ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ମାଗଣାରେ ଖାଦ୍ୟ କିମ୍ବା ପାଣି ମାଗଣାରେ ବଣ୍ଟନ କଥା ଶୁଣିଥିବେ । ହୋଇପାରେ କେହି କୌଣସି ବ୍ୟକ୍ତି କିମ୍ବା କୌଣସି ସଂସ୍ଥା ତରଫରୁ କରାଯାଇଥାଇପାରେ । ହେଲେ ଏବେ କିନ୍ତୁ ଦେଶରେ ଦାମୀ ‘ଆଇଫୋନ୍’ ବଣ୍ଟା ଚର୍ଚ୍ଚାର ବିଷୟ ପାଲଟିଛି। ପଞ୍ଜାବ ଅମୃତସରର ଜଣେ ପ୍ରସିଦ୍ଧ ବ୍ୟବସାୟୀ ଏହି ଆଇଫୋନ୍ ବାଣ୍ଟୁଛନ୍ତି।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଅମୃତସରର ଏହି ପ୍ରସିଦ୍ଧ ବ୍ୟବସାୟୀ ରାକେଶ ତ୍ରେହାନ ଓରଫ ‘ରାଜା ଡି କିଙ୍ଗ’ ଚଣ୍ଡୀଗଡ଼ ଏବଂ ମୋହାଲିବାସୀଙ୍କ ପାଇଁ ଏଭଳି ଏକ ଅଦ୍ଭୁତ ଆଇଫୋନ୍ ଲଙ୍ଗର (ମାଗଣା ଆଇଫୋନ୍ ବଣ୍ଟନ)ର ଆୟୋଜନ କରିଛନ୍ତି। ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ଏକ ଲକି ଡ୍ର’ ମାଧ୍ୟମରେ ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ନୂଆ iPhone 17 ବଣ୍ଟନ ମଧ୍ୟ କରାଯାଇଛି।

ଲକି ଡ୍ର’ ବାହାରିବା ପରେ ବ୍ୟବସାୟୀ ରାଜା ଡି କିଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି ସେ ଗ୍ରାହକଙ୍କୁ ଆଇଫୋନ୍ ୧୬ ଦେଇଥାନ୍ତେ ତେବେ ଲୋକେ ପ୍ରଶ୍ନ କରିଥାନ୍ତେ ଯେ, ବଜାରକୁ ଆଇଫୋନ୍ ୧୭ ଆସିସାରିଥିବା ବେଳେ ପୁରୁଣା ମଡେଲ କାହିଁକି ଦିଆଗଲା। ତେଣୁ ସେ ଉପଲବ୍ଧତା ଏବଂ ନୂଆ ଆଇଫୋନ୍ ପ୍ରତି ଲୋକଙ୍କ କ୍ରେଜ୍କୁ ଦେଖି ସିଧାସଳଖ ନୂଆ ଦାମ୍ରେ iPhone 17 କିଣି ଲୋକଙ୍କୁ ବାଣ୍ଟିଛନ୍ତି। ବିଜେତାମାନଙ୍କୁ ଫୋନ୍ ନେବା ପାଇଁ କୌଣସି ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବରଂ ସେମାନଙ୍କ ଘରେ ସୁରକ୍ଷିତ ଭାବେ ଫୋନ୍ ପହଞ୍ଚାଇ ଦିଆଯିବ।

ମାଗଣା ଆଇଫୋନ୍ ପାଇଁ ରହିଛି ସର୍ତ୍ତ

ଏହି ମାଗଣା ଆଇଫୋନ୍ ଦୌଡ଼ରେ ସାମିଲ ହେବା ପାଇଁ ଆୟୋଜକଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ସର୍ତ୍ତ ରଖାଯାଇଛି। ଲଙ୍ଗରରେ ଭାଗ ନେଉଥିବା ଲୋକଙ୍କୁ ସୋସିଆଲ ମିଡିଆ ବା ସ୍ୱତନ୍ତ୍ର ପ୍ଲାଟଫର୍ମରେ ପ୍ରତିଦିନ ‘ଜୟ ମାତା ଦି’ (Jai Mata Di) ଲେଖିବାକୁ ପଡ଼ିବ। ଯଦି କେହି ବ୍ୟକ୍ତି କୌଣସି ଦିନ ଏହା ଲେଖିବାକୁ ଭୁଲିଯାଆନ୍ତି, ତେବେ ପରଦିନ ତାଙ୍କୁ ଦୁଇଥର ‘ଜୟ ମାତା ଦି’ ଲେଖି ଏହାର ଭରଣା କରିବାକୁ ହେବ। ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଯେଉଁମାନେ ଏହି ନିୟମ ପାଳନ କରିବେ ନାହିଁ, ସେମାନେ ଆଇଫୋନ୍ ପାଇବା ସୁଯୋଗ ହରାଇବେ ବୋଲି କହିଛନ୍ତି ରାକେଶ।

Also Read: ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ଏଣିକି ବଜାରରେ ମିଳିବନି ନକଲି ସ୍କ୍ରିନ୍ ଗାର୍ଡ

ପ୍ରଶାସନର କଟକଣା ଓ ଆଗାମୀ ଯୋଜନା

ପୂର୍ବରୁ ଚଣ୍ଡୀଗଡ଼ରେ ୧୦୦ଟି ଏବଂ ମୋହାଲିରେ ୨୦୦ଟି ଆଇଫୋନ୍ ବାଣ୍ଟିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ପ୍ରଶାସନିକ ନିୟମ ଏବଂ ଅତ୍ୟଧିକ ଭିଡ଼କୁ ଏଡ଼ାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ କେବଳ ୧୦ଟି ଫୋନ ବଣ୍ଟାଯାଇଛି। ରାଜା ଡି କିଙ୍ଗ କହିଛନ୍ତି ଯେ, ସେ କୌଣସି ବେଆଇନ କାମ କରିବାକୁ ଚାହାଁନ୍ତି ନାହିଁ ଏବଂ ନିଜ ସମ୍ପତ୍ତିର ସମସ୍ତ ତଥ୍ୟ ସରକାରଙ୍କୁ ଦେଇଛନ୍ତି। ଏହା ପୂର୍ବରୁ ସେ ମାଗଣା ପେଟ୍ରୋଲ ଲଙ୍ଗର ମଧ୍ୟ କରିଥିଲେ। ଆଗାମୀ ଦିନରେ ପଞ୍ଜାବର ଅନ୍ୟ ୧୦ଟି ସହରରେ ଏହି ଆଇଫୋନ୍ ଲଙ୍ଗର ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।