କାହିରା, ୨୬।୧୧ : ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଲା ଇନ୍ଧନ ଟ୍ୟାଙ୍କର । ସଙ୍ଗେସଙ୍ଗେ ଲାଗିଗଲା ନିଆଁ । ଚାହୁଁଚାହୁଁ ଜଳିଗଲେ ୩୧ ବ୍ୟକ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ମିଶରର ରାଜଧାନୀ କାହିରାରେ । ଏହାସହ ଅଘଟଣରେ ଅନ୍ୟ ୨୧ ଜଣ ଗୁରୁତର ହୋଇପଡିଛନ୍ତି ।

ମିଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ବୁଧବାର ରାତିରେ ଏହି ଅଘଟଣ ଘଟିଛି । କାହିରାର ଏକ ଗୁରୁତ୍ୱପୂର୍ଣ୍ଣ ରିଙ୍ଗ୍ ରୋଡରେ ତୈଳ ଟ୍ୟାଙ୍କରଟି ଓଲଟି ପଡିଥିଲା । ଏହା ଏତେ ଭୟଙ୍କର ଥିଲା ଯେ, ପାଖରେ ଥିବା ୧୨ରୁ ଅଧିକ କାର୍ ଏବଂ ବାଇକ୍ ଜଳି ଯାଇଛି । ଗ୍ରେଟର୍ କାହିରାର ଗୀଜା ଅଞ୍ଚଳର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ।

Also Read :- ଅପରେସନ ସିନ୍ଦୂର ବେଳେ ଭାରତ ଉପରେ ନଜର ରଖିଥିଲା ଚୀନ୍ ସାଟେଲାଇଟ୍ ! ପାକିସ୍ତାନକୁ ଆଗୁଆ ଦେଉଥିଲା ତଥ୍ୟ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କରଟି ଓଲଟି ପଡିଥିଲା । ଏହାପରେ ତୁରନ୍ତ ଏଥିରେ ନିଆଁ ଲାଗି ସବୁ ଆଡେ ବ୍ୟାପିଯାଇଥିଲେ । ଖବର ପାଇ ତୁରନ୍ତ ପୋଲିସ କର୍ମଚାରୀମାନେ ଆସି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯାହାର ଅନେକ ଭିଡିଓ ଭାଇରାଲ ହୋଇଛି ।

ଘଟଣାକୁ ନେଇ ମିଶରର ରାଷ୍ଟ୍ରପତି ଅବଦେଲ ଫତହ ଅଲ ସିସି ଦୁଃଖ ପ୍ରକାଶ କରିଛନ୍ତି । ପୀଡିତଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି । ତେବେ ମିଶରରେ ପୂର୍ବରୁ ଅନେକ ଦୁର୍ଘଟଣା ଘଟିଛି । ଏଥିରେ ହଜାର ହଜାର ଲୋକ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି ।