ନୂଆଦିଲ୍ଲୀ: ସୁରକ୍ଷା କାରଣ ଦର୍ଶାଇ ଗାୟକ ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ କନସର୍ଟକୁ ଅନୁମତି ଦେଲାନି ଦିଲ୍ଲୀ ପୁଲିସ। ଅକ୍ଟୋବର ୩୦ ତାରିଖରେ ଦିଲ୍ଲୀର ଜବାହାରଲାଲ ନେହରୁ ଷ୍ଟାଡିୟମ୍‌ରେ ଦିଲଜିତଙ୍କର ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ହେବାର ଥିଲା। ଏନେଇ ଦିଲ୍ଲୀ ପୁଲିସକୁ ଅନୁମତି ମାଗିବାରୁ ପୁଲିସ ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିଛି।

ଦିଲ୍ଲୀ ପୁଲିସର ଏଭଳି ନିଷ୍ପତ୍ତି ପରେ ଦିଲ୍‌ଜିତଙ୍କର ଲାଇଭ ସଂଗୀତ ପିରବେଷଣ ଦେଖିବାକୁ ଆଗ୍ରହ ଥିବା ହଜାର ହଜାର ଫ୍ୟାନ ନିରାଶ ହୋଇଛନ୍ତି। ତେବେ ଏହି ମ୍ୟୁଜିକ କନସର୍ଟ ପାଇଁ କେତେ ଟଙ୍କା ଟିକେଟ୍ ହୋଇଥିଲା ? ଆଦାୟ ଟିକେଟ ଫ୍ୟାନଙ୍କୁ ଫେରାଗଲା କି ନାହିଁ ସେ ନେଇ କୌଣସି ଅପଡେଟ୍ ଆସି ନାହିଁ।

​​​​​​​Also Read- ସିଜେପି ନେତାଙ୍କୁ ଛାଡ଼ିବା ପାଇଁ ପିସ୍ ବଣ୍ଡ ସାଇନ କରିବାକୁ ବିରୋଧ: ପ୍ରକାଶ ରାଜ କହିଲେ, କ୍ଷମା ଦେବେନି ଯୁବବର୍ଗ

ରିପୋର୍ଟ ଅନୁସାରେ ଏହି ପ୍ରସଙ୍ଗରେ ଦକ୍ଷିଣ ଦିଲ୍ଲୀ ଡିସିପିଙ୍କ ଅଫିସରୁ ଏକ ଚିଠି ଟିକେଟ ବୁକିଂ ପ୍ଲାଟଫର୍ମ ‘ବୁକ ମାଇଁ ଶୋକୁ’ ପଠାଯାଇଥିଲା। ଏଥିରେ ଲେଖାଯାଇଥିଲା ଯେ ଦିଲଜିତଙ୍କ ‘ଅରା ଇଣ୍ଡିଆ ଟୁର୍’ କାର୍ଯ୍ୟକ୍ରମର ଦିଲ୍ଲୀ ପର୍ଯ୍ୟାୟ ପାଇଁ କରାଯାଇ ଅନୁରୋଧକୁ ଭଲଭାବରେ ଯାଞ୍ଚ କରାଗଲା। ହେଲେ ଅନୁମତି ଦିଆଯାଇ ନାହିଁ। ଏଥିରେ କୁହାଯାଇଛି ଯେ ବିପଦ ସୃଷ୍ଟି ହେବାର ବିଶେଷ ସୂଚନା ରହିଛି। ଏହା ବାଦ ପାର୍ବଣ ସମୟରେ ଶାନ୍ତିଶୃଙ୍ଖଳା କାମରେ ପୁଲିସ ବ୍ୟସ୍ତ ରହିଛି।ତେଣୁ ଏଭଳି ସମୟରେ ଅନୁମତି ଦେବା ଅନୁଚିତ ବୋଲି ଚିଠିରେ କୁହାଯାଇଛି।

କାର୍ଯ୍ୟକ୍ରମ ନେଇ ହୋଇସାରିଥିଲା ଘୋଷଣା

ଦିଲ୍‌ଜିତ ତାଙ୍କ କାର୍ଯ୍ୟକ୍ରମ ନେଇ ପୂର୍ବରୁ ଘୋଷଣା କରିସାରିଥିଲେ। ଅକ୍ଟୋବର ୩୦ ତାରିଖରେ କାର୍ଯ୍ୟକ୍ରମ ହେବ ବୋଲି ତାଙ୍କ ଟିମ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଥିଲା। ୟୁରୋପ ଓ ଉତ୍ତର ଆମେରିକାର କାର୍ଯ୍ୟକ୍ରମ କରିବା ପରେ ଦିଲଜିତ ତାଙ୍କ ‘ଅରା ଟୁର’ର ଭାରତ ସଂସ୍କରଣକୁ ଘୋଷଣା କରିଥିଲେ। ଅକ୍ଟୋବର ୩୦ ତାରିଖରୁ ଏହା ଆରମ୍ଭ ହୋଇଥାନ୍ତା।

ଏଥିପାଇଁ ଅକ୍ଟୋବର ୬ ତାରିଖରୁ ଟିକେଟ ବୁକିଂ ଆରମ୍ଭ ହୋଇଥିଲା। ଦିଲ୍ଲୀର ଜବାହାରଲାଲ ନେହରୁ ପରେ ନଭେମ୍ବର ୧ରୁ ଦିଲ୍ଲୀ ଏନ୍‌ସିଆର୍‌, ନଭେମ୍ବର ୧୫ରେ ଇନ୍ଦୋର ୨୧ ତାରିଖରେ ଅହମଦାବାଦ, ୨୭ରେ ମୁମ୍ବାଇ, ୨୯ରେ ବେଙ୍ଗାଲୁରୁ ଓ ଡିସେମ୍ବର ୫ ତାରିଖରେ ଲକ୍ଷ୍ନୌରେ ତାଙ୍କ ଶୋ ଆୟୋଜିତ ହୋଇଥାନ୍ତା। ଚଣ୍ଡିଗଡ଼ରେ ମଧ୍ୟ ମ୍ୟୁଜିକ କନସର୍ଟ ହେବା ନେଇ ଘୋଷଣା କରାଯାଇ ସାରିଛି। ହେଲେ ଏହାର ତାରିଖ ଘୋଷଣା ହୋଇ ନାହିଁ।