ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଇରାନର ଶକ୍ତି କେନ୍ଦ୍ର ତଥା ଭିତ୍ତିଭୂମି ଉପରେ ଆକ୍ରମଣ କରିବା ନେଇ ଅଶ୍ଳୀଳ ଭାଷାରେ ଧମକ ଦେବା ପରେ ଆମେରିକା ରାଜନୀତିରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ଟ୍ରମ୍ପଙ୍କ ଏହି ବୟାନ ପରେ ଉଭୟ ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ଦଳର ନେତାମାନେ ତାଙ୍କୁ ଜଣେ "ମାନସିକ ଭାରସାମ୍ୟ ହରାଇଥିବା ପାଗଳ" (Deranged lunatic) ବୋଲି ଅଭିହିତ କରିଛନ୍ତି। ଏହାସହ ଆମେରିକୀୟ ସମ୍ବିଧାନର ୨୫ତମ ସଂଶୋଧନ (25th Amendment) ଲାଗୁ କରି ତାଙ୍କୁ ତୁରନ୍ତ ରାଷ୍ଟ୍ରପତି ପଦରୁ ହଟାଇବାକୁ ଦାବି ଜୋର ଧରିଛି।

ଟ୍ରମ୍ପ କ'ଣ କହିଛନ୍ତି?

ଟ୍ରମ୍ପ ନିଜର ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍'ରେ ଏକ ପୋଷ୍ଟ କରି ଇରାନକୁ ଖୋଲାଖୋଲି ଧମକ ଦେଇଛନ୍ତି। ବନ୍ଦ ଥିବା ହରମୁଜ୍ ଜଳପଥ (Strait of Hormuz) ଖୋଲିବାକୁ ନେଇ ସେ ଇରାନକୁ ଗାଳିଗୁଲଜ କରିବା ସହ ଏକ ଅଶ୍ଳୀଳ ପୋଷ୍ଟ କରିଛନ୍ତି। ମଙ୍ଗଳବାର ସୁଦ୍ଧା ଜଳପଥ ନଖୋଲିଲେ ଇରାନର ପାୱାର ପ୍ଲାଣ୍ଟ୍ ଏବଂ ବ୍ରିଜ୍ ଉପରେ ବୋମାମାଡ଼ କରାଯାଇ ନଷ୍ଟ କରିଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ।

ଆମେରିକୀୟ ନେତା ଓ ସାଂସଦଙ୍କ କଡ଼ା ପ୍ରତିକ୍ରିୟା

  •   ମାର୍ଜୋରୀ ଟେଲର୍ ଗ୍ରୀନ୍: ଟ୍ରମ୍ପଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ତଥା ନେତ୍ରୀ ମାର୍ଜୋରୀ କହିଛନ୍ତି ଯେ ଟ୍ରମ୍ପ ଏବେ ପାଗଳ ହୋଇଯାଇଛନ୍ତି ଏବଂ ତାଙ୍କର ଏହି 'ପାଗଳାମୀ'କୁ କେହି ଜଣେ ଅଟକାଇବା ଦରକାର। ଇରାନର ଭିତ୍ତିଭୂମି ଉପରେ ଆକ୍ରମଣ କଲେ ସାଧାରଣ ନାଗରିକଙ୍କ ଜୀବନ ଯିବ, ଯାହାକି ଅମାନବୀୟ ଅଟେ। "ଏହା ଆମେରିକାକୁ ମହାନ କରିବ ନାହିଁ, ବରଂ ଏହା ଏକ ଦୁଷ୍ଟାମୀ" ବୋଲି ସେ କହିଛନ୍ତି।
  •   ଚକ୍ ସୁମର୍ ଓ ବର୍ଣ୍ଣି ସ୍ୟାଣ୍ଡର୍ସ: ସିନେଟ୍ ସଂଖ୍ୟାଲଘୁ ନେତା ଚକ୍ ସୁମର୍ ଟ୍ରମ୍ପଙ୍କୁ ସୋସିଆଲ୍ ମିଡିଆରେ ବିଳାପ କରୁଥିବା ଜଣେ 'ମାନସିକ ଭାରସାମ୍ୟ ହରାଇଥିବା ପାଗଳ' ବୋଲି କହିଛନ୍ତି। ସ୍ୱାଧୀନ ସାଂସଦ ବର୍ଣ୍ଣି ସ୍ୟାଣ୍ଡର୍ସ ତାଙ୍କୁ 'ଅସ୍ଥିର' ଏବଂ ବିପଜ୍ଜନକ ବୋଲି ଦର୍ଶାଇ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ କଂଗ୍ରେସକୁ ନିବେଦନ କରିଛନ୍ତି।
  •   ଅନ୍ୟାନ୍ୟ ନେତା: ସାଂସଦ କ୍ରିସ୍ ମର୍ଫି କହିଛନ୍ତି ଯେ ଟ୍ରମ୍ପ ହଜାର ହଜାର ଲୋକଙ୍କୁ ମାରିସାରିଲେଣି ଏବଂ ଆହୁରି ମାରିବେ। ରୋ ଖାନ୍ନା, ୟାସମିନ୍ ଅନସାରୀ, ମେଲାନି ଷ୍ଟାନସବରୀ ଏବଂ ଇଲିନୋଇସ୍ ଗଭର୍ଣ୍ଣର ଜେ.ବି. ପ୍ରିଜକର୍ ମଧ୍ୟ ଟ୍ରମ୍ପଙ୍କୁ ଦେଶ ତଥା ବିଶ୍ୱ ସୁରକ୍ଷା ପାଇଁ ବଡ଼ ବିପଦ ବୋଲି କହିବା ସହ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପଦରୁ ହଟିବା ନେଇ ବଢ଼ୁଛି ବେଟିଂ 

