ଭୁବନେଶ୍ୱର ୦୩।୦୮ : ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ଅପରାହ୍ଣରେ କଟକ ସ୍ଥିତ ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ । ୪ ତାରିଖରେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ । ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିବେ ।

ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ପାଖେ ପାଖେ କମାଣ୍ଡୋ ମୁତୟନ ରହିବେ । ଭୁବନେଶ୍ୱର କଟକରେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ଜଗିବେ । ୧୫୦ ଜଣ ପୋଲିସ ଅଫିସର ତଦାରଖ କରିବେ । ଜଣେ ଲେଖାଏଁ ଏସ୍ପି ପାହ୍ୟା ଅଧିକାରୀ ପ୍ରତି କାର୍ଯ୍ୟକ୍ରମସ୍ଥଳର ସୁରକ୍ଷା ଦାୟିତ୍ୱରେ ରହିବେ ।

ସୋମବାର ଅପରାହ୍ଣ ୨ଟା ୨୦ ମିନିଟ୍ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ଅପରାହ୍ଣ ସାଢ଼େ ୨ଟାରେ ରାଷ୍ଟ୍ରପତିଙ୍କ କାରକେଡ୍ ଲୋକଭବନ ଅଭିମୁଖେ ବାହାରିବ । ସେଥିପାଇଁ ଅପରାହ୍ଣ ୨ଟା ୧୦ ମିନିଟ୍ରୁ ୨ଟା ୪୫ ମିନିଟ୍ ଯାଏ ଏୟାରପୋର୍ଟ ଛକ ହସ୍ପିଟାଲ ଛକରୁ ଏଜି ଛକ ଦେଇ ଲୋକଭବନ ଛକ ଯାଏ ରାସ୍ତା ବନ୍ଦ ରହିବ । ଅପରାହ୍ଣ ୪ଟାରେ ଲୋକଭବନରୁ ବାହାରି ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟକୁ ଯିବେ । ସେଠାରୁ ଫେରିବା ପରେ ଲୋକଭବନରେ ରାତ୍ରିଯାପନ କରିବେ ।

Also Read:-ଇଜିପ୍ଟରେ ବଡ ଧରଣର ଭୂମିକମ୍ପ, କ୍ୟାମେରାରେ କଏଦ ହେଲା ଝଟକାର ଭୟଙ୍କର ଦୃଶ୍ୟ : ଆଖପାଖରେ ପଡିଲା ପ୍ରଭାବ

ତା’ପରଦିନ ସକାଳ ୮ଟା ୪୫ ମିନିଟ୍ରେ ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚିବେ ରାଷ୍ଟ୍ରପତି । ଭିଆଇପି ଲାଉଞ୍ଜ ଦେଇ ପ୍ଲାଟଫର୍ମ ନଂ ୧ କୁ ଯିବେ । ଦିଲ୍ଲୀରୁ ଆସିଥିବା ‘ସ୍ପେଶାଲ ସାଲୁନ୍’ ଟ୍ରେନ୍ରେ ସକାଳ ୯ଟାରେ ରାଷ୍ଟ୍ରପତି ବ୍ରହ୍ମପୁର ଅଭିମୁଖେ ବାହାରିବେ । ଏହି ସ୍ୱତନ୍ତ୍ର ଟ୍ରେନ୍କୁ ଆଗ ପଛ ହୋଇ ୨ଟି ଟ୍ରେନ୍ ଏସକର୍ଟ କରିବ । ସେହି ଟ୍ରାକ୍ରେ ଅନ୍ୟ କୌଣସି ଟ୍ରେନ୍ ଯିବ ନାହିଁ। ଭୁବନେଶ୍ୱର ଓ ବ୍ରହ୍ମପୁର ରେଳଷ୍ଟେସନକୁ ପୁଲିସ ଛାଉଣୀ କରାଯିବ । ୨ଟି ରେଳଷ୍ଟେସନର କୋଣ ଅନୁକୋଣକୁ ଯାଞ୍ଚ ଚାଲିଛି । ବମ୍ ସ୍କ୍ୱାର୍ଡ ଓ ସନ୍ଧାନୀ କୁକୁର ସଜାଗ ଅଛନ୍ତି। ସୋମବାର ସନ୍ଧ୍ୟାରୁ ୨ଟି ରେଳଷ୍ଟେସନକୁ ହାଇଆଲର୍ଟରେ ରଖାଯିବ । ପ୍ରତିଟି ଯାତ୍ରୀ ଓ ଜିନିଷପତ୍ରକୁ ଟିକିନିଖି ଯାଞ୍ଚ କରାଯିବ।

ଭୁବନେଶ୍ୱର ରେଳଷ୍ଟେସନରେ ୧୫ ପ୍ଲାଟୁନ୍ ଫୋର୍ସ ଜଗିବେ । ସେଥିରେ କମିଶନରେଟ୍ ପୋଲିସ ସହ ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ଓ ଜିଆର୍ପିର ଫୋର୍ସ ମୁତୟନ ହେବେ । ବ୍ରହ୍ମପୁର ରେଳଷ୍ଟେସନରୁ ରାଷ୍ଟ୍ରପତି ସଡ଼କ ପଥରେ ତପ୍ତପାଣି ବୁଲିବା ସହ ମା' କନ୍ଧୁଣୀ ଦେବୀ ପୀଠକୁ ଯିବେ । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ଙ୍କ କହିବା ମୁତାବକ, ତାଙ୍କ ସହ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆସିବା କାର୍ଯ୍ୟକ୍ରମ ରହିଛି । ମା’ଙ୍କ ଦର୍ଶନ ପରେ ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ରାତିରେ ରହିବେ । ତା’ପରଦିନ ରାଷ୍ଟ୍ରପତି ବ୍ରହ୍ମପୁରରୁ ରେଳ ଯୋଗେ ଭୁବନେଶ୍ୱରରେ ପହଞ୍ଚି ସେଠାରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯିବେ ।