କଟକ : ଓଡ଼ିଶାର ଗଣମାଧ୍ୟମ ଜଗତ ହରାଇଲା ଜଣେ ଦକ୍ଷ ମାର୍ଗଦର୍ଶକ, ସାହିତ୍ୟ ଜଗତ ହରାଇଲା ଜଣେ ସୃଜନଶୀଳ ସାଧକ । ପରଲୋକରେ ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ, କବି, ଲେଖକ ତଥା ଶିକ୍ଷାବିତ୍ ଡ. ଦୀପକ ସାମନ୍ତରାୟ । ୬୯ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। କଟକ ରୋଭର୍ସ ଷ୍ଟ୍ରିଟ ସ୍ଥିତ ବାସ ଭବନରେ ତାଙ୍କର ପରଲୋକ ଘଟିଛି। କଲମରେ ଇତିହାସ, କଣ୍ଠରେ ସାହିତ୍ୟ ଆଉ କାର୍ଯ୍ୟରେ କଟକର ଐତିହ୍ୟକୁ ଜୀବନ୍ତ ରଖିଥିବା ବ୍ୟକ୍ତିତ୍ୱଙ୍କୁ ହରାଇ ଓଡ଼ିଶା ଗଣମାଧ୍ୟମ, ସାହିତ୍ୟ ଓ ସଂସ୍କୃତି ଜଗତରେ ଶୋକର ଛାୟା । ଆକାଶବାଣୀ ଓ ଦୂରଦର୍ଶନ ସହ ଦୀର୍ଘ ୩୫ ବର୍ଷରୁ ଅଧିକ ସମୟର ସମ୍ପର୍କ, ସାହିତ୍ୟ ସର୍ଜନା ଏବଂ କଟକର ଐତିହ୍ୟ ସଂରକ୍ଷଣ ପାଇଁ ତାଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ । ଡ. ଦୀପକ ସାମନ୍ତରାୟ ଆକାଶବାଣୀ ଓ ଦୂରଦର୍ଶନର NABMର ପୂର୍ବତନ ନିର୍ଦ୍ଦେଶକ ଥିଲେ । ୧୯୮୭ରୁ ବିଭିନ୍ନ ରେଡିଓ କାର୍ଯ୍ୟକ୍ରମ, ନାଟକ, ସାକ୍ଷାତକାର ଓ ଧାରାବାହିକ ପ୍ରସ୍ତୁତି ଓ ଉପସ୍ଥାପନା କରିଥିଲେ ।  ସେ ଅଲ୍ ଇଣ୍ଡିଆ ରେଡିଓରେ ରେଡିଓ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ଅଲ୍ ଇଣ୍ଡିଆ ରେଡିଓ ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ। ଏହ ସହ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ପାଠ ପଢ଼ାଉଥିଲେ। ଅବସର ପରେ କଟକ ହେରିଟେଜ ଓ୍ବାକ୍ ସଂଗଠନର ସଂଯୋଜକ ଭାବେ ଦାୟିତ୍ୱ ତୁଲାଉଥିଲେ।

ଡ. ଦୀପକ ସାମନ୍ତରାୟ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଓ ଏଲ୍ଏଲବି ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ। ‘ଛାଇ ଆଲୁଅର ପଶାଖେଳ’, ‘କଣ୍ଟାଲେଖା’, ‘ଶୋଷ’ ଓ ‘ସେଭେନ୍ ହର୍ସେସ୍’ ଭଳି କବିତା ପୁସ୍ତକ ସହ ‘ଆଜିର ଅନୁଚିନ୍ତା’ ଓ ‘ଶାନ୍ତ ମନ ସୁସ୍ଥ ଜୀବନ’ ଭଳି ତାଙ୍କର ଗଦ୍ୟ ପୁସ୍ତକ ରଚନା ଆଜି ବି ଦର୍ଶକଙ୍କ ଗହଣରେ ଅମର। ଅଙ୍ଗନବାଡ଼ି ପିଲାଙ୍କ ପାଇଁ ୧୫୬ ଅଧ୍ୟାୟ ବିଶିଷ୍ଟ ‘କାଳିକା’, ସମାଜ ସଂସ୍କାରକଙ୍କ ଉପରେ ‘ଦଧ୍ୟତା ଭକ୍ତି’ ଏବଂ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଉପରେ ‘ମୁକ୍ତିରତ୍ନୁର୍ଯ୍ୟାନନ୍ଦ’ ଭଳି କାର୍ଯ୍ୟକ୍ରମ ତାଙ୍କର ଉଲ୍ଲେଖନୀୟ ସୃଷ୍ଟି। ଯାହା ଆଜି ବି ପ୍ରଶଂସନୀୟ । ସେ 'କଟକ ହେରିଟେଜ୍ ୱାକ୍' ସମେତ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସହିତ ମଧ୍ୟ ସକ୍ରିୟ ଭାବେ ଜଡ଼ିତ ଥିଲେ।

Also Read- ପରଲୋକରେ ପ୍ରଖ୍ୟାତ ସ୍ନାୟୁ ଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର, ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ

କେବଳ ଗଣମାଧ୍ୟମ ଓ ସାହିତ୍ୟ ନୁହେଁ, କଟକର ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଅବଦାନ ଥିଲା। କଟକ ହେରିଟେଜ୍ ୱାକର ମୁଖ୍ୟ ପ୍ରେରଣାଶକ୍ତି ଭାବେ ସେ କାର୍ଯ୍ୟ କରିଥିଲେ। କଟକ ତାରକସିକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପ୍ରୟାସରେ ମଧ୍ୟ ସେ ବେଶ୍ ଉତ୍ସାହର ସହ ଜଡ଼ିତ ଥିଲେ। ଆଉ ଆଜି ତାଙ୍କ ବିୟୋଗରେ ଗଣମାଧ୍ୟମ, ସାହିତ୍ୟ ଓ ଐତିହ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି। କଟକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦୀପକ ସାମନ୍ତରାୟଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।