ଦିଲ୍ଲୀ,|୦୬ଗତ ୩ ଦିନ ତଳେ ଦିଲ୍ଲୀର ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଦିଲ୍ଲୀର ତୁଗଲକାବାଦ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ଏହା ପ୍ରଥମେ ଏକ ଦୁର୍ଘଟଣା ବୋଲି ପୋଲିସ କହିଥିଲା । କିନ୍ତୁ ଏହା ଏକ ଦୁର୍ଘଟଣା ନୁହେଁ ବରଂ ଜାଣିଶୁଣି ନିଆଁ ଲଗାଯାଇଥିବା ନେଇ ଏବେ ପୋଲିସ ପ୍ରକାଶ କରିଛି । ଦୁଇ ଭାଇ ଭଉଣୀଙ୍କ ମଧ୍ୟରେ ଟଙ୍କା କାରବାର ବିବାଦ କାରଣରୁ ଏପରି ଘଟଣା ଘଟିଥିବା ପୋଲିସ ଜାଣିବାକୁ ପାଇଛି ।

ତିନି ଗିରଫ

ପୋଲିସ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ନିରଞ୍ଜନ, ରାଜକୁମାର ଏବଂ ସରିତା । ଏହାସହ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପୋଲିସ ଅଟକ ରଖିଛି । ସରିତା ଏବଂ ନାବାଳିକା ଦୁଇ ଜଣ ନିରଞ୍ଜନ ଏବଂ ରାଜକୁମାରଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ ।

ପୋଲିସ ଆହୁରି ମଧ୍ୟ କହିଛି ଯେ, ନାବାଳିକା ଜଣଙ୍କ ନିଜେ ନିଆଁ ଲଗାଇଥିବା ସ୍ୱୀକାର କରିଛନ୍ତି । ଜୁନ ୧୨ ତାରିଖ ରାତିରେ ସେ ଏହି କାଣ୍ଡ ଭିଆଇଥିଲେ । ଫଳରେ ପ୍ରବଳ ଧୂଆଁ ଉଠିଥିଲା । ଯେଉଁଥିରେ ତିନି ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

ତଦନ୍ତରେ ଭୟଙ୍କର କଥା

ତଦନ୍ତରେ ଆହୁରି ଜଣା ପଡିଛି ଯେ, ଜଣେ ଯୁବତୀ ବିଲ୍ଡିଂରେ ପ୍ରବେଶ କରୁଛନ୍ତି । ଏହାପରେ ନିଆଁ ଲାଗିବା ଘଟଣା ଘଟିଛି । ଯୁବତୀ ଜଣଙ୍କ ନାବାଳିକା ହୋଇଥିବାରୁ ପୋଲିସ ଗିରଫ ନକରି ଅଟକ ରଖିଛି । ତାଙ୍କୁ ପଚରାଉଚୁରା କରାଯାଉଛି । ସେ ଯେଉଁ ସ୍କୁଟରରରେ ନିଆଁ ଲଗାଇଥିଲା ତାହା ନିରଞ୍ଜନଙ୍କ ଭାଇ ଦୀପକଙ୍କର ବୋଲି ଜଣାପଡିଛି । ଦୀପକ ବିଲ୍ଡିଂର ପଞ୍ଚମ ମହଲାରେ ରହୁଥିଲେ । ନିଆଁ ଲଗାଇବା ପାଇଁ ପେଟ୍ରୋଲ ସରିତା ହିଁ ସଂପୃକ୍ତ ନାବାଳିକାଙ୍କୁ ଦେଇଥିଲେ ।

ଟଙ୍କା ପାଇଁ ଲଗାଇଦେଲେ ନିଆଁ

କୁହାଯାଉଛି ଯେ, ଦୀର୍ଘଦିନ ଧରି ଦୀପକ ଏବଂ ନିରଞ୍ଜନଙ୍କ ମଧ୍ୟରେ କୌଣସି ଟଙ୍କାକୁ ନେଇ ବିବାଦ ରହିଥିଲା । ନିକଟରେ ନିରଞ୍ଜନ ଜେଲରୁ ଖଲାସ ହୋଇଥିଲେ । ଏବେ ସତ ଜଣା ପଡିବା ପରେ ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ଘଟଣାରେ ଆଉ କେହି ସାମିଲ ଅଛନ୍ତି ନା ନାହିଁ ତାହାର ମଧ୍ୟ ତଦନ୍ତ ଚାଲିଛି ।