ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ କହି ହେଉଛନ୍ତି ବୁଝାମଣା କରିବାକୁ ଇରାନ ବ୍ୟକୁଳ, ହେଲେ ଏବେ ଅସଲ ଚିନ୍ତାର କାରଣ ହେଉଛନ୍ତି ସେ ନିଜେ। ଯଦି ଯୁଦ୍ଧକୁ ନେଇ ଆଗାମୀ ୧୫ ଦିନରେ କୌଣସି ବୁଝାମଣା ନ ହୁଏ ତେବେ ଆଗକୁ ଇରାନ ଆଗରେ ଟ୍ରମ୍ପଙ୍କୁ ହାତ ଯୋଡିବାକୁ ପଡିପାରେ। ଏହାର କାରଣ ହେଉଛି ଆମେରିକାର ‘ୱାର ପାୱାର ଆକ୍ଟ’। ଏହି ଆଇନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ କ୍ଷମତାକୁ ସୀମିତ କରିଦେଇପାରେ। ବୁଧବାର ସିନେଟରେ ଟ୍ରମ୍ପଙ୍କ ବିରୋଧରେ ଏପରି ଆଇନ ଜାଲ ବୁଣା ହୋଇଛି ଯାହା ସଂସଦ ଅନୁମତି ବିନା ତାଙ୍କୁ ଯୁଦ୍ଧ ଜାରି ରଖିବାରେ ରୋକି ଦେବ।

ଡେମୋକ୍ରାଟଙ୍କ ରଣନୀତି
ଆମେରିକାରେ ବିରୋଧୀ ଦଳ ଡେମୋକ୍ରାଟ ଏବେ ନିଶ୍ଚିତ କରିନେଇଛନ୍ତି ଦେଶର ଭବିଷ୍ୟତ ନିଷ୍ପତ୍ତି ଟ୍ରମ୍ପଙ୍କୁ ଏକାକୀ ନେବାକୁ ଦିଆଯିବନି। ସେମାନେ ୱାର ପାୱାର ଆକ୍ଟରେ ଟ୍ରମ୍ପଙ୍କ କ୍ଷମତା କମ୍ କରିବା ପାଇଁ ଭୋଟିଂ କରିବାକୁ ଯାଉଛନ୍ତି। ଯଦି ବିରୋଧୀଙ୍କ ଏହି ଆଇନ ଜାଲ ସଫଳ ହୋଇ ଯାଏ ତେବେ ଟ୍ରମ୍ପଙ୍କୁ ଇରାନ ଆଗରେ ହାତ ଯୋଡିବାକୁ ନଚେତ ନିଜ ସେନାକୁ ଫେରସ୍ତ ଡକାଇବା ଛଡା ଅନ୍ୟ କୌଣସି ବିକଳ୍ପ ନଥିବ। ଏଣୁ ଟ୍ରମ୍ପ ଏବେ ଜେନତେନ ପ୍ରକାରେଣ ଇରାନକୁ ପୁଣି ଆଲୋଚନା ଟେବୁଲକୁ ଆଣିବା ଲାଗି କୂଟନୈତିକ ଚାଲ ଚଳାଇବା ଆରମ୍ଭ କରିଦେଇଛନ୍ତି।

ୱାର ପାୱାର ଆକ୍ଟର ମହତ୍ୱ
ଆମେରିକୀୟ ଆଇନରେ ୱାର ପାୱାର ଆକ୍ଟ ଏକ ଏପରି ଆଇନ ଯେଉଁଥିରେ ରାଷ୍ଟ୍ରପତିଙ୍କୁ କଂଗ୍ରେସର ବିନା ଅନୁମତିରେ ୬୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିବାକୁ ଅନୁମତି ଦିଏ। ୨୮ ଫେବୃଆରୀରେ ଇରାନ ଉପରେ ଆକ୍ରମଣ ସହ ଆମେରିକା ଏ ପର୍ଯ୍ୟନ୍ତ ୪୫ ଦିନ ଯୁଦ୍ଧ କରିସାରିଲାଣି। ଏଣୁ ଟ୍ରମ୍ପଙ୍କ ନିକଟରେ ଯୁଦ୍ଧ ପାଇଁ ଆଉ ମାତ୍ର ୧୫ ଦିନ ରହିଛି। ଏହି ୧୫ ଦିନରେ ଇରାନକୁ ଟ୍ରମ୍ପ ଆଣ୍ଠୁମାଡି ବସାଇ ପାରିବେ ତାହା ଅନୁମାନ କରାଯାଇ ପାରୁନି। ଡେମୋକ୍ରାଟ ନେତା ଚକ୍ ସୁମାର କହିଛନ୍ତି ଯେ ମାମଲାରେ ରାଷ୍ଟ୍ରପତି ସଂସଦକୁ କଣଠେସା କରିଦେଇଛନ୍ତି, ଏବାବଦେ ତାଙ୍କୁ ଆଉ ଅଧିକ ସୁଯୋଗ ଦିଆଯିବନି।

