ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ଏହି ବିଲ୍କୁ ସମର୍ଥନ ନକରିବା ପାଇଁ ନିଜର ସହଯୋଗୀ ଦଳଗୁଡ଼ିକୁ ମନାଇବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ। ଏଥିପାଇଁ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଆଜି ଚେନ୍ନାଇରେ ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନ୍ ଓ ମୁମ୍ବାଇରେ ଏନ୍ସିପି (ଶରଦଚନ୍ଦ୍ର ପୱାର) ମୁଖ୍ୟ ଶରଦ ପାୱାରଙ୍କ ସହ ପୃଥକ୍ ପୃଥକ୍ ବୈଠକ କରିବେ। ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ସୀମା ନିର୍ଦ୍ଧାରଣ ପ୍ରସ୍ତାବକୁ ତୀବ୍ର ସମାଲୋଚନା କରିଛନ୍ତି। ତାଙ୍କ ମତରେ, ଏହି ପଦକ୍ଷେପ ଭାରତର ଗଣତନ୍ତ୍ରକୁ ଶେଷ କରିଦେବ।

ରାହୁଲ ଗାନ୍ଧୀଙ୍କ ବୟାନ ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଷ୍ଟାଲିନ୍। ରାହୁଲଙ୍କୁ 'ଭାଇ' ବୋଲି ସମ୍ବୋଧନ କରି ଡିଏମ୍କେର ସାମ୍ବିଧାନିକ ଅଧିକାର ଓ ରାଜ୍ୟଗୁଡ଼ିକର ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ଐତିହାସିକ ଭୂମିକାକୁ ସ୍ୱୀକାର କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।ଷ୍ଟାଲିନ୍ କହିଛନ୍ତି, ତାମିଲନାଡୁ ଓ ତାମିଲ ଜନସାଧାରଣଙ୍କ ସ୍ୱାର୍ଥକୁ ସର୍ବଦା ପ୍ରାଥମିକତା ଦେଇ ଡିଏମ୍କେ ପ୍ରତ୍ୟେକ ନିଷ୍ପତ୍ତି ନେଇଆସିଛି। ଏହି ନୀତି ସହ କୌଣସି ପରିସ୍ଥିତିରେ ସାଲିସ୍ କରାଯିବ ନାହିଁ। ଇତିହାସ ଦଳକୁ 'କଟ୍ଟାବୋମ୍ମାନ' ଭାବେ ମନେ ରଖିବ, 'ଏଟ୍ଟାପ୍ପନ୍' ଭାବେ ନୁହେଁ ବୋଲି ସେ କହିଛନ୍ତି। ଏହି ଦୁଇଟି ନାମ ତାମିଲ ଇତିହାସରେ ବୀରତ୍ୱ ଓ ବିଶ୍ୱାସଘାତକତାର ପ୍ରତୀକ ଭାବେ ପରିଚିତ।

ତେବେ ଡିଏମ୍କେର ଆଇଟି ୱିଙ୍ଗ୍ କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କରିଛି। ଚଳିତ ବର୍ଷ ମେ' ମାସରେ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ କଂଗ୍ରେସ-ଡିଏମ୍କେ ମଧ୍ୟରେ ଦଶନ୍ଧି ପୁରୁଣା ମେଣ୍ଟରେ ଦେଖାଦେଇଥିବା ତିକ୍ତତାକୁ ମନେ ପକାଇ ଦଳ କଂଗ୍ରେସକୁ କଟାକ୍ଷ କରିଛି। ସେହି ନିର୍ବାଚନରେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଟିଭିକେ ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ଫଳରେ ବିଧାନସଭାରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିଲା।

