ନୂଆଦିଲ୍ଲୀ : ଚମ୍ବଲ ନାଁ ଶୁଣିଲେ, ମନକୁ ଆସେ ବନ୍ଧୁକର ଶବ୍ଦ, ପୁଲିସ ସାଇରନ୍ ଏବଂ ଡାକୁଙ୍କ କାହାଣୀ। କିନ୍ତୁ ଏହି ସମାନ ଉପତ୍ୟକାରୁ ଆସି ଭିନ୍ନ କାହାଣୀ ଲେଖିଛନ୍ତି ଏହି ଯୁବକ। ତାଙ୍କ ଜେଜେ ଥିଲେ ଚମ୍ବଲର କୁଖ୍ୟାତ ଡାକୁ। ପରିବାରର ବି ଥିଲା ଡକାୟତି ଇତିହାସ। ହେଲେ ନାତି ବାଛିଲେ ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା। ପରିବାରର ପୁରୁଣା ରାସ୍ତାକୁ ଅନୁସରଣ ନକରି ସେ ଶିକ୍ଷା, ଚାକିରି ଓ ପରିଶ୍ରମକୁ ନିଜ ଜୀବନର ମାର୍ଗ କରିଛନ୍ତି। ଆଉ ପ୍ରଶାସନିକ ସେବା ଅଧିକାରୀ ହୋଇ ଇତିହାସ ବଦଳାଇ ଦେଇଛନ୍ତି। ଗାଁରୁ ପାଠପଢ଼ା ଆରମ୍ଭ କରି IITରେ ଉଚ୍ଚଶିକ୍ଷା। ତାପରେ ନେଦରଲ୍ୟାଣ୍ଡରେ ଚାକିରି ଆଉ ଶେଷରେ ପ୍ରଶାସନିକ ସେବା ଅଧିକାରୀ। ଇଏ ହେଉଛି ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ଚମ୍ବଲ ଅଞ୍ଚଳର ଦେବ ପ୍ରଭାକର ସିଂହ ତୋମରଙ୍କ କାହାଣୀ।

Also Read- ୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ବଡ଼ ଆକଳନ, ଭାଙ୍ଗିବ ସମସ୍ତ ରେକର୍ଡ

ଦେବ ଏକ କାର୍ଯ୍ୟକ୍ରମରେ ତାଙ୍କ ଜୀବନ କାହାଣୀ କରିଛନ୍ତି ସେଆର । ତାଙ୍କ କହିବା କଥା , ପ୍ରାୟ ୭୫ ବର୍ଷ ପୂର୍ବେ ପରିବାରିକ ସମସ୍ୟା ଓ ପ୍ରଶାସନ ସହ ବିବାଦ ତାଙ୍କ ଜେଜେଙ୍କୁ ‘ବାଗୀ’ ସଜେଇ ଦେଇଥିଲା। ସ୍ଥାନୀୟ ଭାଷାରେ ସେ ବାଗୀ କିନ୍ତୁ ପୋଲିସ ରେକର୍ଡରେ ସେ ଜଣେ ଡକାୟତ। ଏହାପରେ ପରିବାରର ସ୍ଥିତି ଆହୁରି ଜଟିଳ ହୋଇଥିଲା। ସେ ସମୟରେ ପରିବାର ଖାଇବା ପାଇଁ ମଧ୍ୟ ସଂଘର୍ଷ କରୁଥିଲା। ସେଥିପାଇଁ ପରବର୍ତ୍ତୀ ସମୟରେ ତାଙ୍କ ଦାଦା ମଧ୍ୟ ସେହି ରାସ୍ତାକୁ ଆପଣେଇ ଥିଲେ। କିନ୍ତୁ ଦେବଙ୍କ ବାପାଙ୍କ କ୍ଷେତ୍ରରେ ଘଟିଥିଲା ବ୍ୟତିକ୍ରମ। ସେ ଏହି ଜୀବନ ନ ଆପଣେଇ ଏଥିରୁ ଦୂରେଇ ଯିବାକୁ ଚାହିଁଥିଲେ। ସେଥିପାଇଁ ସେ ଘର ଛାଡ଼ି ଗ୍ୱାଲିଅର ଚାଲି ଯାଇଥିଲେ। ସେଠାରେ ପାଠ ପଢ଼ି ଶିକ୍ଷକ ହେଲେ। ବାପାଙ୍କ ଏହି ପରିବର୍ତ୍ତନର ରାସ୍ତାରେ ଦେବ ମଧ୍ୟ ଆଗକୁ ବଢ଼ିଥିଲେ। ଦେବ ପ୍ରଥମ ୫ ବର୍ଷ ମଧ୍ୟପ୍ରଦେଶ ବୋର୍ଡରେ ପଢ଼ିବା ପରେ ଷଷ୍ଠ ଶ୍ରେଣୀରୁ CBSE ସ୍କୁଲରେ ପଢ଼ିଥିଲେ। ଗ୍ରାମୀଣ ପରିବେଶରୁ ଆସିଥିବାରୁ ନୂଆ ସ୍କୁଲ ଓ ଭାଷା ସହ ଖାପ ଖୁଆଇବା ତାଙ୍କ ପାଇଁ ନଥିଲା ସହଜ। ଏକାଦଶ ଶ୍ରେଣୀରେ ସେ IIT ବିଷୟରେ ଚିନ୍ତା କରିଥିଲେ। ହେଲେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ କୋଚିଂ ପାଇଁ କୋଟା ଯାଇ ପାରିନଥିଲେ। ସେଥିପାଇଁ ଘରେ ନିଜେ ପଢ଼ି ଦ୍ୱାଦଶ ପରୀକ୍ଷା ସହ IIT ପ୍ରବେଶିକା ଦେଇ IIT ରୋପରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢ଼ିଥିଲେ। IIT ପରେ ଦେବ ନେଦରଲ୍ୟାଣ୍ଡରେ ଫିଲିପ୍ସରେ ଚାକିରି କରିଥିଲେ। ଭାଲ ଦରମା ବି ପାଉତିଲେ। କିନ୍ତୁ ତାଙ୍କ ମନରେ ଥିଲା କିଛି ଅଲଗା। ସେ ପ୍ରଶାସନିକ ସେବା ଅଧିକାରୀ ହେବାକୁ ଚାହୁଁଥିଲେ। ସେଥିପାଇଁ ଶେଷରେ ସେ ଚାକିରି ଛାଡ଼ି ଭାରତ ଫେରି UPSC ପାଇଁ ପ୍ରସ୍ତୁତି ଆରମ୍ଭ କଲେ।

