ଭୁବନେଶ୍ୱର : ସବୁଆଡ଼େ ଶୀତର ଲହରୀ ଜାରି ରହିଛି । ପ୍ରବଳ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ରାତିରେ ଶୋଇବାକୁ ଅନେକ ଉଚିତ୍ ମନେ କରନ୍ତି। କିନ୍ତୁ ଏବେ ଅନେକଙ୍କ ପାଇଁ ଜୀବନ ଘାତକ ସାବ୍ୟସ୍ତ ହେଉଛି । ଘର ବନ୍ଦ ଅବସ୍ଥାରେ ଜଳାଯାଉଥିବା ନିଆଁରୁ ବାହାରୁଥିବା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଅନେକ ଅମୂଲ୍ୟ ଜୀବନ ଅକାଳରେ ଝଡ଼ିଯାଉଛି । ଢେଙ୍କାନାଳ ଜିଲ୍ଲାରେ ବାରମ୍ବାର ଏପରି ଦୁର୍ଘଟଣା ଦେଖିବାକୁ ମିଳୁଛି । ଗତ ୨ ବର୍ଷ ମଧ୍ୟରେ ନିଆଁ ଧୂଆଁରୁ ଶ୍ୱାସରୁଦ୍ଧ ହୋଇ ୮ ଜଣଙ୍କ ଜୀବନ ଗଲାଣି । ସମସ୍ତ ଘଟଣା ଶୀତରାତିରେ ଏବଂ କଣ୍ଟାବଣିଆ ଥାନା ଅଞ୍ଚଳରେ ଘଟିଛି । ଇଟାଭାଟିର ଶ୍ରମିକ, ଗରିବ ଓ ଗ୍ରାମାଞ୍ଚଳର ଲୋକେ ଏହାର ଶିକାର ହେଉଛନ୍ତି । ସତର୍କ ଓ ସଚେତନତା ଅଭାବରୁ ପ୍ରତିବର୍ଷ ଏଭଳି ଘଟଣା ଘଟୁଥିବାବେଳେ ଏହାର ପ୍ରତିକାର କରାଯାଉନଥିବା ଅଭିଯୋଗ ହେଉଛି ।

କଣ୍ଟାବଣିଆ ଥାନା ଅସନବଣି ଗ୍ରାମର ଅନ୍ତର୍ଯ୍ୟାମୀ ସାହୁଙ୍କର ପ୍ରଥମ ପତ୍ନୀ ଗୋଲାପ ସାହୁ (୫୪), ବଡ଼ପୁଅ ଭରତ ସାହୁ ଓରଫ୍ ପିଣ୍ଟୁ (୩୦) ଓ ସାନପୁଅ ଲିପୁନ୍ ସାହୁ (୨୪) ସୋମବାର ରାତିରେ ଗୋଟିଏ କୋଠରୀରେ ପ୍ରବଳ ଶୀତ ପାଇଁ ଏକ ଲୁହା କଡ଼େଇରେ କୋଇଲା ନିଆଁ ଲଗାଇ ଶୋଇଥିଲେ । ସକାଳ ସାଢ଼େ ୬ଟା ସୁଦ୍ଧା ନଉଠିବାରୁ ମଝିଆଁ ପୁଅ ଯାଇ ଡାକିଥିବାବେଳେ କେହି କବାଟ ଖୋଲିନଥିଲେ । ଧକ୍କା ଦେଇ କବାଟ ଖୋଲିବା ପରେ ସମସ୍ତେ ସଜ୍ଞାହୀନ ଅବସ୍ଥାରେ କୋଠରୀ ମଧ୍ୟରେ ପଡି଼ରହିଥିଲେ । କୋଠରୀରୁ ଧୂଆଁ ବାହାରୁଥିଲା । ସମସ୍ତଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଘର ଭିତରେ କୋଇଲା ଆଞ୍ଚ ରଖି ଶୋଇଥିବାରୁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ଜୀବନ ଚାଲିଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡି଼ଛି । ତେବେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଏ ନେଇ ଅଧିକ ତଦନ୍ତ ଚଳାଇଛି । ୨୦୨୪ ଫେବ୍ରୁଆରୀ ୧୦ ତାରିଖରେ ଏହି ଥାନା କମଳାଙ୍ଗ ଗ୍ରାମରେ ସମାନ ଘଟଣା ଘଟିଥିଲା । କମଳାଙ୍ଗ ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଥିବା ଇଟାଭାଟିରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଇଟାଭାଟି ଉପରେ ଶୋଇଥିବା ସ୍ୱାମୀ, ସ୍ତ୍ରୀ ଓ ଏକ ନାବାଳକ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା । ଇଟାଭାଟି ଧୁଆଁରେ ଅଙ୍ଗାରକାମ୍ଲ ଗ୍ୟାସ୍ ନିର୍ଗତ ଯୋଗୁଁ ଶ୍ରମିକମାନେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡି଼ଥିଲା ।

