ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମକେର ପରାଜୟ ପରେ ଏହାର ସହଯୋଗୀ କଂଗ୍ରେସ ଟିଭିକେକୁ ସମର୍ଥନ କରିଥିଲା।  ଏହାକୁ ନେଇ ଡିଏମକେ ଏବଂ କଂଗ୍ରେସ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏବେ ଦେଶରେ ଏସଆଇଆର ଏବଂ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ, ବିରୋଧୀ ଇଣ୍ଡି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ସେପଟେ ଛାତ୍ର ସଂଗଠନ ଭାବରେ ଉଭା ହୋଇଥିବା କକ୍ରୋଚ ଜନତା ପାର୍ଟି ମଧ୍ୟ ଏହିଭଳି ଆନ୍ଦୋଳନ କରୁଛି । ଆଉ ଏବେ ଇଣ୍ଡି ମେଣ୍ଟର ସହଯୋଗୀ ଥିବା ଡିଏମକେ ସିଜେପିକୁ ସମର୍ଥନ ଦେଇଥିବା ବେଳେ କଂଗ୍ରେସକୁ ବିଶ୍ବାସଘାତକ ବୋଲି କହିବା ସହ ନିଜକୁ ଦୂରେଇ ରଖିଛି । ଏନେଇ ଡିଏମକେ ସୁପ୍ରିମୋ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।

‘କଂଗ୍ରେସ ବିଶ୍ବାସଘାତକ’
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ.କେ. ଷ୍ଟାଲିନ୍ କଂଗ୍ରେସ ଦଳଠାରୁ ଦୂରତା ବଜାୟ ରଖିଛନ୍ତି । ସେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଡିଏମକେ କଂଗ୍ରେସକୁ ‘ବିଶ୍ୱାସଘାତକ’ ବୋଲି ଆଖ୍ୟା ଦେଇ ତାହା ସହିତ କୌଣସି କାର୍ଯ୍ୟକ୍ରମରେ ଭାଗ ନନେବାକୁ ନିଷ୍ପତ୍ତି ନେଇଛି। ଶନିବାର ପାର୍ଟି ଅଧ୍ୟକ୍ଷ ଏମ.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଏମକେ ସାଂସଦମାନଙ୍କ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି ।

ସିଜେପିକୁ ପୂର୍ଣ୍ଣ ସମର୍ଥନ
ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା, SIR ବ୍ୟବସ୍ଥାକୁ ରଦ୍ଦ କରିବା ଏବଂ ବାଲାଟ୍ ପେପର ବ୍ୟବସ୍ଥାକୁ ପୁନଃପ୍ରଚଳନ କରିବା ପାଇଁ ଦାବି କରାଯାଇଛି। ନିର୍ବାଚନ ମଣ୍ଡଳୀ ଓ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କଂଗ୍ରେସ ଏବଂ ତାମିଲନାଡୁର ଶାସକ ଦଳ TVK ଦୋମୁହାଁ ନୀତି ଆପଣାଉଛନ୍ତି ବୋଲି ଡିଏମକେ ଅଭିଯୋଗ କରିଛି। ଗଣତାନ୍ତ୍ରିକ ପଦ୍ଧତିରେ CJP ଏବଂ ଛାତ୍ର ସଂଗଠନଗୁଡ଼ିକ ଦ୍ୱାରା ଚାଲିଥିବା ପ୍ରତିବାଦକୁ ଡିଏମକେ ନିଜର ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି।

ସିଜେପି ସହ ମେଣ୍ଟ ?
ଚେନ୍ନାଇରେ SIR ବିରୋଧରେ ଆୟୋଜିତ ଛାତ୍ର ପ୍ରତିବାଦରେ ଯୋଗଦେଇ ଡିଏମକେ ସାଂସଦ କନିମୋଝୀ କହିଛନ୍ତି ଯେ, ‘ଡିଏମକେ ଭାରତର ଯୁବସମାଜ ସହ ଦୃଢ଼ ଭାବରେ ଝିଡ଼ା ହୋଇଛି।’ ସେହିଭଳି ସିଜେପି ସହ ମେଣ୍ଟ ହେବ କି ପ୍ରଶ୍ନରେ ଡିଏମକେ ସାଂସଦ କହିଛନ୍ତି, ସିଜେପି ଏପର୍ଯ୍ୟନ୍ତ ଏକ ଆନୁଷ୍ଠାନିକ ଦଳ ଭାବରେ ଗଠିତ ହୋଇନାହିଁ ।  CJPର ଏକ ପୂର୍ଣ୍ଣାଙ୍ଗ ରାଜନୈତିକ ଦଳ ହୋଇ ଭବିଷ୍ୟତରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି ବୋଲି ସେ ଆକଳନ କରିଛନ୍ତି।

ସେପଟେ ପ୍ରତିବାଦକାରୀଙ୍କ ଉପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଷ୍ଟାଲିନ୍ ନିନ୍ଦା କରିଛନ୍ତି । ଷ୍ଟାଲିନ୍ ଏକ୍ସରେ ଲେଖିଛନ୍ତି, ‘ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ କେନ୍ଦ୍ର ସରକାର ଦମନ କରିବା ବନ୍ଦ କରନ୍ତୁ। ଯେତେ ଦମନଲୀଳା ଚଳାଇବେ, ଏହି ଆନ୍ଦୋଳନ ସେତେ ଦୃଢ଼ ହେବ।’ ଏହାପୂର୍ବରୁ ଜନ୍ତର ମନ୍ତରଠାରେ CJP ନେତା ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ଅଟକ ପ୍ରସଙ୍ଗରେ ମଧ୍ୟ ଷ୍ଟାଲିନ୍ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।