ଭୁବନେଶ୍ୱର ୨୬।୧୧ : ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମ। ଏଣିକି ମନ୍ଦିରର ନାମ ରହିବ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’। ସେହିପରି ମନ୍ଦିର ପରିସରକୁ ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଭାବେ ନାମିତ କରାଯିବ। ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ସାଧୁବାଦ ଜଣାଯାଇଛି। ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ଧାର୍ମିକ ମର୍ଯ୍ୟାଦା ଓ ମହାପ୍ରଭୁଙ୍କ ପ୍ରତି ଓଡ଼ିଆଙ୍କ ଆସ୍ଥାକୁ ସମ୍ମାନ ଦେଇ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଆଙ୍କ ଆରାଧ୍ୟ ନୁହନ୍ତି, ସେ ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର। କୋଟି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ପ୍ରତୀକ ହେଉଛନ୍ତି ମହାପ୍ରଭୁ। ଏଭଳି ସ୍ଥିତିରେ ଦୀଘା ମନ୍ଦିର ପରିସର ପାଇଁ ‘ଜଗନ୍ନାଥ ଧାମ’ ନାମ ବ୍ୟବହାରକୁ ନେଇ ପୂର୍ବରୁ ବିବାଦ ଓ ଅସନ୍ତୋଷ ଦେଖାଦେଇଥିଲା। ଶ୍ରୀକ୍ଷେତ୍ରର ଅନନ୍ୟ ଧାର୍ମିକ ମର୍ଯ୍ୟାଦାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଥିଲା।

Also Read:-କୋଟିଆ ପାଇଁ ବିଧାନସଭାରେ ଲଢ଼େଇ, ଆତ୍ମାହୁତି ନିଷ୍ପତ୍ତି ବଦଳାଇଲେ ତାରା

ତେବେ ଏବେ ଦୀଘା ମନ୍ଦିର ପରିସରରୁ ‘ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତିକୁ ଆନୁଷ୍ଠାନିକ ସ୍ୱୀକୃତି ମିଳିଥିବା ନେଇ ଘୋଷଣା କରାଯାଇଛି। ନୂଆ ନାମ ଅନୁଯାୟୀ, ମନ୍ଦିର ପରିସର ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଏବଂ ମନ୍ଦିର ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ଭାବେ ପରିଚିତ ହେବ। ଏହି ପଦକ୍ଷେପ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ଜଣାଯାଇଛି।

ଏହି ନିଷ୍ପତ୍ତିକୁ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସହଯୋଗର ଏକ ଉଦାହରଣ ଭାବେ ଦର୍ଶାଯାଇଛି। ଦୁଇ ରାଜ୍ୟର ବିଜେପି ନେତୃତ୍ୱାଧୀନ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ ଗଠନମୂଳକ ସହଯୋଗ ଯୋଗୁଁ ଏହି ସମାଧାନ ସମ୍ଭବ ହୋଇଥିବା କୁହାଯାଇଛି। ଏହା ସନାତନ ସଂସ୍କୃତି, ପରମ୍ପରା ଓ ଅଗଣିତ ଭକ୍ତଙ୍କ ଧାର୍ମିକ ଆସ୍ଥା ପ୍ରତି ସମ୍ମାନର ପ୍ରତିଫଳନ ବୋଲି ମତ ରଖାଯାଇଛି।

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାର ଓ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ କୃତଜ୍ଞତା ଜଣାଯାଇଛି। ଏହି ନିଷ୍ପତ୍ତି ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ଆଧ୍ୟାତ୍ମିକ ଗାରିମାକୁ ଅକ୍ଷୁଣ୍ଣ ରଖିବା ସହ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ କରାଯାଇଛି।