ନୂଆଦିଲ୍ଲୀ: ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ଦେଶର ରାଜନୀତି ଏବେ ସରଗରମ ହୋଇଛି। ଏହି ବିଲ୍କୁ ସମର୍ଥନ ଦେବା ପାଇଁ ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନ ଘୋଷଣା କରିବା ପରେ ବିରୋଧୀ ଇଣ୍ଡିଆ ମେଣ୍ଟରେ ହଲଚଲ ସୃଷ୍ଟି ହୋଇଛି। ଷ୍ଟାଲିନଙ୍କ ନିଷ୍ପତ୍ତିର ପୁନର୍ବିଚାର କରାଇବାକୁ କଂଗ୍ରେସ ସମେତ ବିରୋଧୀ ଦଳର ଏକ ପ୍ରତିନିଧିମଣ୍ଡଳୀ ଚେନ୍ନାଇରେ ପହଞ୍ଚିଛି। ଏହାକୁ ନେଇ ବିଜେପି କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀଙ୍କ ସମେତ ବିରୋଧୀ ଦଳର ଏକ ପ୍ରତିନିଧିମଣ୍ଡଳୀ ଷ୍ଟାଲିନଙ୍କୁ ଭେଟିବା ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାରଙ୍କ ସୀମା ନିର୍ଦ୍ଧାରଣ ବିଲ୍କୁ ସମର୍ଥନ ଦେବା ସମ୍ପର୍କରେ ଡିଏମ୍କେ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଏହି ନେତାମାନେ ଷ୍ଟାଲିନଙ୍କୁ ଅନୁରୋଧ କରିବେ।

ଏହି ପ୍ରସଙ୍ଗରେ ବିଜେପିର ଜାତୀୟ ଉପାଧ୍ୟକ୍ଷ ରାମ ମାଧବ କଂଗ୍ରେସକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧି ଭୟଭୀତ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତିର କିପରି ମୁକାବିଲା କରିବେ, ତାହାକୁ ନେଇ ସେ ଚିନ୍ତିତ। ତେଣୁ ଏବେ ଏଠାରୁ ସେଠାକୁ ଦୌଡ଼ୁଛନ୍ତି। ରାମ ମାଧବ କହିଛନ୍ତି, “ଏକ ସ୍ୱତନ୍ତ୍ର ବିମାନରେ ୧୦ରୁ ୧୨ ଜଣ ନେତା ଚେନ୍ନାଇ ଯାଇ ସେହି ନେତାମାନଙ୍କୁ ଭେଟିବାକୁ ଯାଉଛନ୍ତି, ଯେଉଁମାନଙ୍କୁ ରାହୁଲ ଗାନ୍ଧି ନିଜେ 'ଏଟ୍ଟାପ୍ପନ୍' (ତାମିଲ ଭାଷାରେ ବିଶ୍ୱାସଘାତକ) ବୋଲି କହୁଥିଲେ। ଏବେ ସେହି ଲୋକଙ୍କ ପାଖରେ ସାହାଯ୍ୟ ମାଗିବାକୁ ଯାଉଛନ୍ତି। ଏହା ବାସ୍ତବରେ ହାସ୍ୟାସ୍ପଦ।”