କଂଗ୍ରେସର ଏହି ପ୍ରତିନିଧି ଦଳ ପ୍ରଥମେ ଚେନ୍ନାଇରେ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଷ୍ଟାଲିନଙ୍କୁ ଭେଟିବ। ଏହାପରେ ରାତି ୮ଟାରେ ମୁମ୍ବାଇରେ ଶରଦ ପାୱାରଙ୍କ ସହ ବୈଠକ କରିବ। ଏହି ଆଲୋଚନାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କ ସମେତ ଆର୍ଜେଡି ଓ ସମାଜବାଦୀ ପାର୍ଟିର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇପାରନ୍ତି। ଦକ୍ଷିଣ ଭାରତରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଏହି ଆଲୋଚନାରେ ସାମିଲ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଡିଏମ୍କେ ଓ ଏନ୍ସିପି (ଶରଦଚନ୍ଦ୍ର ପୱାର) ପୂର୍ବରୁ ହିଁ ସଂଶୋଧିତ ସୀମା ନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିବା ନେଇ ସ୍ପଷ୍ଟ କରିସାରିଛନ୍ତି। ଏନ୍ସିପି (ଏସ୍ପି) ଏହି ବିଲ୍କୁ ସମର୍ଥନ କରିବା ନିଷ୍ପତ୍ତି ଚୂଡ଼ାନ୍ତ ବୋଲି କହିଥିବା ବେଳେ ଡିଏମ୍କେ ମଧ୍ୟ କେନ୍ଦ୍ର ସରକାର ନିଜର ଦାବିକୁ ସଂଶୋଧିତ ଖସଡ଼ାରେ ସ୍ଥାନ ଦେବା ପରେ ସମର୍ଥନ ଜଣାଇଛି।

ସୂତ୍ର ଅନୁସାରେ, ଡିଏମ୍କେ ନିଜର ସମର୍ଥନ ସମ୍ପର୍କରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକୁ ଅବଗତ କରାଇବ। ଅନ୍ୟପକ୍ଷରେ, ତାମିଲନାଡୁରେ ଟିଭିକେ ସରକାରକୁ ସମର୍ଥନ ଜାରି ରଖିବା ସହ ଡିଏମ୍କେ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖିବାକୁ କଂଗ୍ରେସ ଚାହୁଁଛି। ଡିଏମ୍କେ କଂଗ୍ରେସକୁ ଟିଭିକେ ସରକାର ପ୍ରତି ସମର୍ଥନ ପ୍ରତ୍ୟାହାର କରିବାକୁ କହିବ ନାହିଁ କିମ୍ବା ଏହି ପ୍ରସଙ୍ଗରେ କଂଗ୍ରେସ ସହ ସମ୍ପର୍କ ଖରାପ କରିବାକୁ ଚାହୁଁନାହିଁ ବୋଲି ସୂତ୍ରରୁ ଜଣାପଡ଼ିଛି।

ଏହି ସମୟରେ ଡିଏମ୍କେ ସାଂସଦ କାନିମୋଝି ଆଜି ସକାଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି। ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକମତ ସୃଷ୍ଟି କରିବାକୁ କଂଗ୍ରେସ ଯେପରି ତତ୍ପରତା ଦେଖାଇବା କଥା, ସେଥିରେ ଅଭାବ ରହିଥିବା ନେଇ ସେ ଡିଏମ୍କେର ଚିନ୍ତା ପ୍ରକାଶ କରିଥିବା କୁହାଯାଉଛି। ତାମିଲନାଡୁର ସ୍ୱାର୍ଥକୁ ଆଖି ଆଗରେ ରଖି ଡିଏମ୍କେ ଏହି ନିଷ୍ପତ୍ତି ନେଇଛି ଏବଂ ବିଲ୍କୁ ସମର୍ଥନ ନକରିଥିଲେ ରାଜ୍ୟର ଅବସ୍ଥା ଆହୁରି ଖରାପ ହୋଇଥାଆନ୍ତା ବୋଲି କାନିମୋଝି ବୁଝାଇଥିବା ସୂତ୍ରରୁ ଜଣାପଡ଼ିଛି।

