ଭାଗଲପୁର: ଦେଶରେ ଅନୁଷ୍ଠିତ ବିଭିନ୍ନ ନିର୍ବାଚନରେ ବାରମ୍ବାର ପ୍ରାର୍ଥୀ ହୋଇ ‘ଧରତୀ ପକଡ’ ନାମରେ ପରିଚିତ ବିହାରର ନାଗରମଲ ବାଜୋରିଆଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ସେ ପଞ୍ଚାୟତରୁ ଆରମ୍ଭ କରି ପୌର ନିର୍ବାଚନ ଏପରିକି ଲୋକସଭା ଓ ରାଷ୍ଟ୍ରପତିନିର୍ବାଚନ ପର୍ଯ୍ୟନ୍ତ ୨୮୦ଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ଗୁରୁବାର ବିହାର ରାଜଧାନୀ ପାଟନାରେ ତାଙ୍କର ପରଲୋକ ହୋଇଥିବା ବେଳେ ଶୁକ୍ରବାର ଭାଗଲପୁରରେ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି।

୧୯୩୦ ମସିହାରେ ଲାହୋରରେ ଜନ୍ମିତ ନାଗରମଲ ସ୍ୱାଧୀନତା ପୂର୍ବରୁ ପରିବାର ସହ ବିହାରର ଭାଗଲପୁର ଚାଲି ଆସିଥିଲେ। ସେ ବ୍ୟବସାୟ ସହ ଜଡିତ ଥିଲେ। ୩୦ ବର୍ଷ ବୟସରେ ସେ ୧୯୬୦ ମସିହା ଭାଗଲପୁର ପୌର ନିର୍ବାଚନରେ ଜିତି ନିର୍ବାଚନୀ ରାଜନୀତିକୁ ପ୍ରବେଶ କରିଥିଲେ। ପରେ ସେ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ଅଟଳବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କ ଭଳି ଦେଶର ବଡ଼ ବଡ଼ ରାଜନେତାଙ୍କ ବିରୋଧରେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ।

୧୯୬୯ ମସିହାରେ ସେ ଭି.ଭି.ଗିରିଙ୍କ ବିରୋଧରେ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ଗତ ୨୦୧୯ ମସିହାରେ ସେ ଶେଷ ଥର ପାଇଁ ନିର୍ବାଚନ ଲଢିଥିଲେ। ନାଗରମଲଙ୍କ ନାତି ସୌରଭ ବାଜୋରିୟା କହିଛନ୍ତି ଯେ ତାଙ୍କ ଜେଜେବାପା କେବଳ ଜିତିବା ପାଇଁ ନିର୍ବାଚନରେ ପ୍ରାର୍ଥୀ ହେଉନଥିଲେ ବରଂ ରାଜନୀତି ଓ ନିର୍ବାଚନ ପ୍ରତି ଲୋକଙ୍କୁ ସଚେତନ କରିବାକୁ ସେ ନିର୍ବାଚନ ଲଢୁଥିଲେ ବୋଲି କହିଛନ୍ତି। ଶୁକ୍ରବାର ଗଙ୍ଗାନଦୀ କୂଳରେ ଥିବା ବରାରୀ ଘାଟରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି।