ନୂଆଦିଲ୍ଲୀ: ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଖାଇବାକୁ ଦେଲେ। ଏହାପରେ ଫଟୋ ଉଠାଇଲେ। ହେଲେ ଫଟୋ ଉଠାଇବା ପରେ ପିଲାଙ୍କ ଥାଳିରୁ ସେହି ଅଣ୍ଡାସବୁକୁ ପୁଣି ନେଇଗଲେ ପ୍ରିନ୍ସିପାଲ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବିହାର ମୁଙ୍ଗେରର ପ୍ରାଥମିକ ବିଦ୍ୟାଳୟ ଫରିଦପୁରରେ। ତେବେ ଅଭିଭାବକମାନେ ପିଲାଙ୍କ ଠାରୁ ଏ ବିଷୟରେ ଜାଣିବା ପରେ ଘଟଣା ସାମ୍ନାକୁ ଆସିଛି। ସଂପୃକ୍ତ ପ୍ରିନ୍ସପାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଗତ ନଭେମ୍ବର ୨୧ରେ ସ୍କୁଲ ପ୍ରିନ୍ସପାଲ ସୁଜିତ କୁମାର ଏଭଳି କରିଥିଲେ। ଘରକୁ ଫେରିବା ପିଲାମାନେ ସେମାନଙ୍କ ଅଭିଭାବକଙ୍କୁ ଏପ୍ରସଙ୍ଗରେ କହିଥିଲେ। ଏହା ପରେ ଅଭିଭାବକମାନେ ଏବାବଦରେ ପ୍ରିନ୍ସପାଲଙ୍କୁ ପଚାରିଥିଲେ। ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ସେମାନେ ପ୍ରିନ୍ସପାଲଙ୍କୁ ପଚାରୁଛନ୍ତି ଯେ, ଆପଣ ପିଲାଙ୍କୁ ଅଣ୍ଡା ଖାଇବାକୁ ଦେଇଥିଲେ । ହେଲେ ଫଟୋ ଉଠାଇବା ପରେ ପୁଣି କାହିଁକି ନେଇଗଲେ ? ଏହାର ଉତ୍ତର ପ୍ରିନ୍ସପାଲ କହୁଛନ୍ତି ଫଟୋ ଉଠାଇ ବିଭାଗକୁ ପଠାଇଥିଲେ। ଏହି ସମୟରେ ପିଲାମାନେ ମଧ୍ୟ ଏହି ସମୟରେ କହୁଛନ୍ତି ଯେ, ସାର୍ ଫଟୋ ଉଠାଇବା ପରେ ଅଣ୍ଡା ସେମାନଙ୍କୁ ଥାଳିରୁ ନେଇଯାଇଥିଲେ।

ତେବେ ପୂରା ଘଟଣାରେ ସୂଚନା ପ୍ରଶାସନ ପାଖରେ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ କୁନାଲ ଗୌରବ କହିଛନ୍ତି, ଏହି ମାମଲାରେ ଡିପିଓ ଏମଡିଏମଙ୍କ ଦ୍ବାରା ଯାଞ୍ଚ କରାଯାଇଛି। ଯାଞ୍ଚ ରିପୋର୍ଟରେ ତାଙ୍କୁ ତୁରନ୍ତ ସସପେଣ୍ଡ କରାଯାଇଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଖୁବ୍ ଶୀଘ୍ର ଶେଷ ହେବ।