ଡେମୋକ୍ରାଟଙ୍କ ଯୋଜନା
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶକ୍ତି ସୀମିତ କରିବା ପାଇଁ ବିରୋଧୀ ଡେମୋକ୍ରାଟ୍ ଏକ ୧୦ ସୂତ୍ରୀ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ହେଉଛି ଯେଉଁ ପର୍ଯ୍ୟନ୍ତ ଯୁଦ୍ଧ ସମାପ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ସେମାନେ ପ୍ରତି ସପ୍ତାହରେ ଗୋଟିଏ ଗୋଟିଏ କରି ପ୍ରସ୍ତାବ ଆଣିବେ। ଅନ୍ୟପଟେ ଟ୍ରମ୍ପ କହିଛନ୍ତି ଯେ ସେ ଇରାନ ସହିତ ଆଗାମୀ ୨ ଦିନରେ ପାକିସ୍ତାନରେ ପୁଣି କଥାବାର୍ତ୍ତା ଆରମ୍ଭ କରିବେ। ହେଲେ ତାଙ୍କ କଥାକୁ ଡେମୋକ୍ରାଟ କିନ୍ତୁ ଭରସା କରିପାରୁ ନାହାନ୍ତି ଓ ସଂସଦରେ ୱାର ପାୱାର ଆକ୍ଟ ଆଣିବାକୁ ଜିଦରେ ଅଡି ଯାଇଛନ୍ତି।

ସମର୍ଥନ କରୁଛନ୍ତି ରିପବ୍ଲିକାନ
ତେବେ ପୁରା ଘଟଣାକ୍ରମରେ ଶାସକ ରିପବ୍ଲିକାନ ପାର୍ଟି ଏବେବି ମଜଭୁତ ଭାବେ ଟ୍ରମ୍ପଙ୍କ ସହ ଛିଡା ହୋଇ ରହିଛି। ସେମାନଙ୍କ କହିବା କଥା ହେଉଛି ଟ୍ରମ୍ପଙ୍କ ଇରାନ ମିସନ ସଫଳ ହେଉଛି ଓ ସେ ଖୁବ୍ ଶୀଘ୍ର ଇରାନକୁ ଆଣ୍ଠୁମାଡି ବସେଇ ଦେବେ। ରିପବ୍ଲିକାନ ନେତା ଜନ ଥ୍ୟୁନ କହିଛନ୍ତି ଯେ ଏହି ଯୁଦ୍ଧ ପାଇଁ ଟ୍ରମ୍ପଙ୍କ ସ୍ପଷ୍ଟ ଯୋଜନା ରହିଛି। ଏଣୁ ଇରାନ ଯୁଦ୍ଧରୁ ଯାହା ଆଶା କରାଯାଉଥିଲା ତାହା ସଫଳ ହେଉଥିବା ଦେଖା ଯାଉଛି। ଟ୍ରମ୍ପଙ୍କୁ ସଂସଦ ପ୍ରଶ୍ନ କରିବାର ପରିସ୍ଥିତି ଉପୁଜିବ ନାହିଁ।

Also Read..ହର୍ମୁଜକୁ ନେଇ ନରମ ପଡିଲେ ଟ୍ରମ୍ପ, ଆଉ ୨ ସପ୍ତାହ ବଢିପାରେ ଯୁଦ୍ଧବିରାମ