ନୂଆଦିଲ୍ଲୀ: ପଲିଟିକାଲ କନ୍ସଲାଟନ୍ସି ଫର୍ମ I-PACର କାର୍ଯ୍ୟାଳୟ ଏବଂ ଏହାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନ ଉପରେ ଚଢଉ ଘଟଣାରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ନୂତନ ଆବେଦନରେ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ (DGP) ରାଜୀବ କୁମାରଙ୍କ ସମେତ କିଛି ଉଚ୍ଚ ପଦାଧିକାରୀଙ୍କୁ ନିଲମ୍ବନ କରିବାକୁ ଅନୁରୋଧ କରିଛି ED।

ED ଅଭିଯୋଗ କରିଛି ଯେ ଏହି ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମିଶି ତଦନ୍ତରେ ବାଧା ସୃଷ୍ଟି କରିଥିଲେ। ପ୍ରମାଣ ଚୋରି କରିବାରେ ସହାୟତା କରିଥିଲେ। ଏହାର ନୂଆ ଆବେଦନରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଏବଂ ଭାରତ ସରକାରଙ୍କ କାର୍ମିକ ଏବଂ ତାଲିମ ବିଭାଗ (DOPT) କୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି ED।

ଆବେଦନରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଡିଜିପି ରାଜୀବ କୁମାର ପୂର୍ବରୁ କୋଲକାତା ପୋଲିସ କମିଶନର ଭାବରେ କାର୍ଯ୍ୟ କରୁଥିବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଧାରଣାରେ ବସିଥିଲେ।

ସୁପ୍ରିମକୋର୍ଟ ଗୁରୁବାର ଇଡି ଦ୍ୱାରା ଦାୟର ଅନ୍ୟ ଏକ ଆବେଦନର ମଧ୍ୟ ଶୁଣାଣି କରିବେ, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ପଶ୍ଚିମବଙ୍ଗ ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇ-ପିଏସିର କାର୍ଯ୍ୟାଳୟ ଏବଂ ଏହାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ଚଢାଉ ଏବଂ ତଲାସୀ ଅଭିଯାନରେ ବାଧା ସୃଷ୍ଟି କରିଛନ୍ତି। ବିଚାରପତି ପ୍ରଶାନ୍ତ କୁମାର ଶର୍ମା ଏବଂ ବିପୁଲ ଏମ୍. ପାଞ୍ଚୋଲିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

ତୁରନ୍ତ ନ୍ୟାୟିକ ହସ୍ତକ୍ଷେପ ଲୋଡ଼ି ଇଡି ଦାବି କରିଛି ଯେ ସର୍ଚ୍ଚ ଅପରେସନ ସମୟରେ ଏହାର ଅଧିକାରୀମାନେ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ ଏବଂ ଆଇନ ଅନୁଯାୟୀ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରୁ ସେମାନଙ୍କୁ ବାଧା ଦିଆଯାଇଥିଲା। ଏଜେନ୍ସି ଏହା ମଧ୍ୟ ଦାବି କରିଛି ଯେ ପଶ୍ଚିମବଙ୍ଗ ଅଧିକାରୀଙ୍କ ହସ୍ତକ୍ଷେପ ଏହାର ତଦନ୍ତର ନିରପେକ୍ଷତାକୁ ବିପଦରେ ପକାଇଛି। ତଥାପି, ପଶ୍ଚିମବଙ୍ଗ ସରକାର ମଧ୍ୟ ଏକ କ୍ୟାଭିଟ୍ ଦାଖଲ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବଙ୍ଗ ସରକାର ଅନୁରୋଧ କରିଛନ୍ତି ଯେ ତାଙ୍କ ପକ୍ଷ ନଶୁଣି କୌଣସି ନିର୍ଦ୍ଦେଶ ଦିଆଯିବା ଉଚିତ୍ ନୁହେଁ।