ମୁମ୍ୱାଇ ୦୪।୦୮ : ଦିବ୍ୟା ଭାରତୀ ଭାରତୀୟ ସିନେମାର ଏମିତି ଜଣେ ସୁନ୍ଦରୀ ଅଭିନେତ୍ରୀ ଥିଲେ, ଯିଏ ଆଜି ଯଦି ଜୀବିତ ଥାନ୍ତେ ତ, ବୋଧହୁଏ ସଫଳତା ହିସାବରେ କୌଣସି ଅଭିନେତ୍ରୀ ତାଙ୍କ ପାଖାପାଖି ବି ପହଞ୍ଚି ପାରି ନଥାନ୍ତେ। ୧୯୯୦ ମସିହାରେ ଦିବ୍ୟା ଭାରତୀ ତାମିଲ ଫିଲ୍ମରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରି ଥିଲେ। ଦୁଇ ବର୍ଷ ପରେ ୧୯୯୨ରେ ସନି ଦେଓଲଙ୍କ ସହ 'ବିଶ୍ୱାତ୍ମା' ଫିଲ୍ମରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ସେହି ବର୍ଷ ହିଁ ତାଙ୍କର ୧୨ଟି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଯେତେବେଳେ ୧୯ ବର୍ଷ ବୟସରେ ଦିବ୍ୟା ଭାରତୀଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କର ୧୨ଟି ଫିଲ୍ମ ରିଲିଜ୍ ହେବା ବାକି ଥିଲା। ସେଥି ମଧ୍ୟରୁ ଗୋଟିଏ ଥିଲା 'ଲାଡଲା'। ଯାହାର ଆଧା ସୁଟିଂ ସେ ସାରି ଦେଇ ଥିଲେ। 'ଲାଡଲା'ର ଲେଖକ ଥିଲେ ଅନୀସ ବଜମୀ। ସେ ନିକଟରେ ଏକ ସାକ୍ଷାତକାରରେ ସେହି ଶେଷ ସୁଟିଂ ଦିନକୁ ମନେ ପକାଇଛନ୍ତି । ସେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଦିବ୍ୟାଙ୍କୁ ଭେଟି ଥିଲେ।

ଦିବ୍ୟା ଭାରତୀଙ୍କ ମୃତ୍ୟୁ ୧୯୯୩ ମସିହା ଏପ୍ରିଲ ୫ ତାରିଖ ସନ୍ଧ୍ୟାରେ ହୋଇ ଥିଲା। ସେ ମୁମ୍ବାଇର ବର୍ସୋଭା ସ୍ଥିତ ନିଜ ଘରର ବାଲକୋନିରୁ ଖସି ପଡ଼ି ଥିଲେ। ଏହା ଏପରି ଏକ ଖବର ଥିଲା, ଯାହା ଦିବ୍ୟା ଭାରତୀଙ୍କ ପ୍ରଶଂସକ ଏବଂ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇ ଥିଲା। ଅନୀସ ବଜମୀ କହିଛନ୍ତି ଯେ, ଅଭିନେତ୍ରୀଙ୍କ ଅକାଳ ବିୟୋଗ ପରେ 'ଲାଡଲା' ଫିଲ୍ମକୁ ପୁଣି ଥରେ ଲେଖିବାକୁ ପଡ଼ିଥିଲା। ଏହି ଦୁଃଖଦ ଘଟଣାର ଗଭୀର ପ୍ରଭାବ ପୁରା ଟିମ୍ ଉପରେ ପଡ଼ିଥିଲା। କାରଣ ସଂପୂର୍ଣ୍ଣ ଫିଲ୍ମକୁ ପ୍ରାୟ ପୁଣିଥରେ ତିଆରି କରିବାକୁ ପଡ଼ି ଥିଲା।

 

ଦିବ୍ୟାଙ୍କ ପରେ ଶ୍ରୀଦେବୀଙ୍କ ସହ ସୁଟିଂ ହୋଇଥିଲା'ଲାଡଲା'

 

ଅନୀସ ବଜମୀ କହିଛନ୍ତି ଯେ, କିପରି ପରବର୍ତ୍ତୀ ସମୟରେ ଶ୍ରୀଦେବୀ 'ଲାଡଲା'ରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ରାଜି ହୋଇଥିଲେ, ଯେତେବେଳେ କି ପୂର୍ବରୁ ସେ ତାମିଲ ଏବଂ ତେଲୁଗୁ ଭାଷାରେ ଏହି ସମାନ କାହାଣୀକୁ ପ୍ରତ୍ୟାଖ୍ୟାନ କରି ସାରିଥିଲେ। ୧୯୯୪ରେ ମୁକ୍ତିଲାଭ କରିଥିବା 'ଲାଡଲା'ରେ ଶ୍ରୀଦେବୀ, ଅନିଲ କପୁର ଏବଂ ରବିନା ଟଣ୍ଡନ ମୁଖ୍ୟ ଭୂମିକାରେ ଥିଲେ। ଏହା ସେହି ବର୍ଷର ସବୁଠାରୁ ବଡ଼ ବ୍ୟବସାୟିକ ସଫଳ ଫିଲ୍ମ ପାଲଟି ଥିଲା। ଏହି ଫିଲ୍ମଟି ପ୍ରଥମେ ଦିବ୍ୟା ଭାରତୀଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ ନେଇ ସୁଟିଂ କରାଯାଇ ଥିଲା।

 

ଅନୀସ ବଜମୀ କହିଥିଲେ- ଆମେ ଏପ୍ରିଲ ୪ରେ ହିଁ ସୁଟିଂ କରିଥିଲୁ

 

ଫିଲ୍ମ ନିର୍ମାତା ଅନୀସ ବଜମୀ ଦିବ୍ୟା ଭାରତୀଙ୍କ ସହ ସୁଟିଂର ଶେଷ ଦିନର ଏକ ଭାବବିହ୍ୱୋଳ ସ୍ମୃତି ସେୟାର କରିଛନ୍ତି। ସେ କହିଛନ୍ତି ଯେ , ତାଙ୍କ ମୃତ୍ୟୁର ପ୍ରଭାବ ଆଉ ଗୋଟିଏ ପ୍ରୋଜେକ୍ଟ ଉପରେ ମଧ୍ୟ ପଡ଼ି ଥିଲା। ଦିବ୍ୟାଙ୍କ ମୃତ୍ୟୁ କାରଣରୁ ମୋତେ ମୋର ଦୁଇଟି ଫିଲ୍ମ - 'ଲାଡଲା' ଏବଂ 'ଅଙ୍ଗରକ୍ଷକ'ର ସୁଟିଂ ପୁଣିଥରେ କରିବାକୁ ପଡ଼ିଥିଲା। ଆମେ 'ଅଙ୍ଗରକ୍ଷକ' ମଧ୍ୟ ସମ୍ପୂର୍ଣ୍ଣ କରି ସାରିଥିଲୁ। ମୋର ମନେ ଅଛି ଯେ, ଆମେ ଚେନ୍ନାଇରେ ସୁଟିଂ କରୁଥିଲୁ। ଦିବ୍ୟାଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୪ ତାରିଖରେ ଆମେ ତାଙ୍କ ସହ ସୁଟିଂ କରୁ ଥିଲୁ।

 

ଦିବ୍ୟାଙ୍କ ସେହି ଶେଷ ସିନ୍ ଏବଂ ଡାଏଲଗ୍- ମୋତେ ବଞ୍ଚାଅ !

 

ଦିବ୍ୟା ଭାରତୀଙ୍କ ସହ ସେହି ଶେଷ ଶଟକୁ ମନେ ପକାଇ ଅନୀସ ବଜମୀ କହନ୍ତି, ସେହି ସିନରେ, ସେ କ୍ୟାମେରାରୁ ଦୂରକୁ ଯାଉଛନ୍ତି ଏବଂ ଧିରେ ଧିରେ ଫୋକସ୍ ବାହାରକୁ ଚାଲି ଯାଉଛନ୍ତି, ଯେତେବେଳେ କିଛି ମୁଖାପିନ୍ଧା ଲୋକ ତାଙ୍କୁ ଟାଣି ଟାଣି ନେଉଛନ୍ତି। ସେହି ସିନରେ ତାଙ୍କର ଶେଷ ଡାଏଲଗ୍ ଥିଲା- 'ମୋତେ ବଞ୍ଚାଅ'। ପରଦିନ ସକାଳେ ଆମେ ଜାଣିବାକୁ ପାଇଲୁ ଯେ ତାଙ୍କର ମୃତ୍ୟୁ ହୋଇ ଯାଇଛି।

 