୨୦୨୩ ମସିହା ଡିସେମ୍ବର ୨୩ ତାରିଖରେ କଣ୍ଟାବଣିଆ ଥାନା ମଙ୍ଗଳପୁର ଗ୍ରାମପଞ୍ଚାୟତ ଅଧୀନ ମାନପୁର ଗାଁ ବ୍ରାହ୍ମଣୀ ନଦୀ କୂଳରେ ଥିବା ଏକ ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ପ୍ରାଣ ହରାଇଥିଲେ । ଜଣେ ଗୁରୁତର ଭାବେ ଉଦ୍ଧାର ହୋଇଥିଲେ । ଶୀତଦାଉରୁ ରକ୍ଷା ପାଇବା ପାଇଁ ଇଟାଭାଟିରେ କାମ କରୁଥିବା ଶ୍ରମିକ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଇଲାକା ଈଶ୍ୱରନଗର ଗ୍ରାମର ବିଶ୍ରା କୁଙ୍କୁଲ (୧୯), ରସାଇ ବାନରା (୨୦) କାଣ୍ଡେ ବାନାରା (୧୯) ଏକ ବନ୍ଦ କୋଠରୀରେ ଜେନେରେଟର ଲଗାଇ ଲାଇଟ୍ ଜାଳି ଶୋଇଥିଲେ । ସକାଳୁ ବିଶ୍ରା ଓ ରସାଇଙ୍କର ମୃତ୍ୟୁ ହୋଇଥିବାବେଳେ କାଣ୍ଡେଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଜେନେରେଟରରୁ ନିର୍ଗତ ଅଙ୍ଗାରକାମ୍ଲ ଗ୍ୟାସ୍ ଯୋଗୁଁ ଘର ଭିତରେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ପ୍ରକାଶ କରିଥିଲେ । ଜିଲ୍ଲାରେ ଏପରି ଭାବେ ନିଆଁଧୂଆଁରେ ଶ୍ୱାସରୁଦ୍ଧ ହୋଇ ୮ ଜଣଙ୍କର ଜୀବନ ଗଲାଣି । ୩ ଜଣ ଗୁରୁତର ଆହତ ହୋଇ ସୁସ୍ଥ ହୋଇଛନ୍ତି । ସମସ୍ତ ଘଟଣା ସମାନ ଭାବେ କଣ୍ଟାବଣିଆ ଥାନା ଅଞ୍ଚଳରେ ଘଟୁଛି । ଶୀତର ତୀବ୍ରତା ବଢ଼ିବା ସହ ଲୋକେ ଘର ଭିତରେ କିମ୍ୱା ବନ୍ଦ କୋଠରୀରେ ନିଆଁ ଜାଳି ଶୋଉଛନ୍ତି । କିନ୍ତୁ ଯଥେଷ୍ଟ ବାୟୁ ପ୍ରବାହ ନଥିବାରୁ ଅମ୍ଲାଜାନ ଅଭାବରୁ ଶ୍ୱାସକ୍ରିୟା ପ୍ରଭାବିତ ହେଉଛି । ଯାହା ସଜ୍ଞାହୀନ ଓ ପରେ ମୃତ୍ୟୁର କାରଣ ସାଜୁଛି । ଶୀତରୁ ରକ୍ଷା ପାଇଁ ନିଆଁ ବ୍ୟବହାର କରିବା ବେଳେ ଯଥାସାଧ୍ୟ ସାବଧାନତା ଅତ୍ୟାବଶ୍ୟକ ବୋଲି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ରାଜକିଶୋର ସେଠୀ କହିଛନ୍ତି । ବନ୍ଦ ଥିବା ଘରେ କେବେ ବି ନିଆଁ ନଜଳାଇବା, ଆବଶ୍ୟକ ହେଲେ ଘର ଖୋଲା ଓ ବାୟୁ ପ୍ରବାହ ଥିବା ସ୍ଥାନରେ ବ୍ୟବହାର କରିବା ସହ ରାତିରେ ଶୋଇବା ପୂର୍ବରୁ ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭାଇବାକୁ ଡାକ୍ତର ସେଠୀ ପରାମର୍ଶ ଦେଇଛନ୍ତି । ଶୀତ ପ୍ରକୋପ ରୋକିବା ପାଇଁ ଅସାବଧାନତା ନୁହେଁ, ସଚେତନତା ହିଁ ହେଉ ସବୁଠାରୁ ବଡ଼ ରକ୍ଷାକବଚ ବୋଲି ସେ କହିଛନ୍ତି । ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଗାଁରେ ଏ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ଜରୁରୀ ହୋଇପଡି଼ଛି । ନଚେତ୍, ଆସନ୍ତା ଦିନରେ ଏପରି ଦୁର୍ଘଟଣା ଆଉ ଅନେକ ଜୀବନ ନେଇପାରେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।