ନୂଆଦିଲ୍ଲୀ: FIH ବିଶ୍ୱକପ ପାଇଁ ଭାରତର ମହିଳା ଏବଂ ପୁରୁଷ ହକି ଟିମ୍ ପାଇଁ ନୂଆ ଜର୍ସି ଲଞ୍ଚ୍ କରାଯାଇଛି । ନୂଆ ଜର୍ସିର ରଙ୍ଗ ପାରମ୍ପାରିକ ନୀଳ ପରିବର୍ତ୍ତେ ଗେରୁଆ କରାଯାଇଛି, ଯାହାକୁ ନେଇ ହକି ଇଣ୍ଡିଆର ଏହି ନିଷ୍ପତ୍ତି ଉପରେ ଅନେକ ପ୍ରଶ୍ନ ଉଠୁଛି । ଭାରତୀୟ ହକି ଟିମର ଜର୍ସି ରଙ୍ଗ ବଦଳାଇବା ନିଷ୍ପତ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଗୁରୁବାର ଯେଉଁଠି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏହି ନିଷ୍ପତ୍ତି ପଛର କାରଣ ବୁଝାଉଥିଲେ, ଶୁକ୍ରବାର ସେ ନିଜେ ମହାସଂଘର କର୍ମକର୍ତ୍ତାମାନଙ୍କଠାରୁ ସ୍ପଷ୍ଟୀକରଣ ମାଗୁଥିବା ଦେଖିବାକୁ ମିଳିଛି ।

ସୂତ୍ରକୁ ନେଇ ଏନଡିଟିଭି କରିଥିବା ରିପୋର୍ଟ ଅନୁଯାୟୀ, ଶୁକ୍ରବାର ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଚିଠି ଲେଖି ମହାସଂଘର କର୍ମକର୍ତ୍ତାମାନଙ୍କଠାରୁ ଜର୍ସି ରଙ୍ଗ ବଦଳାଯିବା ନେଇ ସ୍ପଷ୍ଟୀକରଣ ମାଗିଛନ୍ତି । ପୂର୍ବତନ ଭାରତୀୟ ଅଧିନାୟକ ମହାସଂଘର କର୍ମକର୍ତ୍ତାମାନଙ୍କୁ ପ୍ରଶ୍ନ କରିଛନ୍ତି ତାଙ୍କର ଏବଂ କାର୍ଯ୍ୟକାରୀ ବୋର୍ଡର ଅଜ୍ଞାତରେ ଏବଂ ବିନା ସମ୍ମତିରେ ଏହି ବଡ଼ ନିଷ୍ପତ୍ତି କିପରି ନିଆଗଲା ।

୨୪ ଘଣ୍ଟା ପୂର୍ବରୁ କରିଥିଲେ ସମର୍ଥନ

ଗୁରୁବାର ଭାରତୀୟ ଟିମର ଜର୍ସି ରଙ୍ଗ ବଦଳାଇବା ନେଇ ହକି ଇଣ୍ଡିଆ ସଭାପତି କହିଥିଲେ ଯେ, ଖେଳାଳି, କୋଚ୍ ଏବଂ ସପୋର୍ଟ ଷ୍ଟାଫଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ପଷ୍ଟୀକରଣ ରଖି କହିଥିଲେ, ନୀଳ ରଙ୍ଗର ଟର୍ଫରେ ନୀଳ ଜର୍ସି ପିନ୍ଧି ଖେଳିବା ଦ୍ୱାରା ମ୍ୟାଚ୍ ସମୟରେ ଭିଜିବିଲିଟିରେ ଅସୁବିଧା ହେଉଥିଲା ।

ସେ କହିଥିଲେ, "ସେମାନଙ୍କର ପରାମର୍ଶ ଥିଲା ଯେ ପଡ଼ିଆର ହକି ଟର୍ଫ ନୀଳ ଏବଂ ଖେଳାଳିଙ୍କ କିଟ୍ ମଧ୍ୟ ନୀଳ । ତେଣୁ ଏହି ଓଭରଲ୍ୟାପ୍ ଯୋଗୁଁ ଖେଳିବା ସମୟରେ ଦେଖିବାରେ ଅସୁବିଧା ହେଉଥିଲା । ସେମାନଙ୍କୁ କୋଉଠି ନା କୋଉଠି ଏହି ସମସ୍ୟା ଅନୁଭବ ହେଉଥିଲା।"

 