ଏପରିକି ଷ୍ଟାଲିନଙ୍କୁ ଭେଟିବାକୁ କଂଗ୍ରେସ ପ୍ରତିନିଧି ଦଳକୁ କାନିମୋଝି ବାରଣ କରିଥିବା ସତ୍ତ୍ୱେ କଂଗ୍ରେସ ନେତାମାନେ ବୈଠକ ଆଗକୁ ବଢ଼ାଇବାକୁ ଚାହୁଁଥିବା କୁହାଯାଉଛି। ଡିଏମ୍କେ ସୂତ୍ର ଅନୁସାରେ, ଦଳ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଆଗରୁ ହିଁ ଲଢ଼େଇ ଜାରି ରଖିଥିଲା। କିନ୍ତୁ କଂଗ୍ରେସ ଗତ କିଛି ମାସ ଧରି ଏହି ପ୍ରସଙ୍ଗରେ ନିରବ ରହିଥିଲା। ଏହି ସମୟ ମଧ୍ୟରେ କଂଗ୍ରେସ ନିଜର ବିକଳ୍ପ ପ୍ରସ୍ତାବ ଆଣିବା ଉଚିତ ଥିଲା ବୋଲି ଡିଏମ୍କେ ପକ୍ଷରୁ କୁହାଯାଇଛି। କାନିମୋଝି ସ୍ପଷ୍ଟ କରିଥିବା କୁହାଯାଉଛି ଯେ, ତାମିଲନାଡୁର ଲୋକମାନେ ସଂସଦରେ ନିଜ ରାଜ୍ୟର ଆସନ ଅନୁପାତ ହ୍ରାସକୁ କେବେ ଗ୍ରହଣ କରିବେ ନାହିଁ। ଡିଏମ୍କେର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସ୍ୱାର୍ଥ ଓ ପ୍ରତିନିଧିତ୍ୱକୁ ସୁରକ୍ଷିତ ରଖିବା।

ଗତ ଶନିବାର ଡିଏମ୍କେର ସାଂସଦମାନଙ୍କ ସହ ବୈଠକ ପରେ ଷ୍ଟାଲିନ୍ ସଂଶୋଧିତ ବିଲ୍କୁ ସମର୍ଥନ କରିବା ନିଷ୍ପତ୍ତି ଘୋଷଣା କରିଥିଲେ। ତାଙ୍କ କହିବା ଅନୁସାରେ, ନୂଆ ବିଲ୍ରେ ଦଳର ଦୁଇଟି ପ୍ରମୁଖ ଦାବିକୁ ଲିଖିତ ଭାବେ ସ୍ଥାନ ଦିଆଯାଇଛି। ପ୍ରଥମତଃ, ଲୋକସଭାରେ ତାମିଲନାଡୁର ୭.୧୮ ପ୍ରତିଶତ ଆସନ ଅନୁପାତ ହ୍ରାସ ନକରିବା। ଦ୍ୱିତୀୟତଃ, ୧୯୭୧ ଜନଗଣନା ଆଧାରରେ ରାଜ୍ୟଗୁଡ଼ିକର ଲୋକସଭା ଆସନ ଅନୁପାତକୁ ବଜାୟ ରଖିବା। ଏହି ଦୁଇଟି ନିଶ୍ଚିତତା ନଥିବାରୁ ଡିଏମ୍କେ ଏପ୍ରିଲ୍ରେ ସଂସଦରେ ଆଗତ ହୋଇଥିବା ପୂର୍ବ ବିଲ୍କୁ ବିରୋଧ କରିଥିଲା। ଷ୍ଟାଲିନ୍ କହିଥିଲେ, ୨୦୨୪ରୁ ଡିଏମ୍କେ ଯେଉଁ ନିରନ୍ତର ସଂଘର୍ଷ କରିଆସିଛି, ଏହା ତାହାର ବିଜୟ। ଏହା କେବଳ ତାମିଲନାଡୁର ନୁହେଁ, ବରଂ ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟର ବିଜୟ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ, ୧୯୭୧ ଜନଗଣନା ଆଧାରରେ ସମସ୍ତ ରାଜ୍ୟରେ ୫୦ ପ୍ରତିଶତ ଅଧିକ ଆସନ ବୃଦ୍ଧି କରିବାର ବ୍ୟବସ୍ଥା ଥିବା ଏହି ବିଲ୍କୁ ହାତଛଡ଼ା କଲେ କ'ଣ ପରିଣାମ ହେବ, ତାହା ଭାବିଚିନ୍ତି ନିଷ୍ପତ୍ତି ନେବା ଆବଶ୍ୟକ। ଡିଏମ୍କେ ନେତା ଏ. ରାଜା ମଧ୍ୟ କହିଛନ୍ତି ଯେ, ଦଳର ସମର୍ଥନ କେବଳ ନିଜର ସର୍ତ୍ତଗୁଡ଼ିକୁ ବିଲ୍ରେ ସାମିଲ କରାଯାଇଥିବା ଉପରେ ନିର୍ଭର କରୁଛି। ତାଙ୍କ ଅନୁସାରେ, ତାମିଲନାଡୁର କୌଣସି କ୍ଷତି ହେବ ନାହିଁ। ରାଜ୍ୟର ଆସନ ଅନୁପାତ ୭.୧୮ ପ୍ରତିଶତରୁ ବୃଦ୍ଧି ପାଇ ୭.୨୧ ପ୍ରତିଶତ ହେବ। ଏହି ବିବାଦ ନୂଆ ନୁହେଁ। ଚଳିତ ବର୍ଷ ଏପ୍ରିଲ୍ରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଷ୍ଟାଲିନ୍ କଳା ପତାକା ଉତ୍ତୋଳନ କରିବା ସହ କେନ୍ଦ୍ର ସରକାରଙ୍କ ପୂର୍ବ ସୀମା ନିର୍ଦ୍ଧାରଣ ବିଲ୍ର ନକଲକୁ ଜାଳି ଦେଇଥିଲେ। ଏହାକୁ ସେ 'କଳା ଆଇନ' ବୋଲି ଅଭିହିତ କରିବା ସହ ଏହା ତାମିଲ ଲୋକଙ୍କୁ ନିଜ ମାଟିରେ ଶରଣାର୍ଥୀ କରିଦେବ ବୋଲି ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ, ଲୋକସଭାରେ ଏନ୍ସିପି (ଶରଦଚନ୍ଦ୍ର ପୱାର)ର ୮ ଜଣ ସାଂସଦ ଅଛନ୍ତି। ଦଳର ନେତାମାନେ ସଂଶୋଧିତ ସୀମା ନିର୍ଦ୍ଧାରଣ ପ୍ରସ୍ତାବକୁ ସମର୍ଥନ କରିବା ନେଇ ସ୍ପଷ୍ଟ କରିଛନ୍ତି। ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିସାରିଥିବା ଏନ୍ସିପିର ମୁମ୍ବାଇ ନଗର ସଭାପତି ବିଶାଳ ତାମ୍ବେ କହିଛନ୍ତି। ତାଙ୍କ ଅନୁସାରେ, ପ୍ରତ୍ୟେକ ରାଜ୍ୟର ବର୍ତ୍ତମାନର ଆସନ ଅନୁପାତକୁ ସୁରକ୍ଷିତ ରଖି ସମସ୍ତ ରାଜ୍ୟରେ ୫୦ ପ୍ରତିଶତ ଅଧିକ ଆସନ ବୃଦ୍ଧି କରାଯିବା ଉଚିତ।