ଦିବ୍ୟାଙ୍କ ମୃତ୍ୟୁ ଓ ବାପାଙ୍କ ବୟାନ -

ଦିବ୍ୟା ଭାରତୀଙ୍କ ମୃତ୍ୟୁ ୫ ଏପ୍ରିଲ ୧୯୯୩ରେ ମୁମ୍ବାଇରେ ନିଜ ଆପାର୍ଟମେଣ୍ଟର ୫ମ ମହଲା ବାଲକୋନିରୁ ଖସି ପଡ଼ିବା ଯୋଗୁଁ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା ଏବଂ ପ୍ରଯୋଜକ ସାଜିଦ୍ ନାଡିଆଡୱାଲାଙ୍କ ସହ ବିବାହର ମାତ୍ର କିଛି ମାସ ହୋଇ ଥିଲା। ତାଙ୍କର ଆକସ୍ମିକ ମୃତ୍ୟୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଲଚଲ ସୃଷ୍ଟି କରିଥିଲା ଏବଂ ଏହା ଇଣ୍ଡଷ୍ଟ୍ରିର ସବୁ ଠାରୁ ଦୁଃଖଦ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା। ଦିବ୍ୟାଙ୍କ ମୃତ୍ୟୁ ପରେ ବିଭିନ୍ନ ପ୍ରକାର ଗୁଜବ ଆରମ୍ଭ ହୋଇଥିଲା। ଏପରିକି ସାଜିଦ୍ ନାଡିଆଡୱାଲାଙ୍କ ଆଡ଼କୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଥିଲା। ଅନେକ ପ୍ରକାର ଷଡ଼ଯନ୍ତ୍ରର କଥା ଉଠିଥିଲା, କିନ୍ତୁ ତାଙ୍କ ବାପା କୌଣସି ପ୍ରକାର ସନ୍ଦେହଜନକ କାର୍ଯ୍ୟକଳାପକୁ ପ୍ରତ୍ୟାଖ୍ୟାନ କରିଥିଲେ। ଦିବ୍ୟା ଭାରତୀଙ୍କ ମୃତ୍ୟୁର ଆନୁଷ୍ଠାନିକ କାରଣ ମୁଣ୍ଡରେ ଆଘାତ ଏବଂ ଇଣ୍ଟରନାଲ ରକ୍ତସ୍ରାବ ବୋଲି କୁହାଯାଇ ଥିଲା। ୭ ଏପ୍ରିଲ ୧୯୯୩ରେ ବମ୍ବେର ଭିଲେ ପାର୍ଲେ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

 

ଦିବ୍ୟାଙ୍କ ମୃତ୍ୟୁ ବେଳକୁ 'ଲାଡଲା' ଫିଲ୍ମର ପାଖାପାଖି ୯୦ରୁ ୯୫ ପ୍ରତିଶତ କାମ ଶେଷ ହୋଇ ସାରିଥିଲା। କିନ୍ତୁ ଏହି ଅଘଟଣ ପରେ ପୁରା ଟିମ୍ ଖୁବ୍ ଦୁଃଖରେ ରହି ଥିଲା ଏବଂ ଦୁଇ ମାସ ଯାଏଁ ସେଟରେ କୌଣସି କାମ ହୋଇ ପାରି ନଥିଲା। ପରବର୍ତ୍ତୀ ସମୟରେ ଅନୀସ ବଜମୀ ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ କରିବା ପରେ ଶ୍ରୀଦେବୀ ଏହି ରୋଲ୍ କରିବାକୁ ରାଜି ହୋଇଥିଲେ ଏବଂ ସମ୍ପୂର୍ଣ୍ଣ ଫିଲ୍ମକୁ ପୁଣି ଥରେ ସୁଟିଂ କରାଯାଇ ଥିଲା। ୧୯୯୪ ମସିହାରେ ମୁକ୍ତିଲାଭ କରି ଥିବା ଫିଲ୍ମ 'ଲାଡଲା' ବ୍ଲକବଷ୍ଟର ସାବ୍ୟସ୍ତ ହୋଇ ଥିଲା, କିନ୍ତୁ ଏହା ପଛରେ ରହି ଥିଲା ଦିବ୍ୟା ଭାରତୀଙ୍କ ଅଧୁରା ରହି ଯାଇଥିବା ସ୍ୱପ୍ନର କାହାଣୀ।