ନୂଆଦିଲ୍ଲୀ: ମଧୁମେହ ରୋଗୀଙ୍କ ଚିନ୍ତାକୁ ଦୂର କରିବା ପାଇଁ ଭାରତରେ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଭାରତରେ ସପ୍ତାହକୁ ଥରେ କ୍ଲିନିକାଲ୍ ବ୍ୟବହାର ପାଇଁ ଅନୁମୋଦିତ ବାସାଲ୍ ଇନସୁଲିନ୍, ଆୱିକ୍ଲି (Awiqli) ପ୍ରଚଳନ ହୋଇଛି । ଏପରି କରିବାରେ ଭାରତ ଦୁନିଆର ପ୍ରଥମ ଦେଶ ପାଲଟିଛି । ଫାର୍ମାସ୍ୟୁଟିକାଲ୍ କମ୍ପାନି ନୋଭୋ ନୋର୍ଡିସ୍କ (Novo Nordisk) ଦ୍ୱାରା ପ୍ରସ୍ତୁତ ଏହି ଇନସୁଲିନକୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଏହି ସେବା ପାଇବାରେ ଭାରତ ବିଶ୍ୱର ପ୍ରଥମ ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇଛି ।

ରଏଟର୍ସ ରିପୋର୍ଟ ଅନୁଯାୟୀ, ଭାରତରେ ଏହି ଇନସୁଲିନର ପ୍ରଚଳନ ଏଭଳି ସମୟରେ ଆରମ୍ଭ ହୋଇଛି, ଯେତେବେଳେ ବିଶ୍ୱର ସର୍ବାଧିକ ମଧୁମେହରେ ପୀଡିତ ଏହି ଦେଶରେ ରହୁଛନ୍ତି । ଭାରତରେ ୧୦୧ ନିୟୁତରୁ ଅଧିକ ଲୋକ ମଧୁମେହରେ ପୀଡିତ ଥିବା ବେଳେ ଆଉ ୧୩୬  ନିୟୁତ ଲୋକ ପ୍ରି-ଡାଇବେଟିସ୍ ରୋଗରେ ପୀଡିତ ବୋଲି ଆକଳନ କରାଯାଉଛି ।

ସାଧାରଣତଃ ଡାଇବେଟିସ୍ ରୋଗୀଙ୍କୁ ପ୍ରତିଦିନ ଇନସୁଲିନ୍ ଇଞ୍ଜେକ୍ସନ୍ ନେବାକୁ ପଡ଼ିଥାଏ । ବର୍ଷକୁ ପ୍ରାୟ ୩୬୫ଟି ହୋଇଥାଏ । ମାତ୍ର 'ଆୱିକ୍ଲି'  ଆସିବା ପରେ ରୋଗୀଙ୍କୁ ବର୍ଷକୁ ମାତ୍ର ୫୨ଟି ଇଞ୍ଜେକ୍ସନ୍ ନେବାକୁ ପଡ଼ିବ । ଏହା ପ୍ରତିଦିନ ନେଉଥିବା ଇନସୁଲିନ୍ ଭଳି କିମ୍ବା ତା’ଠାରୁ ଅଧିକ ଭଲ ଭାବରେ ବ୍ଲଡ୍ ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ ।

ଆୱିକ୍ଲି ହେଉଛି ଏକ ଦୀର୍ଘ-କାର୍ଯ୍ୟକାରୀ ବେସାଲ୍ ଇନସୁଲିନ୍ । ଏହାକୁ ସପ୍ତାହ ଧରି ଇନସୁଲିନ୍ ସମର୍ଥନ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ଏକ ପ୍ରି-ଫିଲ୍ଡ ପେନ୍ ସାହାଯ୍ୟରେ ଏହାକୁ ସପ୍ତାହର ଗୋଟିଏ ନିର୍ଦ୍ଦିଷ୍ଟ ବାରରେ ପେଟ, ଜଙ୍ଘ କିମ୍ବା ହାତର ଚମଡ଼ା ନିଆଯାଇଥାଏ । ରୋଗୀଙ୍କ ରକ୍ତ ଶର୍କରା ସ୍ତର ଅନୁସାରେ ଡୋଜ୍ ଆଡଜଷ୍ଟ କରାଯାଏ ।

ଟାଇପ୍-୨ ଡାଇବେଟିସ୍ ରୋଗୀ ଏହାକୁ ଏକାକୀ କିମ୍ବା ଅନ୍ୟ ଔଷଧ ସହ ନେଇପାରିବେ । କିନ୍ତୁ, ଟାଇପ୍-୧ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ଏହା ସହିତ ଖାଇବା ସମୟରେ ନିଆଯାଉଥିବା ସ୍ୱଳ୍ପକାଳୀନ ଇନସୁଲିନ୍ ମଧ୍ୟ ଆବଶ୍ୟକ ହେବ ।

ଏହି ଔଷଧରେ ଇନସୁଲିନ୍ ଆଇକୋଡେକ୍ ଅଛି, ଯାହା ବ୍ଲଡ୍ ପ୍ରୋଟିନ୍ ଆଲବୁମିନ୍ ସହିତ ମିଶି ରହିଥାଏ । ଏହା ଧୀରେ ଧୀରେ ଏବଂ ସ୍ଥିର ଭାବରେ ପୂରା ସପ୍ତାହ ଯାକ ଶରୀରକୁ ଇନସୁଲିନ୍ ଯୋଗାଇଥାଏ। ରକ୍ତ ପ୍ରବାହରୁ କୋଷଗୁଡ଼ିକୁ ଗ୍ଲୁକୋଜ୍ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥାଏ ଏବଂ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ ।

ନୋଭୋ ନୋର୍ଡିସ୍କ ଇଣ୍ଡିଆର ଏମଡି ବିକ୍ରାନ୍ତ ଶ୍ରୋତ୍ରୀୟ କହିଛନ୍ତି, ଭାରତ ହେଉଛି ଆୱିକ୍ଲି ଲଞ୍ଚ କରିଥିବା ସପ୍ତମ ଦେଶ । ପ୍ରତିଦିନ ଇଞ୍ଜେକ୍ସନ ଭୟରେ ଅନେକ ରୋଗୀ ଇନସୁଲିନ୍ ନେବାକୁ ପଛଘୁଞ୍ଚା ଦେଇଥାନ୍ତି, ଏହି ନୂଆ ଇନସୁଲିନ୍ ସେମାନଙ୍କ ସେହି ଭୟ ଓ ମାନସିକ ଅସୁବିଧାକୁ ଦୂର କରିବ ।