ସେ ଆହୁରି କହିଛନ୍ତି, ଏହି ପ୍ରତିନିଧିମଣ୍ଡଳୀ ହସ୍ପିଟାଲରେ ଚିକିତ୍ସାଧୀନ ଶରଦ ପାୱାରଙ୍କୁ ମଧ୍ୟ ଭେଟିବାକୁ ଯାଉଛି। ଏହା ଗଣତନ୍ତ୍ର, ତେଣୁ କଂଗ୍ରେସ ନିଜ ଉଦ୍ୟମ କରିପାରେ। କିନ୍ତୁ ଡିଏମ୍କେ ଭଳି ଦଳର ବୟାନ ଦେଖିବା ପରେ ମୋର ବିଶ୍ୱାସ ଯେ, ସେମାନେ ଏହି ବିଲ୍କୁ ସମର୍ଥନ କରିବେ। ମୁଁ କେବଳ ଆଶା କରୁଛି ଯେ, ତାମିଲନାଡୁର ଶାସକ ଦଳ ଟିଭିକେ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ ଖୋଲା ମନରେ ବିଚାର କରିବ। ଆପଣମାନେ ଭୁଲ୍ ଲୋକଙ୍କ ସଙ୍ଗତରେ ଅଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୬ ଏପ୍ରିଲରେ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଡିଏମ୍କେ ନେତୃତ୍ୱାଧୀନ ମେଣ୍ଟରୁ ଅଲଗା ହୋଇ ଟିଭିକେକୁ ସମର୍ଥନ ଦେବା ସହ ମେଣ୍ଟ ସରକାରରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲା। ଏହାପରଠାରୁ ଉଭୟ ଦଳ ମଧ୍ୟରେ ମତଭେଦ ବଢ଼ିଛି। ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ କଂଗ୍ରେସ ନିଜର ଆଭିମୁଖ୍ୟ ବଦଳାଇଥିବା ନେଇ ମଧ୍ୟ ଡିଏମ୍କେ ଅଭିଯୋଗ କରିଛି। ସୀମା ନିର୍ଦ୍ଧାରଣ ବିଲ୍କୁ ଲୋକସଭାରେ ପାରିତ ହେବାରୁ ରୋକିବା ଉଦ୍ୟମରେ ବିରୋଧୀ ଇଣ୍ଡିଆ ମେଣ୍ଟର କିଛି ନେତା ଚେନ୍ନାଇ ଓ ମୁମ୍ବାଇ ଗସ୍ତ କରୁଛନ୍ତି। ଏହି ପ୍ରତିନିଧିମଣ୍ଡଳୀ ମୁମ୍ବାଇରେ ଶରଦ ପାୱାରଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

also read-; ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ବିରୋଧୀ ମେଳି! ଷ୍ଟାଲିନ୍ ଓ ଶରଦ ପାୱାରଙ୍କୁ ମନାଇବାକୁ ମୈଦାନକୁ ଓହ୍ଲାଇଲେ ସୋନିଆ-ରାହୁଲ

ଲୋକସଭାରେ ସୋମବାର ପରିସୀମନ ବିଲ୍ ଆଗତ ହେବାକୁ ଥିବାବେଳେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ୨୨ ଜଣ ଲୋକସଭା ସଦସ୍ୟ ଓ ୮ ଜଣ ରାଜ୍ୟସଭା ସଦସ୍ୟ ଥିବା ଡିଏମ୍କେ ଗୋଟିଏ ଦିନ ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ଏହି ବିଲ୍କୁ ସମର୍ଥନ କରିବାକୁ ଘୋଷଣା କରିଥିଲା। ଶନିବାର ଏମ୍.କେ. ଷ୍ଟାଲିନ କହିଥିଲେ ଯେ, ଏହି ପ୍ରସ୍ତାବରେ ତାଙ୍କ ଦଳର ଦୁଇଟି ପ୍ରମୁଖ ଦାବିକୁ ସ୍ଥାନ ଦିଆଯାଇଥିବାରୁ ଡିଏମ୍କେ ଏହାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ସେ ନିଜ ଦଳର ସଂଘର୍ଷର ବିଜୟ ଏବଂ ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟର ବିଜୟ ବୋଲି କହିଥିଲେ। ଏବେ ଡିଏମ୍କେର ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ମେଣ୍ଟରେ ମତଭେଦ ସୃଷ୍ଟି ହୋଇଥିବାବେଳେ ଷ୍ଟାଲିନଙ୍କୁ ମନାଇବା ପାଇଁ କଂଗ୍ରେସର ଉଦ୍ୟମ କେତେ ସଫଳ ହେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।