ଭୁବନେଶ୍ୱର : ଜାତୀୟ ସ୍ତରରେ ଓଡିଶାକୁ ର୍ଗବିତ କଲେ ଓଡିଆ ଝିଅ ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ୍ ଆଇଡଲ୍ ସିଜନ-୧୬ର ଗ୍ରାଣ୍ଡ୍ ଫିନାଲେରେ ବିଜୟର ମୁକୁଟ ପିନ୍ଧିଛନ୍ତି। ଦୀର୍ଘ ଯାତ୍ରା, କଠିନ ପ୍ରତିଯୋଗିତା ଓ ନିଜର ସୁମଧୁର କଣ୍ଠସ୍ୱର ପାଇଁ ସେ ଇଣ୍ଡିଆନ୍ ଆଇଡଲ୍-୧୬ର ବିଜୟ ଟ୍ରଫି ହାସଲ କରିପାରିଛନ୍ତି। ଏଥିସହ ସେ 20 ଲକ୍ଷ ପୁରସ୍କାର ମଧ୍ୟ ଜିତିଛନ୍ତି । ଜ୍ୟୋତିର୍ମୟୀ ଅଂଶିକା ଚୋନକର, ମନରାଜ ଭୀର ସିଂ, ମିସ୍ମି ବୋସୁ, ସୁହେଲ ସୁଫି ଏବଂ ତନିସ୍କ ଶୁକ୍ଲାଙ୍କ ଭଳି ଦୃଢ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟ୍ରଫିକୁ ନିଜ ନାଁରେ କରିଛନ୍ତି। ଅଡିସନରୁ ଗ୍ରାଣ୍ଡ ଫିନାଲେ ପର୍ଯ୍ୟନ୍ତ ନିଜର ଶକ୍ତିଶାଳୀ ପ୍ରଦର୍ଶନରେ ସେ ଜଜେସ୍ ଙ୍କ ବ୍ୟତୀତ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । 

ଶୋ' ଜିତିବା ପରେ ଜ୍ୟୋତିର୍ମୟୀ ନିଜ ଟ୍ରଫି ନେଇ ଭୁବନେଶ୍ୱର ପେରିଛନ୍ତି। ଜ୍ୟୋତିର୍ମୟୀଙ୍କ ସ୍ବାଗତ କରିବାକୁ ଭୁବନେଶ୍ବର ବିମାନବନ୍ଦରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଫ୍ୟାନ୍ ଫଲୋଅର୍ସମାନେ ବାଜା ବଜାଇ ଫୁଲମାଳ ପିନ୍ଧାଇ ବିମାନ ବନ୍ଦରରେ ତାଙ୍କର ଜେରାଦାର ସ୍ବାଗତ କରିଥିଲେ। ଜ୍ୟୋତିର୍ମୟୀଙ୍କ ଏହି ସଫଳତାକୁ ନେଇ ସାରା ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି। ଓଡ଼ିଆ ଝିଅର ଏହି ସଫଳତା ରାଜ୍ୟର ଯୁବ ପ୍ରତିଭାମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣା।

ଓଡ଼ିଶାବାସୀଙ୍କ ଅଜସ୍ର ଭଲପାଇବା ଓ ଆଶୀର୍ବାଦ ଯୋଗୁଁ ବି ଏହା ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି ଜ୍ୟୋତିର୍ମୟୀ। ସେ ବିଜୟ ଟ୍ରଫିକୁ ମହାପ୍ରଭୁଙ୍କୁ ସମର୍ପିତ କରିଛନ୍ତି । ଏହା ବଲିଉଡରେ ଗାଇବାର ନିଜ ଇଚ୍ଛା ଚଜାହିର କରିଛନ୍ତି ଜ୍ୟୋତି। ସେ ଏକଥା ବି କହିଛନ୍ତି , ସଫଳତା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ଅଛି। କେବେ ବି ହାର ନ ମାନି କର୍ମ କରିବାକୁ କହିଛନ୍ତି। ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ତାଙ୍କୁ ଆଗକୁ ନେଇଛି ବୋଲି ସେ କହିଛନ୍ତି । ଜ୍ୟୋତିର୍ମୟୀଙ୍କ ବାପା ଓ ମାଆ ମଧ୍ୟ ଝିଅର ସଫଳତା ନେଇ ସମସ୍ତ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Also Read- ନ୍ୟାସନାଲ୍ ଟେଲିଭିଜନ୍ ରିଆଲିଟି ଶୋ’ରେ ଦବଦବା ଦେଖାଇଥିବା ୧୧ ଓଡ଼ିଆ, ଜ୍ୟୋତିର୍ମୟୀଙ୍କ ପୂର୍ବରୁ ଏମାନେ କରିଛନ୍ତି ଗର୍ବିତ

ସେପଟେ ଓଡିଶା ସିନେକ୍ରୀଟିକ ଆସୋସିଏସନ ପକ୍ଷରୁ ଜ୍ୟୋତିର୍ମୟୀଙ୍କୁ ସ୍ବାଗତ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଜ୍ୟୋତିର୍ମୟୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ସିନେ ସମୀକ୍ଷକ କହିଛନ୍ତି ବଲିଲଡରେ ଏଣ୍ଟ୍ରି ପାଇଁ ଜ୍ୟୋତିର୍ମୟୀଙ୍କୁ ସୁଯୋଗ ମିଳିଲା। ଆଗକୁ ଭଲ ପ୍ରଦର୍ଶନ କରି ବଲିଉଡରେ ଓଡିଶାର ନାଁ ରଖନ୍ତୁ ବୋଲି କହିଛନ୍ତି ବରିଷ୍ଟ ସିନେ ସମୀକ୍ଷକ ଦୀଲ୍ଲିପ ହାଲି ।