ନୂଆଦିଲ୍ଲୀ: ମେଲାଣି ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଶ୍ରଦ୍ଧାଳୁଙ୍କ ମନରେ ମା’ଙ୍କୁ ବିଦାୟ ​‌ ଦେବାର ଦୁଃଖ । ମା’ ଧରାପୃଷ୍ଠରେ ଅବତରଣ କରିବା ପରଠାରୁ ଖୁବ ଉତ୍ସବମୁଖର ହୋଇଉଠିଥିଲା ପରିବେଶ । କିନ୍ତୁ ଏବେ ବିଦାୟ ଦେବାର ବେଳ । ପୁଣି ଅପେକ୍ଷା ଆସନ୍ତା ବର୍ଷକୁ । ଏହାରି ମଧ୍ୟରେ ଛତିଶଗଡ଼ ରାୟପୁରରୁ ଏକ ଭାବବିହ୍ବଳ ଚିତ୍ର ସାମ୍ନାକୁ ଆସିଛି। ମାଙ୍କୁ ମେଲାଣି ଦେବା ସମୟରେ କେବଳ ଶ୍ରଦ୍ଧାଳୁ ନୁହେଁ, ଭାବବିହ୍ବଳ ହୋଇପଡ଼ିଛନ୍ତି ମାଙ୍କ ପ୍ରତିମାକୁ ଜୀବନ୍ତ ରୂପ ଦେଇଥିବା ଶିଳ୍ପୀ । ଚଳିତ ବର୍ଷ ମାଙ୍କର ଏହି ପ୍ରତିମା ଭାରତ ସମେତ ସାରା ବିଶ୍ବରେ ଏକ ନମ୍ବର ଥିଲା ବୋଲି କୁହାଯାଉଛି । ତାହା କେବଳ ଏକ ପ୍ରତିମୂର୍ତ୍ତୀ ନଥିଲା, ସତେ ଯେମିତି ମା’ ନିଜେ ଧରାପୃଷ୍ଠକୁ ଆସିଥିବା ପରି ମନେ ହେଉଥିଲା । କିନ୍ତୁ ମାଙ୍କ ପ୍ରତିମାକୁ ପାଣିରେ ବିସର୍ଜନ କରିବା ବେଳେ, ଭିଜି ଯାଇଥିଲା ସମସ୍ତଙ୍କ ଆଖି ।  

କିଛି ଛବି କେବଳ ଚକ୍ଷୁକୁ ଆକର୍ଷିତ କରିନଥାଏ, ବରଂ ମନରେ ଗଭୀର ଆଧ୍ୟାତ୍ମିକ ଭାବନା ସୃଷ୍ଟି କରେ । ଛତିଶଗଡ଼ର ରାୟପୁର ସ୍ଥିତ ଶ୍ୟାମନଗରରେ ପୂଜା ପାଇଥିବା ମା’ ଦୁର୍ଗାଙ୍କ ଏକ ପ୍ରତିମା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି। ପ୍ରତିମାର ଏତେ ଜୀବନ୍ତ ଓ ମନମୁଗ୍ଧକର ରୂପ ଦେଖି ଶ୍ରଦ୍ଧାଳୁମାନେ 'ଭାଇରାଲ ମାତା'  ବୋଲି ନାମିତ କରିଛନ୍ତି। ବିସର୍ଜନ ସମୟରେ ମା’ଙ୍କୁ ବିଦାୟ ଦେବା ଶ୍ରଦ୍ଧାଳୁଙ୍କ ପାଇଁ ଅତ୍ୟନ୍ତ ଭାବବିହ୍ୱଳ ଓ କଷ୍ଟକର ହୋଇପଡ଼ିଥିଲା।   ପ୍ରତିମାର କୋମଳ ଓ ଜୀବନ୍ତ ଆଖି, ସୁନ୍ଦର ଗଢ଼ଣ, କାନ ଓ ଗଳାର ସୂକ୍ଷ୍ମ ସୁନା ଅଳଙ୍କାର ଏବଂ ନାଲି ରଙ୍ଗର ଶାଢ଼ୀ ମା’ଙ୍କ ଆଲୌକିକ ଉପସ୍ଥିତିକୁ ଜୀବନ୍ତ କରି ତୋଳିଥିଲା।

ସଜ ଗୋଲାପ ଫୁଲର ମାଳା, ଭବ୍ୟ ସଜବାଜ ଏବଂ ପାଖରେ ଥିବା ସିଂହ ମା’ଙ୍କ ଅଲୌକିକ ଶୋଭାକୁ ବୃଦ୍ଧି କରିଥିଲା। ପ୍ରତିମାଟିକୁ ଦେଖିବା ପରେ ସୋସିଆଲ ମିଡିଆରେ ଅନେକ ଶ୍ରଦ୍ଧାଳୁ ନିଜର ଭାବନା ପ୍ରକାଶ କରିଛନ୍ତି ।  ସର୍ଜନ ବେଳେ ଶ୍ରଦ୍ଧାଳୁମାନେ ଆଖିରୁ ଲୁହ ରୋକି ପାରିନଥିଲେ। ଏହି ବିଶେଷ ପ୍ରତିମା ଗଢ଼ିଥିଲେ ଛତିଶଗଡ଼ର ଦୁଇ ଶିଳ୍ପୀ ଭାଇ ଲକ୍ଷ୍ମୀନାରାୟଣ ଚକ୍ରଧାରୀ ଏବଂ ପରମେଶ୍ୱର ଚକ୍ରଧାରୀ । ସେ ଖୈରାଗଡ଼ର 'ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟ'ରୁ ଡିଗ୍ରୀ ହାସଲ କରିଛନ୍ତି।  ତେବେ ମା ଦୁର୍ଗାଙ୍କ ଏହି ପ୍ରତିମା ଗଢ଼ିବା ପାଇଁ ବୋଧହୁଏ ଦୁଇ ଭାଇଙ୍କର ପଥ ପ୍ରଦର୍ଶକ ସାଜିଥିଲେ ନିଜେ ମା । ଅତି ସୁନ୍ଦର, ଚମତ୍କାର ଏବଂ ଆକର୍ଷଣୀୟ ମା’ଙ୍କ ଏହି ପ୍ରତିମା । କିନ୍ତୁ ମା ଦୁର୍ଗା ବିଦାୟ ନେଇଛନ୍ତି ।