also read- ରାହୁଲଙ୍କ ଅପିଲ୍ ଉପରେ ଷ୍ଟାଲିନଙ୍କ ସିଧା ଜବାବ, କହିଲେ- ଡିଲିମିଟେସନ ଉପରେ ଆଉ ୟୁଟର୍ଣ୍ଣ ମାରି ହେବନି

ସଂଖ୍ୟାଗଣିତ ଦୃଷ୍ଟିରୁ ମଧ୍ୟ ଏହି ବିଲ୍କୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ଆକଳନ ଅନୁସାରେ, ବିଜେପିର ୨୪୧ ସାଂସଦ ଏବଂ ଏହାର ସହଯୋଗୀ ଦଳ ଓ ଅନ୍ୟ ଗୋଷ୍ଠୀଙ୍କୁ ମିଶାଇ ଏନ୍ଡିଏର ସମ୍ଭାବ୍ୟ ସଂଖ୍ୟା ୩୨୦ ପାଖାପାଖି ରହିଛି। ଏଥିରେ ଡିଏମ୍କେର ୨୨ ଜଣ ଏବଂ ଏନ୍ସିପି (ଏସ୍ପି)ର ୮ ଜଣ ସାଂସଦଙ୍କ ସମର୍ଥନ ଯୋଡ଼ି ହେଲେ ଏହି ସଂଖ୍ୟା ପ୍ରାୟ ୩୫୦ରେ ପହଞ୍ଚିପାରେ। ଏପରି ସ୍ଥିତିରେ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ କଂଗ୍ରେସର ସହଯୋଗୀ ଦଳଗୁଡ଼ିକ ସହ ଆଲୋଚନା ଏବଂ ବିରୋଧୀ ମେଣ୍ଟର ଆଭିମୁଖ୍ୟ ଆଗାମୀ ସଂସଦୀୟ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।