ଟ୍ରମ୍ପଙ୍କୁ ସମ୍ବିଧାନର ୨୫ତମ ସଂଶୋଧନ ବଳରେ ପଦଚ୍ୟୁତ କରାଯିବାର ସମ୍ଭାବନାକୁ ନେଇ କାଲଶି (Kalshi) ଭଳି ଆମେରିକୀୟ ବେଟିଂ ତଥା ପ୍ରିଡିକ୍ସନ୍ ପ୍ଲାଟଫର୍ମରେ ନିବେଶକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କ୍ୟାବିନେଟ୍ ରାଷ୍ଟ୍ରପତିଙ୍କୁ ଅଯୋଗ୍ୟ ଘୋଷଣା କରିବ କି ନାହିଁ, ସେନେଇ ଲୋକେ ବଡ଼ ଧରଣର ବାଜି ଲଗାଉଛନ୍ତି।

କ'ଣ ଏହି ୨୫ତମ ସଂଶୋଧନ (25th Amendment)?

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ହତ୍ୟା ପରେ ୧୯୬୭ ମସିହାରେ ସମ୍ବିଧାନରେ ଏହି ୨୫ତମ ସଂଶୋଧନ ଅଣାଯାଇଥିଲା, ଯେଉଁଥିରେ ୪ଟି ପ୍ରମୁଖ ବିଭାଗ ରହିଛି:

  •   ସେକ୍ସନ୍ ୧ ଏବଂ ୨: ରାଷ୍ଟ୍ରପତିଙ୍କ ପଦବୀ ଖାଲି ପଡ଼ିଲେ ଉପରାଷ୍ଟ୍ରପତି କିପରି ଦାୟିତ୍ୱ ନେବେ, ତାହା ନିର୍ଦ୍ଧାରଣ କରେ।
  •   ସେକ୍ସନ୍ ୩: ଚିକିତ୍ସା କିମ୍ବା ଅନ୍ୟ କୌଣସି କାରଣରୁ ରାଷ୍ଟ୍ରପତି ଅସ୍ଥାୟୀ ଭାବେ ଉପରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତର କରିପାରିବେ।
  •   ସେକ୍ସନ୍ ୪ (ମୁଖ୍ୟ ବିବାଦୀୟ ଅଂଶ): ଏହି ଧାରା ଅନୁଯାୟୀ, ଯଦି ଉପରାଷ୍ଟ୍ରପତି ଏବଂ କ୍ୟାବିନେଟ୍ ଅନୁଭବ କରନ୍ତି ଯେ ରାଷ୍ଟ୍ରପତି ନିଜର ଦାୟିତ୍ୱ ପାଳନ କରିବାକୁ ମାନସିକ କିମ୍ବା ଶାରୀରିକ ଭାବେ ସମ୍ପୂର୍ଣ୍ଣ ଅକ୍ଷମ, ତେବେ ସେମାନେ ତାଙ୍କୁ ପଦରୁ ହଟାଇ ପାରିବେ ଏବଂ ଉପରାଷ୍ଟ୍ରପତି କାର୍ଯ୍ୟକାରୀ ରାଷ୍ଟ୍ରପତି (Acting President) ଦାୟିତ୍ୱ ଗ୍ରହଣ କରିବେ। ଯଦି ରାଷ୍ଟ୍ରପତି ଏହାକୁ ବିରୋଧ କରନ୍ତି, ତେବେ କଂଗ୍ରେସରେ ଦୁଇ-ତୃତୀୟାଂଶ (୨/୩) ଭୋଟ୍ ମାଧ୍ୟମରେ ଏହାକୁ ପାରିତ କରିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ ଯେ, ଆମେରିକା ଇତିହାସରେ ଆଜି ପର୍ଯ୍ୟନ୍ତ ଏହି ୪ର୍ଥ ଧାରା କେବେବି ପ୍ରୟୋଗ କରାଯାଇନାହିଁ।