ଦିଲୀପ କହିଥିଲେ, "ସେମାନେ ଦୁଇଟି ରଙ୍ଗର ବିକଳ୍ପ ଦେଇଥିଲେ, ହଳଦିଆ ଏବଂ ନାରଙ୍ଗୀ । ଏହି କଥା ଉପରେ ଧ୍ୟାନ ଦିଆଗଲା ଯେ ନାରଙ୍ଗୀ ରଙ୍ଗ ଆମ ଜାତୀୟ ପତାକାର ରଙ୍ଗଗୁଡ଼ିକ ମଧ୍ୟରୁ ଗୋଟିଏ । ତେଣୁ ନାରଙ୍ଗୀ ରଙ୍ଗ ବଛାଗଲା ଏବଂ ସେହି ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ କରାଗଲା । ଯଦି ଟୁର୍ନାମେଣ୍ଟ ପରେ କିମ୍ବା ଭବିଷ୍ୟତରେ ଖେଳାଳିମାନଙ୍କୁ ଅନ୍ୟ କିଛି ଅନୁଭବ ହୁଏ, ତେବେ ଆମେ କିଟ୍ ରଙ୍ଗକୁ ଆହୁରି ଭଲ କରିବା ପାଇଁ ପୁଣି କାମ କରିପାରିବୁ।"

ବୋର୍ଡକୁ ଚିଠି ଲେଖି ଜବାବ ମାଗିଲେ

ଶୁକ୍ରବାର ଦିଲୀପ ତିର୍କୀ ହକି ଇଣ୍ଡିଆର କାର୍ଯ୍ୟକାରୀ ବୋର୍ଡକୁ ଇମେଲ୍ ପଠାଇ ସ୍ପଷ୍ଟୀକରଣ ମାଗିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ଜାତୀୟ ଦଳର ଜର୍ସି ରଙ୍ଗ ବଦଳାଇବା ଗୋଟିଏ ବଡ଼ ନିଷ୍ପତ୍ତି । କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ସହ ଏବଂ କାର୍ଯ୍ୟକାରୀ ବୋର୍ଡ ସହ ଆଲୋଚନା ନକରି ଲାଗୁ କରାଯାଇଛି । ସେ କହିଛନ୍ତି ଯେ ନାରଙ୍ଗୀ କିମ୍ବା ଗେରୁଆ ରଙ୍ଗକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ଦଳର ପରିଚୟ ସହ ଜଡ଼ିତ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ନେତୃତ୍ୱ ଏବଂ ବୋର୍ଡ ସହ ଆଲୋଚନା ହେବା ଉଚିତ ଥିଲା ।

ଓଡ଼ିଶା ସରକାର ମାଗଛନ୍ତି ଉତ୍ତର ?

ଦିଲୀପ ତିର୍କୀ ତାଙ୍କ ଚିଠିରେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଓଡ଼ିଶା ସରକାର ମଧ୍ୟ ଏହି ବିବାଦ ସମ୍ପର୍କରେ ତାଙ୍କଠାରୁ ଉତ୍ତର ମାଗିଛନ୍ତି ।ସେ କହିଛନ୍ତି ଯେ ସେ ସର୍ବସାଧାରଣରେ ସର୍ବଦା ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତି ଖେଳ ସହିତ ଜଡିତ, ଯାହା ଦ୍ୱାରା ଖେଳାଳିମାନଙ୍କ ଧ୍ୟାନ ଆଗାମୀ ବିଶ୍ୱକପ ହଟିବ ନାହିଁ । ତେବେ, ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି ପ୍ରକ୍ରିୟା ବିଷୟରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ହଠାତ୍ କଣ ହେଲା?

ରିପୋର୍ଟ ଅନୁଯାୟୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜର୍ସି ବିବାଦ ଉପରେ ଟ୍ୱିଟ୍ ପରେ ଦିଲୀପ ତିର୍କୀଙ୍କ ବୟାନ ପରିବର୍ତ୍ତନ ହୋଇଛି । ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି, "ଭାରତୀୟ ହକି ଦଳର ଜର୍ସିର ପ୍ରତୀକାତ୍ମକ ରଙ୍ଗକୁ ଗେରୁଆ ରଙ୍ଗରେ ପରିବର୍ତ୍ତନ କରାଯାଇଥିବା ଜାଣି ମୁଁ ଗଭୀର ଦୁଃଖିତ । ଭାରତୀୟ ହକି ଦଳର ନୀଳ ରଙ୍ଗ କେବଳ ଏକ ରଙ୍ଗ ନୁହେଁ, ଏହା ଦେଶର କ୍ରୀଡ଼ା ଐତିହ୍ୟ ସହିତ ଜଡିତ ଏକ ଆତ୍ମା । ଦଶନ୍ଧି ଧରି, ଏହି ରଙ୍ଗ ଆମକୁ ଆଶା, ବିଜୟ, ପରାଜୟ ଏବଂ ଖେଳରେ ଉତ୍କର୍ଷତା ହାସଲ କରିବାରେ ଏକତ୍ରିତ କରିଛି ।"