ପ୍ରଥମ ପ୍ରୟାସରେ ପ୍ରିଲିମ୍ସ କଟଅଫଠାରୁ ୧୨.୫ ମାର୍କ କମ୍ ରହିଥିଲା। ଦ୍ୱିତୀୟ ଥର ମଧ୍ୟ ୨.୫ ମାର୍କ ପାଇଁ ପ୍ରିଲିମ୍ସରେ ବିଫଳ ହେଲେ। ପରେ ପ୍ରସ୍ତୁତି ପ୍ରଣାଳୀ ବଦଳାଇଥିଲେ। ଅନେକ ପ୍ରୟାସ ପରେ UPSC ପ୍ରିଲିମ୍ସ ଓ ମେନ୍ସ ପାସ୍ କରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେତେବେଳେ ବି ଫାଇନାଲ ଲିଷ୍ଟରେ ନାଁ ଆସି ନ ଥିଲା। ତାପରେ ସେ ଦିଲ୍ଲୀରେ ଶିକ୍ଷକ ଭାବେ କାମ କରିବା ସହ ପ୍ରସ୍ତୁତି ଜାରି ରଖିଥିଲେ। ଅନେକ ବିଫଳତା ପରେ UPSCରେ ଅଲ୍ ଇଣ୍ଡିଆ ରାଙ୍କ ୬୨୯ ହାସଲ କରି ନିଜ ସ୍ୱପ୍ନ ପୂରଣ କରିଛନ୍ତି। ଏହାପରେ ତାଙ୍କର ଚୟନ ଭାରତୀୟ ରେଳ ବିଭାଗରେ ହୋଇଛି। ସେ ଏବେ ରେଳ ମନ୍ତ୍ରଣାଳୟରେ ସେବା ଦେଉଛନ୍ତି।

ତେବେ ଜେଜେଙ୍କ ଜୀବନ ଥିଲା ବନ୍ଧୁକ ଓ ବାଗୀର ରାସ୍ତା। ବାପା ଶିକ୍ଷକ। ଦେବ ଏବେ UPSC ପାସ୍ କରି ସରକାରୀ ସେବାରେ ନିଯୁକ୍ତ। ଏହି କାହାଣୀ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ତିନି ପିଢ଼ିର ଏହି ପରିବର୍ତ୍ତନ ଏବେ ଚର୍ଚ୍ଚାରେ। ଦେବ ପ୍ରଭାକରଙ୍କ କାହାଣୀ ଏହି କଥାକୁ ଦର୍ଶାଏ ଯେ ପରିବାରର ଅତୀତ ଯେମିତି ବି ହେଉନା କାହିଁକି, ନିଜ ଜୀବନର ଦିଗ ନିଜେ ବଦଳାଇବାର ସୁଯୋଗ ପ୍ରତ୍ୟେକ ପିଢ଼ି ପାଖରେ ରହିଛି। ବାସ୍ ଖାଲି ସଠିକ୍ ବାଟ ନିଜକୁ ବାଛିବାର ଅଛି।