବର୍ତ୍ତୀ ସମୟରେ ଆଉ ୫ଟି ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହଗୁଡିକ ଗୁରୁତର ଭାବେ ଜଳିଯାଇଥିବାରୁ ଚିହ୍ନଟ ଲାଗି ଡିଏନ୍ଏ ଏବଂ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଛି । ଇତିମଧ୍ୟରେ ଦମକଳ ବିଭାଗର ଡିଜି ରଣବୀର କୁମାର ବିନା ଅଗ୍ନିନିରାପତ୍ତା ପ୍ରମାଣପତ୍ରରେ ଗୋଦାମ ଦୁଇଟି ଚାଲୁଥିବା ପ୍ରକାଶ କରିଛନ୍ତି ।