ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନାଞ୍ଚଳ ଅନ୍ତର୍ଗତ ଚଟିଆପାଲି ସିଙ୍ଗଶାଳ ବାଲିଘାଟକୁ କାମ କରିବାକୁ ଆସି ଜଣେ ଯୁବକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ନିଖୋଜ ଯୁବକ ଜଣକ ହେଲେ ବାରକୋଟ ଥାନା ସିଂହଶାଳ ଗ୍ରାମ ମେକଫାରସନପୁର ଅଞ୍ଚଳର ଇନ୍ଦ୍ର ମୁଣ୍ଡା (୩୧)। ଇନ୍ଦ୍ର ସଂପୃକ୍ତ ବାଲିଘାଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ତିନି ଦିନ ତଳେ କାମ କରିବାକୁ ଆସି ଆଉ ଘରକୁ ଫେରିନଥିଲେ। ସେ ନିଖୋଜ ଥିବା ନେଇ ପରିବାର ଲୋକ ବାରକୋଟ ଥାନାରେ ଅଭିଯୋଗ କରିଥିଲେ ।

ରବିବାର ପୋଲିସ ଆସି ସନ୍ଧାନୀ କୁକୁର ସହିତ ବାଲି ଘାଟରେ ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ତିନି ଦିନ ହେଲା ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିବାରୁ ସ୍ଥାନୀୟ ଜନସାଧାରଣ ୧୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ବାହାଡାପଷି ଠାରୁ ରାଉରକେଲା ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ ହୋଇଥିବାରୁ ଯାତାୟତ ଠପ୍ ହୋଇଯାଇଛି । ନିଖୋଜ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ସ୍ତ୍ରୀ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ବାଲିଘାଟକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ତଦନ୍ତରେ ଅସନ୍ତୁଷ୍ଟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Also Read: ରାୟଗଡ଼ା ଗଣଆକ୍ରମଣ ମାମଲାକୁ 'ରେଡ୍ ଫ୍ଲାଗ୍' ସହ କଡ଼ା ଆକ୍ସନ୍, ୨୩ ଗିରଫ

ରାସ୍ତାରୋକ ଯୋଗୁଁ ସଂପୃକ୍ତ ରାଜପଥର ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବାଲିଘାଟର ଲିଜଧାରୀ, ଜେସିବି ଅପରେଟର ଓ ଅନ୍ୟ କର୍ମଚାରୀ ଅନୁପସ୍ଥିତ ଥିବା ଯୋଗୁଁ ଗ୍ରାମବାସୀ ଅସନ୍ତୁଷ୍ଟ ହେବା ସହ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି। ଦେବଗଡ଼ ଅତିରିକ୍ତ ଏସପି ଧୀରଜ ଚୋପଦାର, ବାରକୋଟ ଥାନା ଆଇଆଇସି ସୁଶାନ୍ତ ବଢେଇ ପୋଲିସ ଫୋର୍ସ ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।