ନୂଆଦିଲ୍ଲୀ,୦୫/୦୮: ଓ୍ୱାଇଏସଆର କଂଗ୍ରେସର ପୂର୍ବତନ ବିଧାୟକଙ୍କ ଘରେ ଇଡି ରେଡ୍ । ବେଆଇନ ଆର୍ଥିକ କାରବାର ନେଇ ୫ଟି ସ୍ଥାନରେ ଇଡି ରେଡ କରିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ତଥା ଓ୍ୱାଇଏସଆର କଂଗ୍ରେସର ବରିଷ୍ଠ ନେତା ମଲ୍ଲା ବିଜୟ ପ୍ରସାଦଙ୍କ ଘରେ ରେଡ୍ ହୋଇଛି । ଓଡିଶା ଶାଖା ଇଡି ପକ୍ଷରୁ ଏହି ରେଡ୍ କରାଯାଇଛି । ବିଶାଖାପାଟଣା ସମେତ ହାଇଦ୍ରାବାଦରେ ରେଡ୍ ଚାଲିଛି । ପୂର୍ବରୁ ବରିଷ୍ଠ ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଓଡିଶା କ୍ରାଇମବ୍ରାଞ୍ଚର EOWଗିରଫ କରିଥିଲା । ୨ କୋଟି ଟଙ୍କାରୁ ଅଧିକ ଚିଟଫଣ୍ଡ ଠକେଇ ଅଭିଯୋଗରେ ପୂର୍ବତନ ବିଧାୟକ ଗିରଫ ହୋଇଥିଲେ ।

M/s Wellfare Building and Estates Pvt. Ltd.ର ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ ସେ ଏବଂ ଅନ୍ୟ ଦୁଇ ନିର୍ଦ୍ଦେଶକ ୨୦୦୯ରୁ ୨୦୧୪ ମଧ୍ୟରେ ଭୁବନେଶ୍ୱର,କଟକର ନରସିଂହପୁର ଏବଂ ନୟାଗଡ଼ର ୧୫୦ରୁ ଅଧିକ ଜମାକାରୀଙ୍କୁ ଅଧିକ ସୁଧ ଓ ବିଶାଖାପାଟଣାରେ ପ୍ଲଟ୍ ଦେବାର ପ୍ରଲୋଭନ ଦେଖାଇଥିଲେ । ଏପରିକି ୨ କୋଟିରୁ ଅଧିକ ଟଙ୍କା ଠକିନେଇଥିବା ଅଭିଯୋଗ ରହିଛି। ଏପରିକି ଟଙ୍କା ସଂଗ୍ରହ ପରେ କମ୍ପାନୀ ଏହାର କାର୍ଯ୍ୟାଳୟ ବନ୍ଦ କରିଦେଇଥିବା ଅଭିଯୋଗ ଆସିଥିଲା ।